ସୁପର ସନଡେରେ ବିଶ୍ଵ ଦେଖିବ ସୁପର ଶୋ । ଚିର ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ମୁହାଁମୁହିଁ ହେବେ । ଏହି ହାଇ ଭୋଲ୍ଟେଜ୍ ମ୍ୟାଚ୍ ଉପରେ ସାରା ବିଶ୍ଵ କ୍ରିକେଟ ପ୍ରେମୀଙ୍କ ନଜର ରହିଛି । ଏଥିରେ କିଏ ବିଜୟୀ ହେବ ଓ ଆଉ କିଏ ପରାଜୟ ସହ ଅଭିଯାନ ଆରମ୍ଭ କରିବ, ଏହାକୁ ନେଇ ବୟାନ ବାଜି ଆରମ୍ଭ ହୋଇଯାଇଛି ।
ତେବେ ଏହି ବଡ ମ୍ୟାଚ୍ ପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜର ମୁହଁ ଖୋଲିଛନ୍ତି । T-20 2022 ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ରୋହିତ କହିଛନ୍ତି, ନଅ ବର୍ଷ ହେବ ଆମେ କୌଣସି ଆଇସିସି ଟ୍ରଫି ଜିତି ପାରିନାହୁଁ । ଏହା ଟିମ୍ ପାଇଁ ନିରାଶ ଜନକ କଥା ଅଟେ । T-20 ବିଶ୍ୱକପରେ କିଭଳି ଭଲ ପ୍ରଦର୍ଶନ କରିବୁ, ତାହା ହିଁ ଆମ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଅଟେ । ଆମକୁ ସୁଯୋଗ ମିଳିବ, ଏହାର ସଦୁପଯୋଗ କରିବାର ଆବଶ୍ୟକତା ରହିଛି ।
ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ଟିମ୍ ଇଣ୍ଡିଆ ଚାପରେ ରହିଛି କି ? ଏହି ପ୍ରଶ୍ନର ଉତ୍ତର ରୋହିତ ଶର୍ମା ଅତି ସରଳ ଭାବେ ବୁଝାଇ କହିଛନ୍ତି । ରୋହିତ କହିଛନ୍ତି, ଚାପ ଶବ୍ଦର ବ୍ଯବହାର କରିବାକୁ ମୁଁ ଚାହୁଁନାହିଁ । ପାକିସ୍ତାନ ଶକ୍ତିଶାଳୀ ଟିମ୍, କିନ୍ତୁ ଯିଏ ଭଲ ଖେଳିବ ସିଏ ହିଁ ଜିତିବ । ଏଭଳି କହି ଅତି ଚତୁରତାର ସହ ରୋହିତ ଏହି ପ୍ରଶ୍ନକୁ ଏଡାଇ ଦେଇଥିଲେ । ଗତ T-20 ବିଶ୍ୱକପ ଓ ଏସିଆ କପରେ ପାକିସ୍ତାନ ଠାରୁ ଭାରତ ପରାଜିତ ହେବାପରେ କିଛି ଏଭଳି ପ୍ରଶ୍ନ କ୍ରିକେଟ ପ୍ରେମୀଙ୍କ ମନରେ ଉଠିଥିଲା । ଯାହାର ଜବାବ ରୋହିତ ଅତି ସରଳ ଭାବେ ରଖିଛନ୍ତି ।
ଅନ୍ୟପଟେ ପାକିସ୍ତାନରେ 2023ରେ ହେବାକୁ ଯାଉଥିବା ଏସିଆ କପକୁ ନେଇ ଯେଉଁ ବିବାଦ ଦେଖାଯାଇଛି, ତାକୁ ନେଇ ରୋହିତ କହିଛନ୍ତି, ଆମର ଫୋକସ କେବଳ T-20 ବିଶ୍ୱକପ ଉପରେ ରହିଛି । କାରଣ ଏହା ହିଁ ଆମ ପାଇଁ ଜରୁରୀ ଅଟେ । ପରେ କଣ ହେବ ସେ ବାବଦରେ ଆମେ କିଛି ଭାବୁନାହୁଁ, କାରଣ ଏହା ବାବଦରେ କିଛି ଭାବିଲେ କିଛି ବି ଲାଭ ନାହିଁ । ଏହା ଛଡ଼ା ଏସିଆ କପକୁ ନେଇ ବିସିସିଆଇ ନିଷ୍ପତ୍ତି ନେବ । ତେଣୁ ପାକିସ୍ତାନ ମ୍ୟାଚକୁ ନେଇ ରଣନୀତି ପ୍ରସ୍ତୁତ କରୁଛୁ ।