ପିଲାଙ୍କୁ ଆସିଲାନି ଜ୍ୟାମିତି ବୋଲି ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷକ,ବାନ୍ଧିଲା ପୋଲିସ

0

Get real time updates directly on you device, subscribe now.

ଜ୍ୟାମିତି ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ପଞ୍ଚାୟତ ସୁନାମୁହିଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କଲ୍ପତରୁ ମଲିକ ଛାତ୍ରଛାତ୍ରୀଙ୍କୁ ନିର୍ଘାତ ମାଡ଼ମାରି ଲହୁଲୁହାଣ କରିଥିଲେ । ଏହି ଘଟଣାରେ ଆଜି ବ୍ଲକ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି । ପ୍ରକାଶ ଥାଉ କି ଗତକାଲି ଶିକ୍ଷକ ଶ୍ରୀ ମଲିକ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ଜ୍ୟାମିତି ପଢ଼ାଉଥିଲେ । ପିଲାମାନେ ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ଶିକ୍ଷକ ଉତ୍‌କ୍ଷିପ୍ତ ହୋଇ ଏକ ବାଡ଼ିରେ ଛାତ୍ରଛାତ୍ରୀଙ୍କୁ ଆଖିବୁଜା ମାଡ଼ ମାରି ଲହୁଲୁହାଣ କରିଥିଲେ ।

ଏଥିରେ ମୋଟ ୧୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଯମୁନା ଦଣ୍ତପାଟ, କାଜଲ ବାରୋଇ, ରୀତାରାଣୀ ଦାସ, ଲିଜା ମଣ୍ତଳ ପ୍ରମୁଖ ୪ଜଣ ଛାତ୍ରୀ ଗୁରୁତର ହୋଇଥିଲେ । ପିଲାମାନଙ୍କର କାନ୍ଧ ବୋବାଳି ଶୁଣି ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ପହଞ୍ଚି ଛଡ଼ାଇବାରୁ ପିଲାମାନେ ବର୍ତ୍ତି ଯାଇଥିଲେ । ଏହି ଘଟଣା ଗାଁରେ ପ୍ରଚାର ହେବା ପରେ ଅବିଭାବକମାନେ ବିଦ୍ୟାଳୟରେ ପହଞ୍ଚି ଗୁରୁତର ଛାତ୍ରୀଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଭିଭାବକମାନେ ପହଞ୍ଚିବା କ୍ଷଣି ସମ୍ପୃକ୍ତ ଶିକ୍ଷକ ବିଦ୍ୟାଳୟରୁ ପଳାଉଥିବା ବେଳେ ରାସ୍ତାରୁ ତାଙ୍କୁ ଗ୍ରାମବାସୀ ଧରି ବିଦ୍ୟାଳୟକୁ ଆଣିଥିଲେ ।

ଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ଓଲଟି ନାଲିଆଖି ଦେଖାଇଥିଲେ । ଏହାକୁ ନେଇ କିଛି ସମୟ ପାଇଁ ସ୍କୁଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । କଶିଆ ସାମୁଦ୍ରିକ ଥାନା ପୁଲିସ ପହଞ୍ଚି ବୁଝାସୁଝା କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କୁ ଥାନାକୁ ନେଇ ଯାଇଥିଲେ । ଏହି ଘଟଣାରେ ତରବରିଆ ଭାବେ ଆଜି ବିଇଓ ଶ୍ରୀ ସାହୁ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ।

ଅନ୍ୟପଟେ ଆହତ ଛାତ୍ରୀମାନଙ୍କର କିଛି ଅଭିଭାବକ ଥାନାରେ ଲିଖିତ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଶିକ୍ଷକ ଗିରଫ ହୋଇଯିବା ଭୟରେ ଥାନାରେ ଏତଲା ନ କରିବାକୁ ଅବିଭାବକମାନଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଚର୍ଚ୍ଚା ହେଉଛି । ଶିକ୍ଷକ ଜଣକ ସବୁବେଳେ ନିଶାରେ ବୁଡ଼ି ରହୁଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ଛାତ୍ରୀମାନଙ୍କୁ ଅନେକ ସମୟରେ ପ୍ରେମ ନିବେଦନ କରି ବିଫଳ ହୋଇଥିବା କେତେକ ପିଲା ନିଜ ନାମ ଗୋପନ ରଖି ମଧ୍ୟ କହିଛନ୍ତି । ତେଣୁ ଖୋଦ୍ ବ୍ଲକ ଶିକ୍ଷାଧିକାରୀ ଗଣିତ ଶିକ୍ଷକଙ୍କୁ ସସପେଣ୍ଡ କରିଛନ୍ତି ।

Leave A Reply

Your email address will not be published.