ଗତ ୨୪ ତାରିଖରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା ଡିଏ କୁ ୪% ବୃଦ୍ଧି କରିଛନ୍ତି । ଏହାଫଳରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୩୮% ରୁ ବୃଦ୍ଧି ପାଇ ୪୨% ରେ ପହଞ୍ଚିଛି ।
ତେବେ ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ କର୍ମଚାରୀଙ୍କ ପାଇଁ ପୁଣି ଖୁସି ଖବର ମିଳିବାକୁ ଯାଉଛି । ଏନେଇ ଏକ ବଡ଼ ଅପଡେଟ୍ ଆସିଛି । ସୂଚନା ମୁତାବକ, ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ପାଉଛନ୍ତି ।
ଏନେଇ କର୍ମଚାରୀମାନେ ବହୁବାର ଅଭିଯୋଗ କରି ଆସୁଥିଲେ ବି ସେମାନଙ୍କୁ ଦାବି ମୁତାବକ ବେତନ ମିଳୁନାହିଁ । ଅର୍ଥାତ କେନ୍ଦ୍ର କର୍ମଚାରୀଙ୍କୁ ଯେତିକି ଦରମା ମିଳିବା କଥା ତା’ଠାରୁ କମ୍ ମିଳୁଛି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ଅଷ୍ଟମ ବେତନ କମିଶନ ଦାବି କରୁଥିଲେ ।
ଯେଉଁଥିରେ ଖୁବ ଶୀଘ୍ର ମୋହର ଲାଗିବ । ଜାଣନ୍ତୁ ଏବେ ସରକାରଙ୍କ ସହ ଜଡିତ ଏହି ବଡ ଅପଡେଟ ସମ୍ବନ୍ଧରେ । ରିପୋର୍ଟ ମୁତାବକ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ବେତନ ସୀମା ୧୮ ହଜାର ରଖାଯାଇଛି । ଏହି ବେତନ ବୃଦ୍ଧିରେ ଫିଟମେଣ୍ଟ ଫ୍ୟାକ୍ଟରର ଏକ ପ୍ରମୁଖ ଭୂମିକା ରହିଛି ।
ଏବେ ଏହି ଫ୍ୟାକ୍ଟର ୨.୫୭ ଗୁଣା ରହିଥିବା ବେଳେ ସପ୍ତମ ବେତନ କମିଶନରେ ଏହାକୁ ୩.୬୮ ଗୁଣା ପର୍ଯ୍ୟନ୍ତ ରଖିବାକୁ ସୁପାରିଶ କରାଯାଇଛି । ଯଦି ଏହା ଉପରେ କେନ୍ଦ୍ର ସରକାର ସହମତି ପ୍ରକାଶ କରନ୍ତି ତେବେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ବେତନ ୧୮ ହଜାରରୁ ବୃଦ୍ଧି ପାଇ ୨୬ ହଜାର ହୋଇଯିବ ।
ଚତୁର୍ଥ ବେତନ କମିଶନରେ କର୍ମଚାରୀଙ୍କ ଦରମା ୨୭.୬ ପ୍ରତିଶତ ବଢ଼ିଥିବା ବେଳେ ସର୍ବନିମ୍ନ ଦରମା ୭୫୦ ଟଙ୍କା ହୋଇଥିଲା । ସେହିପରି ପଞ୍ଚମ ବେତନ କମିଶନରେ ୩୧ ପ୍ରତିଶତ ଦରମା ବଢ଼ିଥିଲା ଓ ସର୍ବନିମ୍ନ ଦରମା ୨,୫୫୦ ଟଙ୍କା ହୋଇଥିଲା । ଷଷ୍ଠ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୧.୮୬ ଗୁଣା ହୋଇଥିବା ବେଳେ ଦରମା ୫୪ ପ୍ରତିଶତ ବୃଦ୍ଧି ସହ ସର୍ବନିମ୍ନ ଦରମା ୭ ହଜାର ରହିଥିଲା ।
ସପ୍ତମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ ଗୁଣା ରହିଥିବା ବେଳେ ଦରମା ୧୪.୨୯ ପ୍ରତିଶତ ବୃଦ୍ଧି ଓ ସର୍ବନିମ୍ନ ଦରମା ୧୮ ହଜାର ହୋଇଥିଲା । ତେଣୁ ଅଷ୍ଟମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୩.୬୮ ଗୁଣା ଯଦି ହୁଏ ତେବେ ଦରମା ୪୪.୪୪ ପ୍ରତିଶତ ବୃଦ୍ଧି ହେବା ସହ ସର୍ବନିମ୍ନ ଦରମା ୨୬ ହଜାର ହେବାର ସମ୍ଭାବନା ରହିଛି ।