ଓଡ଼ିଶାରେ ଟମାଟୋ ଫ୍ଲୁ ପଜିଟିଭ୍ ରୋଗୀ ଚିହ୍ନଟ । ସରକାରଙ୍କ ଚିନ୍ତା ବଢାଇଲା ଏହି ରୋଗ

0

Get real time updates directly on you device, subscribe now.

ସାରା ଦେଶରେ ଏବେ ଭୟ ବଢାଇଛି ଟମାଟୋ ଫ୍ଲୁ । ଏହାରି ମଧ୍ୟରେ ଓଡିଶାରୁ ଚିହ୍ନଟ ହୋଇଛନ୍ତି ୨୬ ଟମାଟୋ ଫ୍ଲୁ ରୋଗୀ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଡାକ୍ତରୀ ଶବ୍ଦରେ ଟମାଟୋ ଫ୍ଲୁକୁ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ ଏଚ୍-ଏଫ୍-ଏମ୍-ଡି କୁହାଯାଏ । ଏହି ରୋଗକୁ ଟମାଟୋ ଫ୍ଲୁ ନକହି ଏଚ୍-ଏଫ୍-ଏମ୍-ଡି କହିବା ପାଇଁ ପ୍ରତିକ୍ରିୟା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସୂଚନା ଅନୁଯାୟୀ, ଟମାଟୋ ଫ୍ଲୁ ଲକ୍ଷଣ ଥିବା ୩୬ ଜଣଙ୍କ ନମୁନା ଆର୍-ଏମ୍-ଆର୍-ସିକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣ ପଜିଟିଭ ବାହାରିଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି । ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର ବୋଲି ସୂଚନା ରହିଛି । ତେବେ ପଜିଟିଭ ଚିହ୍ନଟ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି । ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ଟିମ ନଜର ରଖିଥିବା ଜଣାପଡିଛି । ପଜିଟିଭ ନମୁନାର ଜିନମ ସିକ୍ୱେନ୍ସିଂ ପୁଣେର ଏନ୍-ଆଇ-ଭି ପଠାଯାଇଛି ।

ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି । ତେବେ ରୋଗକୁ ନେଇ ଆତଙ୍କିତ ନହେବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏହାର ଚିକିତ୍ସା ପାଇଁ କୌଣସି ସ୍ୱତନ୍ତ୍ର ଔଷଧ ବା ଟୀକା ନାହିଁ । ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ । ଟମାଟୋ ଫ୍ଲୁରେ ସଂକ୍ରମିତ ହେଲେ ପିଲାମାନଙ୍କ ଦେହରେ ନାଲି ରଙ୍ଗରେ ଫଳି ଯାଉଛି ।

ଚର୍ମ କୁଣ୍ଡାଇ ହେବା ସହ ପିଲାମାନେ ପତଳା ଝାଡାରେ ଆକ୍ରାନ୍ତ ହେଉଛନ୍ତି । ଟମାଟୋ ଭଳି ଦେହରେ ନାଲି ନାଲି ଫଳି ଯାଉଛି । ବିଶେଷ କରି ଏହା ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଏହା ଆକ୍ରାନ୍ତ କରୁଛି । ଟମାଟୋ ଫ୍ଲୁ ଯୋଗୁଁ କିଛି କିଛି ପିଲାଙ୍କୁ ପ୍ରବଳ ଜ୍ବର ହେବା ସହ ଦେହ ଘୋଳାବିନ୍ଧା କରିବା ଏବଂ ଆଣ୍ଠୁ ଗଣ୍ଠି ଫୁଲି ଯାଉଥିବା ଦେଖାଯାଇଛି । ଏହାର ଲକ୍ଷଣ ଚିକୁନଗୁନିଆ ସହ ମିଶୁଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଟମାଟୋ ଫ୍ଲୁରୁ ପ୍ରାଥମିକ ରକ୍ଷା ପାଇବା ପାଇଁ ଆପଣଙ୍କ ଘର ଭିତର ଏବଂ ଚାରିପାଖକୁ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ ।

Leave A Reply

Your email address will not be published.