ପରିବର୍ତ୍ତନ ହେଲା କ୍ରିକେଟର ଅନେକ ନିୟମ, ଜାଣନ୍ତୁ ପୂରା ଖବର

0

Get real time updates directly on you device, subscribe now.

କ୍ରିକେଟ ପ୍ରଶଂସକମାନଙ୍କ ପାଇଁ ଆସିଲା ବଡ଼ ଖବର। ପୂର୍ବରୁ କ୍ରିକେଟରେ ଥିବା ଅନେକ ନିୟମରେ ବର୍ତ୍ତମାନ ହୋଇଛି ପରିବର୍ତ୍ତନ। ମଙ୍ଗଳବାର ଦିନ କ୍ରିକେଟ ପାଇଁ ନିୟମ ଧାର୍ଯ୍ୟ କରୁଥିବା Marylebone Cricket Club(MCC) ନୂଆ ନିୟମ ବିଷୟରେ ଘୋଷଣା କରିଛି।

ମଙ୍କଡିଂ ଠାରୁ ଆରମ୍ଭ କରି ୱାଇଡ ନିୟମରେ ମଧ୍ଯ ବଡ଼ ପରିବର୍ତ୍ତନ କରିଛି ଏମସିସି। ସେହିପରି ସବୁଦିନ ପାଇଁ ବଲରେ ଲାଳ ମାରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ପୂର୍ବରୁ କରୋନା ପାଇଁ ବଲ୍‌ରେ କୌଣସି ଖେଳାଳି ଲାଳ ମାରି ଆଦୌ ଚିକ୍କଣ କରିପାରିବେ ନାହିଁ ବୋଲି ନିୟମକୁ ପ୍ରଣୟନ କରାଯାଇଥିଲା। ହେଲେ ଏହାକୁ ସ୍ଥାୟୀ ଭାବରେ ନିୟମ କରି ଦିଆଯାଇଛି।

ପୂର୍ବରୁ ମଙ୍କଡିଂକୁ ଅନଫେୟାର ମୋଡ ଅଫ ଡିସମିସାଲ କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ କ୍ରିକେଟର ଆଇନ ୩୮ ମଧ୍ୟରେ ଏହାକୁ ଯୋଡ଼ାଯାଇଛି। ଅର୍ଥାତ ଏହା ରନଆଉଟ ଭଳି ଗଣତି କରାଯିବ। ତେବେ ଏହାର ନାମ ମଙ୍କଡିଂ ଆଉଟ ହିଁ ରହିବ।

ବର୍ତ୍ତମାନ କ’ଣ ସବୁ ପରିବର୍ତ୍ତନ ହୋଇଛି ଜାଣନ୍ତୁ:-

୧। ଯଦି କୌଣସି ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ହେଉଛନ୍ତି, ତେବେ ନୂଆ ବ୍ୟାଟ୍ସମ୍ୟାନ ପରବର୍ତ୍ତୀ ବଲ୍‌ ସାମ୍ନା କରିବେ। ପୂର୍ବରୁ ଯଦି ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ପୂର୍ବରୁ ନନ ଷ୍ଟ୍ରାଇକରେ ଥିବା ଖେଳାଳି ତାଙ୍କୁ କ୍ରସ କରି ଯାଉଛନ୍ତି, ତେବେ ପୁରୁଣା ବ୍ୟାଟ୍ସମ୍ୟାନ ହିଁ ପରବର୍ତ୍ତୀ ବଲ ସାମ୍ନା କରୁଥିଲେ। ତେବେ ନୂଆ ନିୟମ ଓଭରର ଶେଷ ବଲରେ ଲାଗୁ ହେବନାହିଁ।

୨। ମ୍ୟାଚ ସମୟରେ ଯଦି କୌଣସି ବ୍ୟକ୍ତି କିମ୍ବା ପଶୁ ପଡ଼ିଆରେ ପ୍ରବେଶ କରନ୍ତି, ତେବେ ଏହାକୁ ଡେଡ ବଲ ଭାବରେ ବିବେଚନା କରାଯିବ।

୩। ଫିଲ୍ଡିଂ ଦଳର କୌଣସି ଖେଳାଳି ବୋଲିଂ ସମୟରେ ଅଲଗା ସ୍ଥାନକୁ ମୁଭମେଣ୍ଟ କରନ୍ତି କିମ୍ବା ଜାଣିଶୁଣି ଖେଳରେ ବିଭ୍ରାଟ ସୃଷ୍ଟି କରନ୍ତି, ତେବେ ବଡ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ପୂର୍ବରୁ ଏପରି ସ୍ଥିତିରେ ଡେଡ ବଲର ସଙ୍କେତ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ଏଭଳି ଆଚରଣ ପାଇଁ ବ୍ୟାଟିଂ ଦଳକୁ ୫ ରନର ପେନାଲ୍ଟି ଆକାରରେ ମିଳିବ।

୪। କରୋନା ପାଇଁ ବଲ ଉପରେ ଲାଳ ମାରିବାକୁ ସମ୍ପୂର୍ଣ ରୂପରେ ବ୍ୟାନ କରାଯାଇଥିଲା। ବର୍ତ୍ତମାନ ଏହି ନିୟମ ସବୁଦିନ ପାଇଁ ବଳବତ୍ତର ରହିବ।

୫। ଯଦି ବଲ ପିଚର ବାହାରେ ଲ୍ୟାଣ୍ଡ କରୁଅଛି ଓ କୌଣସି ବ୍ୟାଟ୍ସମ୍ୟାନ ଏହାକୁ ଖେଳିବାକୁ ଚେଷ୍ଟା କରୁଛନ୍ତି, ତେବେ ବ୍ୟାଟ୍ସମ୍ୟାନ କିମ୍ବା ବ୍ୟାଟ୍ସମ୍ୟାନଙ୍କର ଯେକୌଣସି ଅଂଶ କ୍ରିଜରେ ରହିଥିବା ଆବଶ୍ୟକ। ଯଦି ଏପରି ନ ହୁଏ, ତେବେ ଏହାକୁ ଡେଡ ବଲ ଘୋଷଣା କରାଯିବ। ସେହିପରି ଯଦି କୌଣସି ବଲ ପିଚ ବାହାରେ ଲ୍ୟାଣ୍ଡ କରୁଅଛି ଓ ବ୍ୟାଟ୍ସମ୍ୟାନ ଏହାକୁ ଖେଳିବାକୁ ଅକ୍ଷମ ହେଉଛନ୍ତି, ତେବେ ଏହାକୁ ନୋ-ବଲ ଭାବରେ ବିବେଚନା କରାଯିବ।

୬। ୱାଇଡ ପାଇଁ ମଧ୍ୟ ଏମସିସି ନୂଆ ନିୟମ ପ୍ରଣୟନ କରିଛିଅ। ଯଦି କୌଣସି ବ୍ୟାଟ୍ସମ୍ୟାନ ଇନୋଭେଟିଭ ଶଟ ଖେଳିବା ପାଇଁ ପ୍ରୟାସ କରନ୍ତି ଓ ବୋଲର ସେହି ଅନୁସାରେ ତାଙ୍କର ପିଛା କରନ୍ତି, ତେବେ ଷ୍ଟମ୍ପ ବଦଳେ ବ୍ୟାଟ୍ସମ୍ୟାନ ପୋଜିସନରୁ ଅମ୍ପାୟାର ୱାଇଡର ରେଞ୍ଜ ମାପିବେ।

ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହି ସବୁ ନିୟମ ଲାଗୁ ହେବ। ଏହା ଉପରେ କେବଳ ଆଇସିସିର ମୋହର ବାଜିବାର ଆବଶ୍ୟକତା ଅଛି। ସାଧାରଣତଃ ଏମସିସି ଦେଉଥିବା ଏହି ପ୍ରସ୍ତାବକୁ ଆଇସିସି ତରଫରୁ ବିନା କୌଣସି ପ୍ରତିବନ୍ଧକରେ ଅନୁମତି ପ୍ରାପ୍ତ କରିଥାଏ।

Leave A Reply

Your email address will not be published.