ଯୁଦ୍ଧ ବନ୍ଦ କରିବା ପାଇଁ ୩ ସର୍ତ୍ତ ରଖିଲେ ପୁଟିନ, ଆଉ ଯଦି ଏହି ୩ ସର୍ତ୍ତକୁ ମାନିବ ୟୁକ୍ରେନ,ତା ହେଲେ ଫସିଯିବ !

0

Get real time updates directly on you device, subscribe now.

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ୧୩ ଦିନରେ ପହଞ୍ଚିଥିବା ସମୟରେ ରୁଷ ଯୁଦ୍ଧ ବନ୍ଦ କରିବାକୁ ୟୁକ୍ରେନ ସମ୍ମୁଖରେ ୩ଟି ସର୍ତ୍ତ ରଖିଛି। ସେଥିରେ କୁହାଯାଇଛିକି ୟୁକ୍ରେନ ପ୍ରଥମେ ତାର ସାମରିକ କାର୍ଯ୍ୟକଳାପ ବନ୍ଦ କରିବା ସହ ନିରପେକ୍ଷତା ବଜାୟ ରଖିବା ପାଇଁ ସମ୍ବିଧାନରେ ପରିବର୍ତ୍ତନ କରୁ। ଯାହାଫଳରେ ୟୁକ୍ରେନ ନାଟୋ କିମ୍ବା ଅନ୍ୟ କୌଣସି ସଙ୍ଗଠନରେ ଆଦୌ ସାମିଲ ହୋଇପାରିବ ନାହିଁ। ଦ୍ୱିତୀୟରେ କ୍ରିମିଆକୁ ରୁଷ ଅଞ୍ଚଳ ଭାବରେ ଗ୍ରହଣ କରୁ ଏବଂ ତୃତୀୟରେ ଡୋନସ୍କ ଓ ଲୁହାଂସ୍କକୁ ସ୍ୱାଧୀନ ରାଷ୍ଟ୍ର ଭାବରେ ମାନ୍ୟତା ଦିଆଯାଉ। ଏଥିସହ ରୁଷ ସୋମବାର ଦିନ ନିଜ ଆଡୁ ୪ ସହର ପାଇଁ ଯୁଦ୍ଧବିରତି ଘୋଷଣା କରିଛି। ଏହି ସହର ମଧ୍ୟରେ ରହିଛି ରାଜଧାନୀ କିଏଭ ସମେତ ଖାରକିଭ, ମାରିଉପଲ ଓ ସୁମି। ମସ୍କୋ ସମୟ ସକାଳ ୧୦ଟା (ଭାରତୀୟ ସମୟ ଦିନ ୧୨ଟା ୩୦)ରୁ ଏହି ଯୁଦ୍ଧବିରତିକୁ ଲାଗୁ ହୋଇଛି। ଏହା ୧୧ ଘଣ୍ଟା ଧରି ଜାରି ରହିବ। ଏହି ସମୟରେ ଏସବୁ ସହରରେ ଫସିଥିବା ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ମାନବୀୟ କରିଡରର ପ୍ରତିଷ୍ଠା ହେବ। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କର ବ୍ୟକ୍ତିଗତ ଅନୁରୋଧକୁ ରକ୍ଷା କରି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଆଡୁ ଯୁଦ୍ଧବିରତି ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଏସବୁ କରିଡର କେବଳ ରୁଷ ଓ ବେଲାରୁଷ ସୀମା ପର୍ଯ୍ୟନ୍ତ ପ୍ରତିଷ୍ଠା ହୋଇଥିବା କାରଣରୁ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ୟୁକ୍ରେନ କହିଛି। କାରଣ ଏସବୁ ସହରରୁ ବାହାରୁଥିବା ଲୋକମାନେ କେବଳ ରୁଷର ସୀମା କିମ୍ବା ବେଲାରୁଷ ସୀମାକୁ ଯାଇପାରିବେ।

ପୂର୍ବରୁ ଗତ ଶନିବାର ଦିନ ବନ୍ଦର ନଗରୀ ମାରିଉପଲ ଓ ପୂର୍ବାଞ୍ଚଳ ସହର ବୋଲନବଖାରେ ୬ ଘଣ୍ଟିଆ ଯୁଦ୍ଧବିରତି ପାଇଁ ରୁଷ ଘୋଷଣା କରିଥିଲା। କିନ୍ତୁ ସେହି ସମୟରେ ଦୁଇ ସହରରେ ଫସିଥିବା ଲୋକମାନେ ଯିବା ଆସିବା ପାଇଁ ପ୍ରୟାସ କରିବା ସମୟରେ ରୁଷର ସୈନ୍ୟମାନେ ଗୋଳାମାଡ଼ ଆରମ୍ଭ କରିଦେଇଥିଲେ। ଫଳରେ ଯୁଦ୍ଧବିରତି ସମ୍ପୂର୍ଣ ରୂପରେ ବିଫଳ ହୋଇଥିଲା। ତେବେ ଏହି ବିଫଳତା ପାଇଁ ଉଭୟ ରୁଷ ଓ ୟୁକ୍ରେନ ପରସ୍ପରକୁ ଦୋଷାରୋପ କରିଥିଲେ। ଏହା ପୂର୍ବରୁ ଆଜି ସକାଳେ ରୁଷର ସେନା ମାରିଉପଲ, ଚର୍ନିହିବ, ମିକୋଲେଭ, ଖାରକିଭ୍‌ ଓ ଇରପିନ୍‌ରେ ବୋମାମାଡ଼ କରିଥିଲା। ଏସବୁ ଅଞ୍ଚଳରେ ବହୁ ଅଟ୍ଟାଳିକା, ବ୍ରିଜ, ସ୍କୁଲ ଓ ହସ୍ପିଟାଲକୁ ମଧ୍ୟ ଧ୍ୱଂସ କରିଦିଆଯାଇଛି। ଅନ୍ୟପକ୍ଷରେ ରୁଷର ସୈନ୍ୟମାନେ କେବଳ ଖେରସନ ସହର ଦଖଲ କରିବା ସହିତ ଜାପୋରିଜଝିଆ ଆଣବିକ ପ୍ଲାଣ୍ଟକୁ ନିଜ କବ୍‌ଜାକୁ ନେଇଛନ୍ତି। ଏହାଛଡ଼ା ସେମାନେ ଅନ୍ୟ କୌଣସି ସହରକୁ ବର୍ତ୍ତମାନ ପର୍ଯ୍ୟନ୍ତ କବଜା କରିପାରି ନାହାନ୍ତି। ରୁଷ ତରଫରୁ ଗତକାଲି କିଏଭ ନିକଟ ମାକାରିଭରେ ଏୟାର ଷ୍ଟ୍ରାଇକ ଜାରୀ କରାଯାଇଛି।

ଏକ ବେଡ ପ୍ରସ୍ତୁତ କାରଖାନାରେ ବୋମାମାଡ଼ ଯୋଗୁ ୧୩ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେପଟେ ୟୁକ୍ରେନ ସୈନ୍ୟବାହିନୀ ଦାବି କରିଛିକି ଗତ ରାତିରେ ଖେରସନ ନିକଟ ଚୋର୍ଣ୍ଣୋବୈକା ବିମାନବନ୍ଦର ଅଭିମୁଖେ ଉଡ଼ାଣ କରୁଥିବା ରୁଷର ୩୦ଟି ହେଲିକପ୍ଟରକୁ ସେମାନେ ଖସାଇ ଦେଇଛନ୍ତି। ଏହା ସହ ଖାରକିଭ ନିକଟ ଚୁହୁଇଭ୍‌ ସହରକୁ ପୁଣିଥରେ ନିଜର ଦଖଲକୁ ନେଇଛନ୍ତି। ଏଠାରେ ଚାଲିଥିବା ସଂଘର୍ଷରେ ରୁଷର ଦୁଇଜଣ ସେନା କମାଣ୍ଡର ଲେଫ୍ଟନାଣ୍ଟ କର୍ଣ୍ଣେଲ ଡିମିଟ୍ରି ସାଫ୍ରୋନୋଭ୍‌ ଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ଡେନିସ ଗ୍ଲେବୋଭଙ୍କର ମୃତ୍ୟୁ ଘଟିଛି। ସେହିଭଳି ୟୁକ୍ରେନ ସେନା ଦେଶର ସର୍ବବୃହତ ବନ୍ଦର ଓଡେଶାକୁ ଜଗି ରହିଛନ୍ତି। କୃଷ୍ଣ ସାଗରକୁ ଆସିଥିବା ରୁଷର ବାସିଲୀ ବୈକୋଭ୍‌ ନାମକ ଏକ ଜାହାଜକୁ ସେମାନେ ଗୁଳିମାଡ଼ କରିଥିଲେ। ଫଳରେ ଜାହାଜଟି ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଯାଇଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଓ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କାର୍ଯ୍ୟ ଉପରେ ସେ ଜୋର ଦେଇଛନ୍ତି। ୱାର ଜୋନ୍‌ରୁ ଭାରତୀୟ ମାନଙ୍କୁ ଉଦ୍ଧାର କରିବା ପାଇଁ ସେ ସହଯୋଗ ଲାଗି କହିଛନ୍ତି। ଯୁଦ୍ଧବିରତି ଏବଂ ମାନବୀୟ କରିଡର ପ୍ରସ୍ତୁତି ନିମନ୍ତେ ରୁଷର ଏହି ପଦକ୍ଷେପକୁ ମୋଦି ପ୍ରଶଂସା କରିଛନ୍ତି। ପୁଟିନଙ୍କ ସହ ମୋଦି ପ୍ରାୟ ୫୦ ମିନିଟ୍‌ ଧରି କଥା ହୋଇଛନ୍ତି। ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ ସିଧାସଳଖ ଭାବରେ କଥା ହେବା ପାଇଁ ପୁଟିନଙ୍କୁ ମୋଦି ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ କଥା ହୋଇଥିଲେ। ପାଖାପାଖି ୩୫ ମିନିଟ୍‌ ଧରି ଏହି କଥାବାର୍ତ୍ତା ଚାଲିଥିଲା। ୟୁକ୍ରେନର ସାମ୍ପ୍ରତିକ ସ୍ଥିତି ନେଇ ଉଭୟ ନେତା ଆଲୋଚନା କରିଥିଲେ। ଏହି ପରିସ୍ଥିତିରେ ରୁଷ ଓ ୟୁକ୍ରେନ ସହ ଭାରତ ସରକାର ଲଗାତାର ଭାବରେ ଫୋନ ଯୋଗେ କଥାବାର୍ତ୍ତା ହେଉଥିବା ମୋଦି କହିଥିଲେ। ୟୁକ୍ରେନ୍‌ରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ଫେରାଇବାରେ ସହାୟତା କରିଥିବା କାରଣରୁ ଜେଲେନସ୍କିଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ସୁମିରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ନିମନ୍ତେ ହେଉଥିବା ଉଦ୍ୟମରେ ୟୁକ୍ରେନ୍‌ ସରକାର ଲଗାତର ସହାୟତା କରିବେ ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ଏଥିରେ ଆଶାବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.