ଦିନ କୁ ଦିନ ବଢିବାକୁ ଲାଗୁଛି ଟମାଟୋ ଫ୍ଲୁ ମାମଲା : କେମିତି ଦୁରେଇ ରହିବେ ଏହି ରୋଗଠାରୁ ?

0

Get real time updates directly on you device, subscribe now.

କରୋନାକୁ ନେଇ ଭୟ ଯାଇନଥିବା ବେଳେ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ । ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛି ଛୋଟ ଛୋଟ ପିଲା ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶେଷ କରି ୫ ବର୍ଷରୁ କମ୍ ବୟସର ପିଲା ଏହି ରୋଗର ଶିକାର ହେଉଛନ୍ତି । କେରଳରେ କୋଲ୍ଲମ ଜିଲ୍ଲାରେ ଟମାଟୋ ଫ୍ଲୁ ମାମଲା ଦିନ କୁ ଦିନ ବଢିବାରେ ଲାଗିଛି । ସୂଚନା ଅନୁସାରେ ସେଠାରେ ପ୍ରାୟ ୮୨ ଜଣ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ଉପରେ ସତର୍କ ନଜର ରଖିଛନ୍ତି ତାମିଲନାଡୁ ଓ କର୍ଣ୍ଣାଟକ ସରକାର । ଓଡ଼ିଶା ମଧ୍ୟ ଏବେ ଏହା ଉପରେ ସତର୍କ ଦୃଷ୍ଟି ରହିଛି ।

ସ୍ୱାସ୍ଥ୍ୟ ବିଭାଗ ଏ ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କରୋନା ଭଳି ଏହା ଏକ ଭୂତାଣୁଜନିତ ସଂକ୍ରାମକ ରୋଗ ହୋଇଥିବାରୁ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯିବ । ୫ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଯାଉଥିବାରୁ କିଭଳି ସତର୍କତା ଅବଲମ୍ବନ କରାଯାଇପାରିବ ସେ ନେଇ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । ଏହା ଭୂତାଣୁଜନିତ ଓ ବାୟୁବାହିତ ରୋଗ । ହାତ, ପାଦ ଓ ମୁହଁରେ ନାଲି ନାଲି ଫଳିଯାଇ ଜ୍ୱର ହୁଏ । ପାଦ ତଳିପାରେ, ଆଣ୍ଠୁ, ଛାତି ଓ ପିଠିରେ ମଧ୍ୟ ଫଳିଯାଏ । ସେଥିପାଇଁ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଉଛି ।

ଗଳା ଦରଜ, ସର୍ଦ୍ଦି, କାଶ ଓ ନାକରୁ ପାଣି ବାହାରିପାରେ । ବେଳେ ବେଳେ ଭୀଷଣ ଜ୍ୱର ମଧ୍ୟ ହୋଇପାରେ । ଦେହ-ହାତ ଘୋଳାବିନ୍ଧା, କ୍ଲାନ୍ତ ଓ ଅବଶ ଲାଗିପାରେ । ସୁସ୍ଥ ହେବା ପାଇଁ ଗୋଟିଏ ସପ୍ତାହ ଲାଗିପାରେ । ନିର୍ଦ୍ଦିଷ୍ଟ ଚିକିତ୍ସା ନଥିବାରୁ ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ । ସଂକ୍ରାମକ ହୋଇଥିବାରୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖିବାକୁ ପରାମର୍ଶ । କୌଣସି ପିଲାଠାରେ ଏହି ରୋଗର ଲକ୍ଷଣ ଦେଖାଦେଲେ, ଅନ୍ୟ ପିଲାଙ୍କ ସହ ନମିଶାଇ ସଙ୍ଗରୋଧରେ ରଖିବା ଉଚିତ୍ । ୧୨ ବର୍ଷର ପିଲାଙ୍କୁ ବି ଏହି ରୋଗ ହେବାର ଦେଖାଯାଉଛି ।

ତେବେ ପ୍ରଥମ ଅବସ୍ଥାରେ ଏହାର କିଛି ଘରୋଇ ଉପଚାର ଅଛି । ଯାହା ଆମେ ଆପଣଙ୍କୁ କହିବୁ । ଏହି ଟମାଟୋ ଫ୍ଲୁରୁ ରକ୍ଷା ପାଇବା ପାଇଁ ଆପଣଙ୍କ ଘର ଭିତର ଏବଂ ଚାରିପାଖକୁ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ । ଯଦି ଶିଶୁର ଶରୀରରେ ଲାଲ ରଙ୍ଗର ଦାଗ ହୋଇଯାଏ ତେବେ ତାଙ୍କୁ କୁଣ୍ଡେଇବାକୁ ଦିଅନ୍ତୁନାହିଁ । ଆଉ ସେଥିପାଇଁ ନିମ୍ବ ପତ୍ର ବ୍ୟବହାର କରିବା ସବୁଠାରୁ ଭଲ ରହିବ । ଫ୍ଲୁ ସଂକ୍ରମିତଙ୍କ ଠାରୁ ନିଜ ପିଲାଙ୍କୁ ଦୂରେଇ ରଖନ୍ତୁ ଏବଂ ସେମାନଙ୍କ ଜିନିଷ ବ୍ୟବହାର କରନ୍ତୁନାହିଁ । ଗ୍ରୀଷ୍ମ ଋତୁରେ ପିଲାଙ୍କ ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ । ନିୟମିତ ବ୍ୟବଧାନରେ ଫଳ ରସ ପିଇବାକୁ ଦିଅନ୍ତୁ । ତେବେ ସ୍ବାସ୍ଥ୍ୟ ବିଭାଗ ଏହାକୁ ନେଇ ଲୋକ ମାନଙ୍କୁ ବେଶୀ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.