ଆସୁଛି ବାତ୍ୟା ! ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ୧୮ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ରାଜ୍ୟ ସରକାର

0

Get real time updates directly on you device, subscribe now.

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଏହାପରେ ବାତ୍ୟା ନେଇ ସଠିକ୍ ଆକଳନ କରିହେବ ବୋଲି କହିଛନ୍ତି ଡିଜି । ତେବେ ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି ।  ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏ ନେଇ ୧୮ ଜିଲ୍ଲାପାଳଙ୍କୁ ବାତ୍ୟା  ଆଲର୍ଟ କରାଯାଇଛି । ବୁଧବାର ଚିଠି ଲେଖି ସ୍ଵତନ୍ତ୍ର ରିଲିଫ କମିଶନର ଆଲର୍ଟ କରିଛନ୍ତି । ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ  ୬ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ ।  ଏହା ପରେ ବାତ୍ୟା ନେଇ ସଠିକ୍ ଆକଳନ କରିହେବ । ବାତ୍ୟା ହେଲେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ?

ବାତ୍ୟାର ତୀବ୍ରତା କେତେ ରହିବ ?  ଏସବୁ ପ୍ରଶ୍ନର ଉତ୍ତର ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ହିଁ ମିଳିପାରିବ । ତେବେ ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । ଘୂର୍ଣ୍ଣିବଳୟ ଉପରିସ୍ଥ ବାୟୁମଣ୍ଡଳରେ ସୃଷ୍ଟି ହୋଇଛି । ୬ ତାରିଖ ସୁଦ୍ଧା ଏହା ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ତାପରେ ଏହା ଉତ୍ତର ପଶ୍ଚିମ ଦିଗରେ ୨ଦିନ ପାଇଁ ଗତି କରିବ । କ୍ରମଶଃ ଏହା ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ ।

ଏଭଳି ସ୍ଥିତିରେ ଆଣ୍ଡାମାନ ସାଗର ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ମତ୍ସଜୀବୀଙ୍କୁ ଆସନ୍ତା ୫ରୁ ୮ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଛାନିଆ ନହୋଇ ଅଯଥା ଅତ୍ୟାବଶ୍ୟକ ଜିନିଷ ବହୁ ମାତ୍ରାରେ କିଣି ମହଜୁଦ୍ ନରଖିବାକୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।

ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ ଏପର୍ଯ୍ୟନ୍ତ ତା’ର କୌଣସି ପୂର୍ବାନୁମାନ କରାଯାଇ ନାହିଁ । ତଥାପି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି  ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଓଡ଼ିଶାରେ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିବ । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ । ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଗତ କିଛି ବର୍ଷ ହେବ ଏପ୍ରିଲ ଓ ମେ’ ମାସ ବା ପ୍ରି ମନସୁନ୍ରେ ଲଘୁଚାପ ସୃଷ୍ଟି ହୋଇ ବାତ୍ୟାର ରୂପ ନେଉଥିବା ଦେଖିବାକୁ ମିଳୁଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

Leave A Reply

Your email address will not be published.