ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ମେ ମାସରୁ ନୂଆ ସଂସ୍କାର ଆସିବ

0

Get real time updates directly on you device, subscribe now.

ଏଥର ଦେଢ ମାସ ପରିବର୍ତ୍ତେ ସ୍କୁଲର ପିଲାମାନଙ୍କୁ ମାତ୍ର ୧୧ ଦିନର ଗ୍ରୀଷ୍ମ ଛୁଟି ମିଳିବ। ମହାମାରୀ ଦ୍ୱାରା ଦୁଇ ବର୍ଷର ଶିକ୍ଷା କ୍ୟାଲେଣ୍ଡର ଓ ପାଠପଢ଼ା ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ଏଥିରେ ସୁଧାର ଆଣିବା ପାଇଁ ଖରା ଛୁଟିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମାଇଛି। ଏଥିସହିତ ମେ ମାସ ଆରମ୍ଭରୁ ସକାଳୁ ସ୍କୁଲ୍ ସମୟ ମଧ୍ୟ ବଦଳିବ। ସେପଟେ ନୂଆ ସହ ପୁରୁଣା ପାଠ ମଧ୍ୟ ପିଲା ପଢିବେ। ସେହିପରି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ କ୍ଲାସ ପ୍ରମୋସନ ଦିଆଯିବ।

ମେ ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ। ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ନୂଆ ସଂସ୍କାର ଆସିବ। କରୋନା ପାଇଁ ୭୦ ପ୍ରତିଶତ ସିଲାବସରେ ବର୍ତ୍ତମାନ ପାଠ ପଢା ଚାଲିଥିଲା। ଏଣିକି ପିଲାମାନଙ୍କୁ ଶତ ପ୍ରତଶତ ସିଲାବସ ପଢାଯିବ। କେବଳ ସେତିକି ନୁହେଁ ନବମ ଓ ମାଟ୍ରିକ ପରୀକ୍ଷାର୍ଥୀମାନଙ୍କ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ ଲାଗୁ କରାଯିବ। ଶିକ୍ଷାର ମାନ ବଢାଇବା ସହିତ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରିବା ପାଇଁ ଏଭଳି ପଦକ୍ଷେପ ନେବା ପାଇଁ କୁହାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଦେଢ ମାସ ପରିବର୍ତ୍ତେ ମାତ୍ର ୧୧ ଦିନର ଖରାଛୁଟି ହେବ। ଜୁନ୍ ୬ ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ହେବ। ଖରାକୁ ଦୃଷ୍ଟିରେ ରଖି ମେ ୧ ରୁ ଜୁନ ୫ ପର୍ଯ୍ୟନ୍ତ ସକାଳ ୬ ରୁ ୯ଟା ଯାଏ କ୍ଲାସ୍ ହେବ। ଅନ୍ୟପକ୍ଷରେ ନୂଆ କୋର୍ସ ସହିତ ପିଲାମାନଙ୍କୁ ଦୁଇ ବର୍ଷର ପୁରୁଣା ପାଠ ମଧ୍ୟ ପଢାଯିବ। କାରଣ ଗତ ଦୁଇ ବର୍ଷ ହେବ ପିଲାଙ୍କର ପାଠପଢା କରୋନା ପାଇଁ କ୍ଷତିଗ୍ରସ୍ତ ହୋଇଛି।

ସେହିପରି ୨୦ ଏପ୍ରିଲ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ କ୍ଲାସରେ ପ୍ରମୋସନ ଦିଆଯିବ। ୨୦ ରୁ ୩୦ ଏପ୍ରିଲ ମଧ୍ୟରେ ପ୍ରଥମ ରୁ ନବମ ଶ୍ରେଣୀ ପିଲାମାନଙ୍କ ପାଇଁ ଆଡମିଶନ ପ୍ରକ୍ରିୟା ଶେଷ ହେବ। ମେ’ ୧୦ ତାରିଖ ସୁଦ୍ଧା ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା କରାଯାଇ ଦଶମକୁ ଉନ୍ନୀତ କରାଯିବ।

ଅନ୍ୟପଟେ କରୋନାର ମିଟର ନିୟନ୍ତ୍ରଣକୁ ଆସିବା ପରେ ସିବିଏସ୍ଇ ଆସନ୍ତା ବର୍ଷ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା, ମହାମାରୀ ପୂର୍ବ ବର୍ଷ ଗୁଡିକରେ ଯେଭଳି ହେଉଥିଲା ସେପରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ବର୍ଷକୁ ଦୁଇଟି ଟର୍ମ ପରୀକ୍ଷା ବଦଳରେ ଗୋଟିଏ ବୋର୍ଡ ପରୀକ୍ଷା କରାଯିବ। ଯାହାକି ଛାତ୍ରଛାତ୍ରୀମାନଙ୍କର କ୍ୟାରିୟରକୁ ଗଢିବାରେ ଅନେକ ମାତ୍ରାରେ ସହାୟକ ହେବ।

ରାଜ୍ୟର ବୋର୍ଡ ମଧ୍ୟ ସମାନ ରାସ୍ତାରେ ଯାଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ମହାମାରୀର ପ୍ରଭାବ ନ ଥିବାରୁ ଆମେ ସେଦିଗରେ ଅଧିକ ଚିନ୍ତା କରୁଛୁ। ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ସେପଟେ ଗୋଟିଏ ବୋର୍ଡ ପରୀକ୍ଷାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସିବିଏସ୍ଇ ସ୍କୁଲ୍ ଓ ଛାତ୍ରଛାତ୍ରୀମାନେ। ପିଲାଙ୍କୁ ଦୁଇ ବର୍ଷର ପୁରୁଣା ପାଠ ପଢାଇବା ପାଇଁ ବିଭାଗ ଏକ ସ୍ୱତନ୍ତ୍ର ପୁସ୍ତିକା ମଧ୍ୟ ପ୍ରସ୍ତୁତ କରିଛି। ଆବଶ୍ୟକ ସ୍ଥଳେ ଏହି କାର୍ଯ୍ୟକ୍ରମ ବର୍ଷ ତମାମ ଚାଲିବ। ପୁରୁଣା ପାଠ ପଢାଇବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ଘରୋଇ ସଂସ୍ଥା ଚୟନ ପାଇଁ ଏକ ଟେଣ୍ଡର ଡକାଯାଇଛି।

Leave A Reply

Your email address will not be published.