ମୋ ବାପା ମୋ ପ୍ରେମିକର ଜୀବନ ନେଇଗଲେ, ମୋ ପ୍ରେମ ମୋ ଠାରୁ ସବୁଦିନ ପାଇଁ ଦୂରେଇ ଗଲା । ମୋ ଧନର ଜୀବନ ଚାଲିଗଲା, ମୁଁ ଏବେ କଣ କରିବି । ମୁଁ ମୋ ଧନ ବିନା ବଞ୍ଚି ପାରିବିନି । ସେ ମୋ ଦୁନିଆଁ, ଯେଉଁଠି ସେ ନାହିଁ ସେଠି ମୁଁ କେମିତି ରହିବି । ମୋ ଧନ ଆଉ ନାହିଁ । ପ୍ରେମ କରିବା ଜଣେ ଯୁବକଙ୍କ ଉପରେ ଭାରି ପଡ଼ିଗଲା । ପ୍ରେମିକାର ବାପା ପ୍ରେମିକକୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ହତ୍ୟାକାଣ୍ଡ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବାବେଳେ ଏହି ଘଟଣାରେ ସଂପୃକ୍ତ କାହାରିକୁ ଗିରଫ କରାଯାଇନାହିଁ । ଏପରି ଘଟଣା ନିମାପଡ଼ା ଥାନା ଭିଲ୍ଲି ଗ୍ରାମରେ ଦେଖିବାକୁ ମିଳିଛି ।
ବଳରାମ ସେନାପତିଙ୍କ ପୁଅ ଅନବ କୁମାର ସେନାପତି ଭୁବନେଶ୍ଵରର ଗୋଟିଏ କମ୍ପାନୀରେ ଚାକିରି କରିଥିବାବେଳେ ନିଜ ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବତୀଙ୍କ ବାପା ପ୍ରେମିକ ଅନବ କୁମାରଙ୍କୁ ହତ୍ୟାର ଧମକ ଦେଇ ଆସୁଥିଲେ । ଗତକାଲି ଅନବଙ୍କ ମୃତ ଦେହ ପ୍ରେମିକାର ଘର ନିକଟସ୍ଥ ଏକ ଆମ୍ବ ଗଛ ମୂଳରୁ ମିଳିଛି । ବର୍ତ୍ତମାନ ନିମାପଡ଼ା ଥାନା ପୋଲିସ ପହଞ୍ଚି ଶବକୁ ଜଗି ରହିଥିବା ବେଳେ ପୋଲିସ ସାଇଣ୍ଟୀଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କଲା ପରେ ଶବ ବ୍ୟବଚ୍ଛେଦ କରାଯାଇ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଛି ।
ତେବେ ଅନବଙ୍କ ଦାଦା ସନ୍ତୋଷ ସେନାପତିଙ୍କ ଅଭିଯୋଗ ଆଧାରରେ ପୋଲିସ ସଂପୃକ୍ତ ପ୍ରେମିକା ଏବଂ ତାର ବାପା ସମୀର, ଭାଇ, ମା ଏବଂ ଜେଜେ ନାମରେ ମାମଲା ରୁଜ୍ଜୁ କରିଥିବାବେଳେ ଘଟଣାକୁ ନେଇ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ଯେକୌଣସି ମୁହୂର୍ତ୍ତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବେ ବୋଲି ଆଶଙ୍କା କରାଯାଇଛି ।
ଗ୍ରାମବାସୀ କହିଛନ୍ତି ଯେ ସେମାନେ ରାତିରେ ଖୋଜିକି ନ ପାଇବା ପରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରିଥିଲେ । ସେଥିପାଇଁ ଯେତେବେଳେ ଫୋନ୍ ସ୍ୱିଚ ଅଫ ଥିଲା, ସେତେବେଳେ ଘର ଲୋକ ଖୋଜିବା ପରେ ତାକୁ ନ ପାଇବାରୁ ଯେଉଁଠି ପ୍ରେମିକ ବସା ଉଠା କରନ୍ତି ସେଠି ମଧ୍ୟ ଦେଖିଲେ, ସେତେବେଳେ ତାର ପାଖ ଗଡିଆକୁଳ ଆମ୍ବ ଗଛ ପାଖରେ ତାକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିଲା । ଗ୍ରାମବାସୀ କହିଛନ୍ତି ଯେ ଅପରାଧୀକୁ ଉଚିତ୍ ଦଣ୍ଡ ମିଳିବା ଦରକାର ଏବଂ ନ୍ୟାୟ ଦରକାର୍ ।