କୁସୁପୁର ଗ୍ରାମର ସେଦିନର କାଳରାତି

0

Get real time updates directly on you device, subscribe now.

ସମ୍ପତ୍ତି ବିବାଦକୁ ନେଇ ହେଲା ବୀଭତ୍ସ ହତ୍ୟା। ରକ୍ତ ସମ୍ପର୍କ ବୁହାଇଲା ରକ୍ତ। ବଇରୀ ସାଜିଲା ମା’ ପେଟର ଜନ୍ମ ହୋଇଥିବା ଭାଇ। ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମର ଗଣହତ୍ୟାର ଏ ନିରାଟ ସତ୍ୟ ବର୍ତ୍ତମାନ ସମସ୍ତଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଦେଇଛି। କେମିତି ଏତେ ନୃଶଂସ ହୋଇପାରେ ମଣିଷ? କେମିତି ଏପରି ଶତ୍ରୁ ପାଲଟି ପାରନ୍ତି ଆତ୍ମ ସଂପର୍କୀୟ? ପାଞ୍ଚ ପାଞ୍ଚଟି ଜୀବନ ନେବା ପାଇଁ ଭାଇ କେମିତି ନର ରାକ୍ଷସ ପାଲଟି ପାରେ? ଏମିତି ମାଳ ମାଳ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଆସୁଛି।

୨୦୨୨ ଏପ୍ରିଲ ୧୧ ତାରିଖ ସୋମବାର ଦିନ ପ୍ରାୟ ୩ଟା। ଅନ୍ୟଦିନ ଭଳି ସେଦିନ ମଧ୍ୟ ଦୁଇ ଭାଇ- ଅଲେଖ ସାହୁ ଓ ଶିବ ସାହୁଙ୍କ ମଧ୍ୟରେ ବଚସା ହୁଏ। ଭାଉଜ ରଶ୍ମିରେଖା ମଧ୍ୟ ଦିଅରକୁ ମନଭରି ଗାଳି ଗୁଲଜ କରନ୍ତି। ଗାଁ ଲୋକ ଦେଖନ୍ତି ଆଉ ନିତିଦିନିଆ ଘଟଣା ଭଳି ସେମାନେ ଚୁପ ରୁହନ୍ତି। କିନ୍ତୁ କଥା ଟିକେ ଧୀରେ ଧୀରେ ଆଗକୁ ବଢ଼େ। ତେଣୁ ଗାଁ ସରପଂଚ ଓ ସମିତି ସଭ୍ୟଙ୍କ ସ୍ୱାମୀମାନେ ଆସି ବୁଝାସୁଝା କରନ୍ତି। କିନ୍ତୁ ବୁଝାସୁଝା କରିବା ପରେ ମଧ୍ୟ ସେଦିନ ଘଟଣା ଏତେ ଉଗ୍ରରୂପ ନେଇଯିବ କେହି କେବେବି ଭାବି ନଥିଲେ। ସାମାନ୍ୟ ସଂପତ୍ତି ବିବାଦର ପରିଣତି ଏତେ କରୁଣ ହୋଇଯିବ ବୋଲି କେହି କେବେ ଚିନ୍ତା କରିନଥିଲେ। କାରଣ ସମ୍ପତ୍ତି କହିଲେ ବାପା କରି ଦେଇ ଯାଇଥିବା ୪ ବଖରା ଘର ସହ ରୋଷେଇ ଓ ଗାଧୁଆ ଘର। କିନ୍ତୁ ଏହି ସମ୍ପତ୍ତିରେ ଭାଇର ଭାଗ ବଣ୍ଟାକୁ ନେଇ ବଂଶ ନିପାତ କରିବା ଭଳି ଚରମ ପଦକ୍ଷେପ ମଧ୍ୟ ନିଆଯାଇ ପାରେ, ତାହା ଥିଲା କଳ୍ପନା ବାହାରେ।

ଉଭୟ ଅଲେଖ ସାହୁ ଓ ଶିବ ସାହୁ ସେହି କୁସୁପୁର ଗାଁର ଗୋଟିଏ ୱାର୍ଡ (୨)ରେ ବିବାହ କରିଛନ୍ତି। ବଡ଼ଭାଇ ଅଲେଖ ସେହି ଗାଁର ରଶ୍ମିରେଖା ପୃଷ୍ଟିଙ୍କୁ ପ୍ରାୟ ୨୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଗୋଟିଏ ସାହିରେ ବିବାହ ହୋଇଥିବା କାରଣରୁ ରଶ୍ମିରେଖାଙ୍କର ବାପଘର ସହ ଭଲ ସଂପର୍କ ନଥିଲା। ସେପଟେ ବଡ଼ ଭାଇର ବିବାହର ପ୍ରାୟ ୬ ବର୍ଷ ପରେ ଅର୍ଥାତ ଆଜିକୁ ପ୍ରାୟ ୧୪ ବର୍ଷ ତଳେ ଶିବ ମଧ୍ୟ ସେହି ସାହିର ସୁନୀତା ସାହୁଙ୍କୁ ପ୍ରେମ ବିବାହ କରି ବିବାହ କରିଥିଲେ। ସେହି ଗୋଟିଏ ସାହିରୁ ପୁଣି ଜଣଙ୍କୁ ବୋହୂ କରିବାକୁ ପରିବାର ଲୋକ ଏଥିରେ ରାଜି ହୋଇନଥିଲେ। ଏହାକୁ ନେଇ ବାପାମାଙ୍କଠାରୁ ଆରମ୍ଭ କରି ବଡ଼ଭାଇ ଓ ଭାଉଜଙ୍କ ସହ ଶିବଙ୍କର ବିବାଦ ହୋଇଥିଲା। ଶିବଙ୍କ ବିବାହ ପରେ ନୂଆ ବୋହୂଙ୍କୁ ଘର ଲୋକ ଠିକ ଭାବରେ ଗ୍ରହଣ କଲେ ନାହିଁ। ରୋଷେଇ ଘରଠାରୁ ନେଇ ଘର ଠାକୁର ଏମିତି କି ଗାଧୁଆ ଘର ମଧ୍ୟ ବ୍ୟବହାର କରିବା ନେଇ ଧୀରେ ଧୀରେ ବିବାଦ ବଢ଼ିବାକୁ ଲାଗିଲା। ୪ ବଖରା ଘରରୁ ମାତ୍ର ଗୋଟିଏ ବଖରା ଶିବକୁ ବ୍ୟବହାର କରିବାକୁ ଦିଆଯାଇଥିଲା। କାରଣ ବଡ଼ ଭାଇର ତିନିଟି ସନ୍ତାନ ଥିବା ବେଳେ ବାପାମା’ ମଧ୍ୟ ବଡ଼ ପୁଅ ନିକଟରେ ରହୁଥିଲେ। ସେପଟେ ଶିବର ଝିଅଟିଏ ହେବା ପରେ ସେ ପାଖ ଗାଁରେ ଶ୍ୱଶୁର ଘର ସହାୟତାରେ ଭଡ଼ା ଘରଟିଏ ନେଇ ପରିବାର ସହିତ ରହିଲେ। କିନ୍ତୁ ସମୟେ ସମୟେ ରାତିରେ ଆସି ନିଜ ପୈତୃକ ଘର କୁସୁପୁର ତେଲି ସାହିରେ ଆସି ସେ ଶୁଅନ୍ତି।

ଦୁଇ ଭାଇଙ୍କ ମଧ୍ୟରେ ବଚସା କି ବିବାଦର ଅନ୍ତ ଘଟେ ନାହିଁ। ମାମଲା ଗାଁ ନିଷାପଠାରୁ ନେଇ ଥାନା ପର୍ଯ୍ୟନ୍ତ ଯାଏ। ଉଭୟ ଉଭୟଙ୍କ ନାଁରେ ଥାନାରେ ଏକାଧିକ ଅଭିଯୋଗ ମଧ୍ୟ କରିଛନ୍ତି। ଏମିତିକି ବଡ଼ଭାଇ ଅଲେଖଙ୍କ ନାଁରେ ଭାଇବୋହୂ (ଶିବଙ୍କ ପିତ୍ନୀ)ଙ୍କୁ ଅସଦାଚରଣ ଭଳି ଅଭିଯୋଗ ମଧ୍ଯ ଆସିଥିଲା। ଶିବ ନିଜେ ଏହି ଅଭିଯୋଗ କରିଥିଲେ। ଏହି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା ମଧ୍ୟ ଆହୁରି ବଢ଼ିଥିଲା।ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା ବାପାଙ୍କର ପେନ୍‌ସନ ଟଙ୍କାକୁ ନେଇ ମଧ୍ୟ ଥିଲା। କାରଣ ପୂରା ପେନ୍‌ସନ୍‌ ଟଙ୍କା ବଡ଼ ଭାଇ ନେଇଯାଉଥିଲେ। ଏମିତି କି ବାପାଙ୍କ ଅନ୍ତେ ମା’ ପାଉଥିବା ପେନ୍‌ସନ୍ ଟଙ୍କା ମଧ୍ୟ ବଡ଼ ଭାଇ ନେଇ ଯାଉଥିଲେ। ପୁଣି ଅନ୍ୟ ଘରେ ଡ୍ରାଇଭର କାମ କରି ଚଳୁଥିବା ଶିବଙ୍କ ଅପେକ୍ଷା ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଅଲେଖଙ୍କୁ ବାପାମା’ ଅଧିକ ଭଲ ପାଉଥିଲେ। ଆଉ ଏହି ପାତରଅନ୍ତର ଶିବଙ୍କ ପାଇଁ ଅସହ୍ୟ ଥିଲା।

୩/୪ ମାସ ତଳେ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଆହୁରି ଘନୀଭୂତ ହେବାକୁ ଲାଗିଲା। ସେତେବେଳେ ସେମାନଙ୍କ ମା’ ଚାଲି ଯାଇଥିଲେ। ଆଉ ତାଙ୍କର ଶୁଦ୍ଧିକ୍ରିୟାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଥିଲା। ଅଲେଖଙ୍କର ପତ୍ନୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ଶିବ ଓ ତାଙ୍କର ପତ୍ନୀ। କାରଣ ଅଲେଖଙ୍କ ନାଁରେ ଭାଇବୋହୂଙ୍କୁ ଅସଦାଚରଣ ନେଇ ଥାନାରେ ଦିଆଯାଇଥିବା ଏତଲାକୁ ସେ ଭୁଲିନଥିଲେ।

ଭାଇଭାଉଜଙ୍କର ଅତ୍ୟାଚାର ଓ ବାପା ଦେଇଯାଇଥିବା ଘରକୁ ସଂପୂର୍ଣ୍ଣ ଭାବରେ ମାଡ଼ିବସିବାର କ୍ରୋଧରେ ଜର୍ଜରିତ ହେଉଥିଲେ ଉଭୟ ଶିବ ଓ ତାଙ୍କର ସ୍ତ୍ରୀ। ଘଟଣା ଦିନ ଅର୍ଥାତ ଏପ୍ରିଲ ୧୧ ତାରିଖ ରାତିରେ ଶୋଇବା ପାଇଁ ଭଡ଼ା ଘରୁ କୁସୁପୁର ଘରକୁ ଆସନ୍ତି ଶିବ ଓ ତାରଙ୍କ ପୂରା ପରିବାର। ତାଙ୍କ ସ୍ତ୍ରୀ ଓ ଝିଅ ସେଦିନ ଆସିଥିବା ସ୍ଥାନୀୟ ଲୋକ ଦେଖିଛନ୍ତି। ଏମିତିକି ରାତି ପ୍ରାୟ ୧୦ଟା ସମୟରେ ମା’ ଝିଅ ଚାଲି ଚାଲି ଯାଉଥିବାର କିଛି ଗ୍ରାମବାସୀ ଦେଖିଛନ୍ତି ବୋଲି କହିଛନ୍ତି। ରାତିରେ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିବା ଗାଁ ଲୋକ ଶୁଣିଥିଲେ। କିନ୍ତୁ ଏହାକୁ କେହି ଗୁରୁତର ସହ ନେଇନଥିଲେ। ଘରର ୪ କାନ୍ଥ ଭିତରେ କଣ ଘଟିଲା କେହି ଜାଣି ପାରିଲେ ନାହିଁ। କିଛି ଲୋକ କେବଳ ପାଟି ତୁଣ୍ଡ ହେଉଥିବାର ଶୁଣିଛନ୍ତି।

”ସୁନା ଗହଣା ନେଇ ଯା, କିନ୍ତୁ ମୋତେ ଛାଡ଼ି ଦେ” ବୋଲି ଅଲେଖଙ୍କର ପତ୍ନୀ ନେହୁରା ହେଉଥିବାର କିଛି ଲୋକ ଶୁଣିଥିବା କଥା କହୁଛନ୍ତି। ଯଦିଓ ଅଭିଯୁକ୍ତ ଶିବ ପ୍ରଥମେ ଭାଉଜକୁ ମାରିଥିବା କଥା ପୋଲିସକୁ ବୟାନ ଦେଇଛି। କିନ୍ତୁ କିଛି ଗ୍ରାମବାସୀଙ୍କ କହିବା କଥା, ଭାଉଜ କହୁଥିଲା “ଭାଇକୁ ତ ମାରିଲୁ, ସବୁ ଘରବାଡ଼ି, ସୁନା ଗହଣା ନେଇ ମତେ ଓ ମୋ ପିଲାଙ୍କୁ ଛାଡ଼ି ଦେ।“ ଲୋକ ଏମିତି ମଧ୍ୟ କହୁଛନ୍ତି, ’ଦାଦା ଆମକୁ ଛାଡ଼ି ଦିଅ ବୋଲି’ ଛୁଆମାନେ ଚିତ୍କାର କରି କାନ୍ଦୁଥିବାର ଶବ୍ଦ ଶୁଣିବାକୁ ପାଇଛନ୍ତି। ରାତି ପ୍ରାୟ ସାଢ଼େ ୩ ରୁ ୪ଟା ମଧ୍ୟରେ ଏ ସବୁ ଶବ୍ଦ ବନ୍ଦ ହୋଇଯାଇଥିଲା। ନାଁ କିଛି କାନ୍ଦଣା ଶୁଭିଲା, ନାଁ କିଛି ଚିତ୍କାର।

ରାତି ପାହିଗଲା। ଭୋର ୫ଟା ବେଳକୁ ଗାଁ ଦାଣ୍ଡ ଧୀରେ ଧୀରେ ଚଳଚଞ୍ଚଳ ହୋଇ ଉଠିଥିଲା। କିନ୍ତୁ ସେଦିନ କାଳ ରାତିରେ କିଏ କଣ ଶୁଣିଛନ୍ତି କେହି କିଛି କହୁନଥିଲେ। ଗାଁ ଦାଣ୍ଡରେ ଟୁପୁରୁ ଟାପୁର ହେଉଥିଲା। କିନ୍ତୁ କେହି ସାହସ କରି ରାତିର ଘଟଣା କାହାରିକୁ କହୁନଥିଲେ।

ରାତି ପାହିଲେ ନଦୀ କୂଳକୁ ଶୌଚ କରିବାକୁ ଯାଉଥିବା ତଥା ନଦୀରେ ଗାଧେଇକି ଆସୁଥିବା ଶିବ ସେଦିନ ସକାଳ ସାଢ଼େ ୮ଟା ବେଳକୁ ଘରୁ ଗାଧେଇ ପାଧେଇ ସଫା ପ୍ୟାଣ୍ଟ ସାର୍ଟ ପିନ୍ଧି ବାହାରିଥିଲା। ଭଲ ମଣିଷ ପରି ଘରେ ତାଲା ମଧ୍ୟ ପକାଇଥିଲା। କିନ୍ତୁ ତାହା ଲୋକମାନଙ୍କୁ ଟିକେ ଅଡୁଆ ଲାଗିଥିଲା। କିଛି ଗାଁ ଲୋକ ପଚାରିଲେ, ଅଲେଖ କୁଆଡ଼େ ଗଲା? “ମୁଁ ତାଙ୍କୁ ବାହାରକୁ ପଠାଇ ଦେଇଛ” ଉତ୍ତର ଦେଇଥିଲା ଶିବ। ଲୋକଙ୍କ ସନ୍ଦେହ ଆହୁରି ବଢ଼ିଲା। କ’ଣ ହେଲା କି ସମସ୍ତଙ୍କର? ହେଲେ କେହି ସେତେବେଳକୁ ଜାଣି ନଥା’ନ୍ତି ଯେ ଶିବ ସଇତାନ ସାଜି ବଡ଼ଭାଇର ପୂରା ପରିବାରକୁ ଶବ କରି ସାରିଥାଏ। ସେ କିଛି ନ ଜାଣିଲା ପରି ଘର ପାଖ ଦୋକାନକୁ ଯାଇ ଜଳଖିଆ ମଧ୍ୟ ଖାଇଥିଲା। ତା’ପରେ ଆଉ ଦୁଇଟା ଗୁଟଖା ପ୍ୟାକେଟ କିଣି କୁଆଡ଼େ ବାହାରି ଯାଇଥିଲା।

ସେତେବେଳକୁ ଦିନ ପ୍ରାୟ ୯ଟା। ସନ୍ଦେହ ଆହୁରି ବଢ଼ି ଯାଇଥିଲା। ସବୁବେଳେ ଚଳଚଞ୍ଚଳ ରହୁଥିବା ଅଲେଖଙ୍କ ଘରଟା କାହିଁକି ହଠାତ୍ ନିରବ ହୋଇଯାଇଛି। ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା। କାରଣ ସକାଳୁ ସକାଳୁ ଅଲେଖ ପାନ ଦୋକାନ ଖୋଲନ୍ତି। ରଶ୍ମିରେଖା ଗାଁର ଝିଅ ହୋଇଥିବାରୁ ତାଙ୍କର ବେଶ ବଡ଼ପାଟିଆ। ତେଣୁ ତାଙ୍କ ପାଟିତୁଣ୍ଡ ସକାଳୁ ସକାଳୁ ସମସ୍ତଙ୍କ କାନରେ ପଡ଼େ। ପୁଣି ଘରେ ଥିଲେ ତିନି ତିନୋଟି ପାଠ ପଢୁଆ ଛୁଆ। ସକାଳ ୮ଟା ପର୍ଯ୍ୟନ୍ତ କାହିଁକି ବା ସେମାନେ ସମସ୍ତେ ଶୋଇ ରହିବେ?

ଏମିତି ତମାମ ପ୍ରଶ୍ନ ଭିତରେ ସମିତି ସଭ୍ୟଙ୍କର ସ୍ୱାମୀ ଓ କିଛି ଗାଁ ଲୋକ ଅଲେଖଙ୍କ ଘରେ କ’ଣ ଘଟିଛି ଜାଣିବାକୁ ଚେଷ୍ଟା କରୁଥା’ନ୍ତି। ଠିକ ଏତିକି ବେଳେ ଶିବର ୩୨ ସେକେଣ୍ଡର ଭିଡିଓ ଆସିଲା। ପ୍ରଥମେ ସରପଂଚ ଓ ପରେ ସମିତି ସଭ୍ୟଙ୍କ ସ୍ୱାମୀଙ୍କ ମୋବାଇଲକୁ ସେ ଭିଡ଼ିଓ ପଠାଇଥିଲା। ତିନି ପୁତୁରା ଓ ଝିଆରୀଙ୍କ ସମେତ ବଡ଼ ଭାଇ ଓ ଭାଉଜ ତାକୁ ଗାଳି ଗୁଲଜ କରିବା ସହିତ ମାଡ଼ ମାରିବାରୁ ମାନସିକ ଭାରସାମ୍ୟନ୍ୟ ହରାଇ ସେ ୫ ଜଣଙ୍କୁ ହତ୍ୟା କରିଥିବା ଏହି ଭିଡିଓରେ କହିଥିଲା। ତା’ସହିତ ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଥିବା କଥା ମଧ୍ୟ କହିଥିଲା।

ବିଜୁଳି ବେଗରେ ଏହି ଖବର ପ୍ରସାରଣ ହେବା ପରେ ଗାଁ ଦାଣ୍ଡରେ ପାଦ ଥୋଇବାକୁ ମଧ୍ୟ ଜାଗାନଥିଲା। କୁସୁପୁର ଗାଁ ଲୋକାରଣ୍ୟ ହୋଇଗଲା। ଆଉ ପୋଲିସ କବାଟ ଭାଙ୍ଗି ଯାହା ଦେଖିଲା, ତାହା ବିଶ୍ୱାସ କରି ହେବନାହିଁ। ଘରେ ପଡ଼ିଥିଲା ୫ଟି ରକ୍ତାକ୍ତ ମୃତଦେହ। କଟୁରୀରେ ସେମାନଙ୍କୁ ମରା ଯାଇଥିଲା ଚୋଟ। ଘର ଭିତରେ ଛୁଟିଥିଲା ରକ୍ତର ସୁଅ। ତାକୁ ବର୍ଣ୍ଣାନା ମଧ୍ୟ କରି ହେବନାହିଁ। ଖଟ ଉପରେ ରକ୍ତ ଜୁଡୁବୁଡୁ ହୋଇ ଅଲେଖ ପଡ଼ି ରହିଥିଲା, ତାଙ୍କ ସ୍ତ୍ରୀ ଓ ସାନ ପୁଅର ଶବ। ତଳେ ପଡ଼ିଥିଲା ଆଉ ଦୁଇ ଛୁଆ (ବଡ଼ ପୁଅ ଓ ଝିଅ) ଙ୍କର ରକ୍ତାକ୍ତ ଶରୀର। ଓଃ, କି କରୁଣ, ବୀଭତ୍ସ ଓ ଲୋମଟାଙ୍କୁରା ସେ ଦୃଶ୍ୟ! ରାତି ମଧ୍ୟରେ ଶେଷ ହୋଇଗଲା ଏକ ହସଖୁସିର ପରିବାର। ପାଞ୍ଚ ପାଞ୍ଚଟି ଜୀବନ ଦୀପ ଲିଭିଗଲା।

ବର୍ତ୍ତମାନ ଘଟଣାର ସରଜମିନ ପୋଲିସ ତଦନ୍ତ କରୁଛି। ଅଭିଯୁକ୍ତ ଶିବକୁ ନେଇ କ୍ରାଇମ ସିନ ରିକ୍ରିଏଟ୍‌ କରିଛି। ପୋଷ୍ଟମର୍ଟମ ରିପୋର୍ଟ ସହିତ ଭିସେରା ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇଛି। ସାଇଣ୍ଟିଫିକ୍ ରିପୋର୍ଟରୁ ମଧ୍ୟ ପୋଲିସ ସୁରାକ ଖୋଜୁଛି। କିନ୍ତୁ ଗୋଟିଏ ଲୋକ କେମିତି ୫ ଜଣଙ୍କୁ ଗୋଟିଏ ଘରେ ରହି ମାରିପାରିଲା ତାକୁ ନେଇ ସନ୍ଦେହ ଧୀରେ ଧୀରେ ବଢ଼ିବାରେ ଲାଗିଛି। କାହିଁକି କେହି ପ୍ରତିରୋଧ କରିଲେ ନାହିଁ? କାହିଁକି କେହି ବଡ଼ ପାଟିରେ ଚିତ୍କାର କରିଲେ ନାହିଁ? କାହିଁକି କେହି ଘଟଣାସ୍ଥଳରୁ ଖସି ଯିବା ପାଇଁ ପ୍ରୟାସ କରିଲେ ନାହିଁ? ତାକୁ ନେଇ ଅସମାହିତ ପ୍ରଶ୍ନ ସୃଷ୍ଟି ହୋଇଛି।

Leave A Reply

Your email address will not be published.