କାଳ ହେଲା ଖେଳ, ୮ ବର୍ଷର ଅଂଶୁମାନ ବର୍ତ୍ତମାନ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ମରଣ ସହ ଲଢ଼ୁଛି,ସହାୟତା ପାଇଁ ନିବେଦନ କଲେ ବାପା ମା

0

Get real time updates directly on you device, subscribe now.

କଥାରେ ଅଛିକି ପିଲା ବେଳର ଖେଳ ବେଳେ ବେଳେ କାଳ ପାଲଟିଯାଏ। ଛୋଟ ଛୋଟ ପିଲାମାନେ ଅଜାଣତରେ ଦୁର୍ଘଟଣାର ଶିକାର ହୋଇଯାନ୍ତି। ଅନେକ ସମୟରେ କିଏ ମୃତ୍ୟୁ ସହିତ ସଂଘର୍ଷ କରି କରି କିଏ ବଞ୍ଚି ଯାଏ ତ ଆଉ କିଏ ମୃତ୍ୟୁ ମୁଖରେ ପଡ଼େ। ଏହିପରି ଏକ ଘଟଣା ବେଙ୍ଗାଲୁରୁରେ ଘଟିଛି। ଏଠାରେ ବାପା ମା’ଙ୍କ ସହ ରହୁଥିବା ଜଣେ ୮ ବର୍ଷର କୁନି ପିଲା ଅଜାଣତରେ ଏକ ଦୁର୍ଘଟଣାର ଶିକାର ହୋଇଥିଲା। ଅତି ଅଜବ ଓ ଆଶ୍ଚର୍ଯ୍ୟଜନକ ଥିଲା ଏହି ଦୁର୍ଘଟଣାଟି। ବର୍ତ୍ତମାନ ପିଲାଟି ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ଲଢ଼ୁଅଛି।

ଏପଟେ ସମସ୍ତଙ୍କର ସହଯୋଗ ସାହାଯ୍ୟ ସହ ଧାର ଉଧାର କରି ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ମା, ବାପା। ବର୍ତ୍ତମାନ ଅର୍ଥ ଅଭାବରୁ ଚିକିତ୍ସାରେ ପ୍ରତିବନ୍ଧକ ସୃଷ୍ଟି ହେଲାଣି। କାନ୍ଦି କାନ୍ଦି ଆମ ଆଗରେ ଓଡ଼ିଶା ସରକାର ଓ ଜନସାଧାରଣମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଏହି ଦମ୍ପତି ନିବେଦନ କରିଛନ୍ତି।

ବେଙ୍ଗାଲୁରୁରେ ରହୁଛନ୍ତି ଅଲେଖ ଦାସ। ତାଙ୍କ ନିଜ ଘର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଢ଼ିଆ ଗାଁର। ଅଲେଖଙ୍କ ୮ ବର୍ଷର ପୁଅ ଅଂଶୁମାନ ବର୍ତ୍ତମାନ ଜୀବନ ମରଣ ଭିତରେ ଚିକିତ୍ସାଧୀନ ଅଛି। ବେଙ୍ଗାଲୁରୁ ଏଚଏସ ଆର ଲେଆଉଅଟ ସୋମସନ୍ଦ୍ରା ପାଲିଆରେ ବାପା ଓ ମାଙ୍କ ସହ ରହୁଛି ଅଂଶୁମାନ। ବାପା ଅଲେଖ ରୋଷେଇ କରନ୍ତି। ବିଭିନ୍ନ ଅପାର୍ଟମେଣ୍ଟ ମାନଙ୍କରେ ରୋଷେଇ କରି ପେଟ ପୋଷନ୍ତି। ମାସକୁ ପ୍ରାୟ ୧୦ରୂ ୧୫ ହଜାର ରୋଜଗାର ହୁଏ। ଏଥିରେ ପୂରା ପରିବାର ଚଳି ଯାଆନ୍ତି। ଗତ ଫେବୃଆରୀ ୫ ତାରିଖ ଦିନ ଏଇ ସୁଖୀର ସଂସାର ଉପରେ ଅଚାନକ ଏକ ବିପଦ ମାଡ଼ି ଆସିଲା। ଅଂଶୁମାନ ସନ୍ଧ୍ୟାରେ ପାଠ ପଢିବା ସମୟରେ ନିଜ ଅଣ୍ଟାରେ ଥିବା ବେଲ୍ଟକୁ ମୁଣ୍ଡ ବାଟେ କାଢୁଥିଲା। ତେବେ ଏ ଖେଳଟି ତାକୁ ଭାରୀ ପଡ଼ିଲା । ଏହି ସମୟରେ ହଠାତ୍‌ ସେ ପଲଙ୍କରୁ ତଳକୁ ଗଳି ପଡ଼ିଲା । ଫଳରେ ବେଲ୍ଟଟି ବେକରେ ଭିଡି ହୋଇ ଯାଇଥିଲା। ଚିତ୍କାର କରି ଉଠିଥିଲା ଅଂଶୁମାନ। ଚିତ୍କାର ଶୁଣି ମା ଧାଇଁ ଆସି ଦେଖନ୍ତି ପୁଅର ଆଉ ହୋସ ନାହିଁ। ସଙ୍ଗେ ସଙ୍ଗେ ତାକୁ ସ୍ଥାନୀୟ ନାରାୟଣ ମେଡିକାଲ ନେଇଯାଇଥିଲେ। ସେଠାରେ ଡାକ୍ତର ମନା କରିଦେବାରୁ ତାକୁ ସେଣ୍ଟଜନ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର କହିଲେ ଭରସା ଛାଡିଦିଅ। ବାପା ମା ଅନେକ କାକୁତି ମୀନତି ହେବା ପରେ ଅଂଶୁମାନକୁ ଆଇସିୟୁରେ ରଖାଯାଇଛି।

ତାକୁ ବେକ ବାଟେ ଅକ୍ସିଜେନ ଦିଆଯାଉଛି। ଭଲ ହେବା ପାଇଁ ଅତି କମ୍‌ରେ ୩ ମାସ ଆଇସିୟୁରେ ରହିବ ପୁଅ। ଏହା ପରେ ତାର ଲମ୍ବା ସମୟ ଧରି ଚିକିତ୍ସା କରିବାକୁ ପଡ଼ିବ। ଏପଟେ ପୁଅର ଜୀବନ ବଞ୍ଚାଇବା ପାଇଁ ବାପା ମା ଅନେକ ଟଙ୍କା କରଜ କରି ସାରିଲେଣି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ପାଖରେ ଆଉ ଟଙ୍କା ନାହିଁ। ଅଂଶୁମାନର ଚିକିତ୍ସା ବ୍ୟୟ ବହୁଳ ହେଉଛି। ତେଣୁ ବାପା ମା କଣ କରିବେ ବର୍ତ୍ତମାନ ସେଇ ଚିନ୍ତାରେ। ସେଥିପାଇଁ କାନ୍ଦି କାନ୍ଦି ଓଡ଼ିଶା ସରକାର ଓ ଜନସାଧାରଣମାନଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି।

ସାହାଯ୍ୟ ସହଯୋଗ କରିବା ପାଇଁ ଚାହୁଁଥିଲେ ଏଥିରେ ଯୋଗାଯୋଗ କରନ୍ତୁ:-

– ଏକାଉଣ୍ଟ ନମ୍ବର-୩୬୭୮୨୮୫୪୭୫୧ (36782854751)

IFSC-SBIN0013585

– ବ୍ରାଞ୍ଚ-ଅଗରପଡା

ମୋବାଇଲ ନମ୍ବର-୮୧୪୭୯୭୯୨୨୩ (8147979223)

ଫୋନ ପେ ନମ୍ବର-୭୬୭୬୨୬୭୭୯୬ (7676267796)

Leave A Reply

Your email address will not be published.