କିଏ ଏହି ପ୍ରଭାତ ଜୟସୁରିୟା ଯିଏକି ୭୧ ବର୍ଷର ରେକର୍ଡ ଭାଙ୍ଗିଛନ୍ତି

କିଏ ଏହି ପ୍ରଭାତ ଜୟସୁରିୟା ଯିଏକି ୭୧ ବର୍ଷର ରେକର୍ଡ ଭାଙ୍ଗିଛନ୍ତି

ତେବେ ବନ୍ଧୁଗଣ ନିକଟରେ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଆୟର୍ଲାଣ୍ଡ ଦଳ ଦୁଇଟି ଯାକ ଟେଷ୍ଟ୍ ପାଳିରେ ପରାଜୟ ବରଣ କରିଛି । ପ୍ରଥମ ଟେଷ୍ଟ୍‌ ଭଳି ଆୟର୍ଲାଣ୍ଡ ଦ୍ବିତୀୟ ଟେଷ୍ଟ୍‌ରେ ମଧ୍ୟ ଏକ ପାଳି ଓ ୧୦ ରନ୍‌ରେ ପରାସ୍ତ ହୋଇଛି । ଫଳରେ ଶ୍ରୀଲଙ୍କା ଦୁଇଟି ପାଳି ବ୍ୟବଧାନ ବିଜୟ ସହ ୨-୦ ରେ ଶୃଙ୍ଖଳା ପୋଛି ନେଇଛି ।

ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୫ ଏବଂ ଦ୍ବିତୀୟ ପାଳିରେ ୨ ୱିକେଟ ଦଖଲ କରିଥିବା ସ୍ପିନର ପ୍ରବଥ ଜୟସୂରିଆ ମ୍ୟାଚ୍‌ର ଏବଂ ଦୁଇଟି ଯାକ ଟେଷ୍ଟ୍‌ରେ ମୋଟ ୩୮୫ ରନ୍‌ କରିଥିବା କୁଶାଲ ମେଣ୍ଡିସ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।

ତେବେ ଜୟସୂରିଆଙ୍କ ୫ ୱିକେଟ୍‌ ବଳରେ ଆୟର୍ଲାଣ୍ଡ ପ୍ରଥମ ପାଳିକୁ ୪୯୨ ରନ୍‌ରେ ଅଟକାଇବା ପରେ ଘରୋଇ ଦଳ ଦୁଇଟି ଦ୍ବିଶତକ, ଦୁଇଟି ଶତକ ସାଙ୍ଗକୁ ଦୁଇଟି ଦ୍ବିଶତକୀୟ ଭାଗୀଦାରି ବଳରେ ୭୦୪/୩ରେ ପ୍ରଥମ ପାଳି ଘୋଷଣା କରିଥିଲା । ରମେଶ ମେଣ୍ଡିସ୍‌ଙ୍କ ୫ ୱିକେଟ୍‌ ଦଖଲ ଯୋଗୁଁ ଘରୋଇ ଦଳ ଭ୍ରଣକାରୀ ଦଳର ଦ୍ବିତୀୟ ପାଳିକୁ ୨୦୨ ରନ୍‌ରେ ସଫା କରି ଦେଇଥିଲା ।

ତେବେ ସିଂହଳୀ ବାମହାତୀ ସ୍ପିନର ପ୍ରବଥ ଜୟସୂରିଆ ଆୟର୍ଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ୫ ୱିକେଟ୍‌ ନେବା ପରେ ଦ୍ବିତୀୟ ପାଳିରେ ୨ ୱିକେଟ୍‌ ଦଖଲ କରିଥିଲେ । ଏଥି ସହିତ ନିଜର ସପ୍ତମ ଟେଷ୍ଟ୍‌ରେ ସେ ୫୦ ୱିକେଟ୍‌ ପୂରଣ କରିଥିଲେ । ଜଣେ ସ୍ପିନର ଏତେ କମ୍‌ ଟେଷ୍ଟ୍‌ରେ ୫୦ ୱିକେଟ୍‌ ଦଖଲ କରିବା କ୍ଷେତ୍ରରେ ଜୟସୂରିଆ ବିଶ୍ବ କୀର୍ତ୍ତିମାନ ପୃଷ୍ଠାରେ ନିଜ ନାମକୁ ଯୋଡ଼ିଛନ୍ତି।

ସ୍ପିନର ଭାବେ ୭ ଟେ‌ଷ୍ଟ୍‌ରୁ ୫୦ ୱିକେଟ୍‌ ପୂରଣ କରିବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି । ଫଳରେ ୱେଷ୍ଟ୍‌ଇଣ୍ଡିଜ୍‌ ମହାନ ସ୍ପିନର ଅଲ୍‌ଫ ଭାଲେଣ୍ଟିନେ (୮ ଟେ‌ଷ୍ଟ୍‌, ୧୯୫୧ ମସିହା)ଙ୍କ ନାମରେ ଥିବା ଦ୍ରୁତତମ କୀର୍ତ୍ତିମାନକୁ ପଛରେ ପକାଇ ଦେଇଛନ୍ତି । ୩୧ ବର୍ଷ ବୟସ୍କ ଜୟସୂରିଆ ମୋଟ ଉପରେ ଟେଷ୍ଟ୍‌ କ୍ରିକେଟ୍‌ରେ ଦ୍ରୁତତମ ୫୦ ୱିକେଟ୍‌ ନେବାରେ ମିଳିତ ଦ୍ବିତୀୟରେ ରହିଛନ୍ତି ।

ତାଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଭର୍ନନ ଫିଲାଣ୍ଡର ଏବଂ ଇଂଲଣ୍ଡ ଦ୍ରୁତ ବୋଲର ଟମ୍ ରିଚାର୍ଡସନ୍‌ ନିଜ ନିଜର ସପ୍ତମ ଟେ‌ଷ୍ଟ୍‌ରୁ ୫୦ ୱିକେଟ୍‌ ମାଇଲଖୁଣ୍ଟ ଛୁଇଁଥିଲେ । ଏବେ ଫିଲାଣ୍ଡର, ରିଜାର୍ଡସନ୍‌ ଓ ଜୟସୂରିଆଙ୍କ ଉପରକୁ କେବଳ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଚାର୍ଲି ଟର୍ନର (୬ ଟେଷ୍ଟ୍‌, ୧୯୮୮ ମସିହା) ରହିଛନ୍ତି ।

odia sambada
Comments (0)
Add Comment