ପୁଣି ସୋସିଆଲ ମିଡ଼ିଆରେ ରାଗିକି ଚେତାବନୀ ଦେଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । କିନ୍ତୁ ଏଥର ଟାର୍ଗେଟରେ ପତ୍ନୀ ବର୍ଷା ନୁହନ୍ତି ଆଉ କେହି କେହି ।

0

Get real time updates directly on you device, subscribe now.

ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ବେଶ୍‌ କିଛି ଦିନ ଧରି ଚୁପ୍‌ ରହିଥିବା କେନ୍ଦ୍ରାପଡ଼ା ସାଂସଦ ପୁଣି ଥରେ ସୋଶାଲ ମିଡିଆରେ ମୁହଁ ଖୋଲିଛନ୍ତି । ଏଥର ତାଙ୍କ ଟାର୍ଗେଟକୁ ଆସିଛନ୍ତି ତାଙ୍କ ନାଁରେ ମିଥ୍ୟା ଖବର ଛାପୁଥିବା ଓ ଅପଲୋଡ୍ କରୁଥିବା ନ୍ୟୁଜ  ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲ । ଏପରି କାମରୁ ବାଦ ନ ପଡ଼ିଲେ ସେମାନଙ୍କୁ କୋର୍ଟ ଟାଣିବେ ବୋଲି ଚେତାବନୀ ଦେଇଛନ୍ତି ଅନୁଭବ । ଅନୁଭବ ଓ ବର୍ଷାଙ୍କ ସମ୍ପର୍କକୁ ନେଇ ସୋଶାଲ ମିଡିଆରେ ଖବର ପ୍ରସାରଣ ପରେ ମୁହଁ ଖୋଲିଛନ୍ତି ଅନୁଭବ ମହାନ୍ତି ।

ଏଭଳି ଅଯଥା ମିଥ୍ୟା ଓ ଭିତ୍ତିହୀନ ଖବର ପରିବେଷଣରୁ ବିରତ ରହିବାକୁ ଅନୁଭବ ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ ଚ୍ୟାନେଲକୁ ଚେତାବନୀ ଦେଇଛନ୍ତି  ।  ସୋଶାଲ ମିଡିଆରେ ଏନେଇ ପୋଷ୍ଟ କରି ଅନୁଭବ ଲେଖିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ନିରବତା ଅବଲମ୍ବନ କରିଛନ୍ତି । ତା’ ମାନେ ନୁହେଁ ଯେ, କିଛି ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ ଚ୍ୟାନେଲ ମନକୁ ଯାହା ଆସିବ ତାହା ଲେଖିବେ ବା କହିବେ ।  ଲୋକଙ୍କୁ ଦ୍ୱନ୍ଦରେ ନ ପକାଇବାକୁ ସେମାନଙ୍କୁ ଅନୁଭବ ଚେତାବନୀ ଦେବା ସହ ଭବିଷ୍ୟତରେ ଏପରି କଲେ କାଠଗଡ଼ାକୁ ଟାଣିବେ ବୋଲି ଚରମବାଣୀ ଶୁଣାଇ ଦେଇଛନ୍ତି ।

ବାରମ୍ବାର ଭିଡିଓ ପୋଷ୍ଟ କରି ଅନୁଭବ ତାଙ୍କ ସମ୍ମାନହାନୀ କରୁଥିବା ନେଇ ବର୍ଷା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟ ଦୁଇ ଜଣଙ୍କୁ ସୋଶାଲ ମିଡିଆରେ ଟିପ୍ପଣୀ ନ କରିବାକୁ ତାଗିଦ୍ କରିଥିଲେ । କୌଣସି ବି ସ୍ଥାନରେ କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଥାଉକି, ବର୍ଷାଙ୍କ ବିରୋଧରେ ପଛକୁ ପଛ ଲଗାତର ୩ଟି ଭିଡ଼ିଓ ଅନୁଭବ ସୋଶାଲ ମିଡ଼ିଆ ଛାଡ଼ିଥିଲେ । ଏହାକୁ ନେଇ ବର୍ଷା ସାଇବର ଥାନାରେ ଅଭିଯୋଗ କରିଥିଲେ ।

ସାମାଜିକ ଗଣମାଧ୍ୟମରେ ଦୁହିଁଙ୍କ ନାମରେ ଥିବା ଫ୍ୟାନ୍ କ୍ଲବ ଆକାଉଣ୍ଟରେ ଏହି ଘଟଣାର ବାଦ ପ୍ରତିବାଦ, ଆରୋପ ପ୍ରତ୍ୟାରୋପ ଦେଖା ଦେଇଥିଲା ।  ଦୁହିଁଙ୍କ ପାରିବାରିକ ବିଚ୍ଛେଦ ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି। ମାମଲାର ସମାଧାନ ହୋଇ ନ ଥିବା ବେଳେ ଫିଲ୍ମ ଦୁନିଆର ଏହି ଚର୍ଚ୍ଚିତ ଯୋଡ଼ିଙ୍କ ପାରିବାରିକ କଳି ବଢ଼ି ଚାଲିଛି । ମାମଲାର ଫଇସଲା କାହା ସପକ୍ଷରେ ଯାଉଛି, ଶେଷରେ କୋର୍ଟ କ’ଣ ରାୟ ଶୁଣାଉଛନ୍ତି ତାହା ଉପରେ ସମସ୍ତଙ୍କ ଆଖି ।

Leave A Reply

Your email address will not be published.