ତେଲ ସଙ୍କଟ ଚାକିରିଆଙ୍କ ମୁହଁରେ ଫୁଟାଇବ ହସ! ସରକାର ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି

0

Get real time updates directly on you device, subscribe now.

ଗତ କିଛି ମାସ ହୋଇଯିବ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଯାହାର ପ୍ରଭାବରେ ପ୍ରାୟ ସମସ୍ତ ବିକାଶଶୀଳ ଓ ଗରିବ ଦେଶମାନଙ୍କ ଉପରେ ପଡିଛି। ବର୍ତ୍ତମାନ ଏହି ତେଲ ସଙ୍କଟରେ ଭାରତର ପଡୋଶୀ ଦେଶ ନେପାଳ ଜର୍ଜରିତ ହେଉଅଛି। ଆଗକୁ ଯେମିତି ସ୍ଥିତି ଖରାପ ନହୁଏ ସେଥିପାଇଁ ନେପାଳ ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି।

୫୦ରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧର ପରିମାଣ ପାଇଁ ତେଲର ଦର ଆକାଶ ଛୁଆଁ ହୋଇଛି। ଋଷ ବିଶ୍ୱର ଏକ ବଡ ତେଲ ଉପ୍ତାଦନକାରୀ ଦେଶ। କିନ୍ତୁ ଯୁଦ୍ଧ ପରେ ପରେ ୟୁରୋପ, ଆମେରିକା ସମେତ ଅନେକ ଦେଶ ଋଷର ତେଲ ଉପରେ ପ୍ରତିବନ୍ଧକ ଲଗାଯାଇଛନ୍ତି। ଅନ୍ୟାନ୍ୟ ପ୍ରମୁଖ ତୈଳ ଉତ୍ପାଦନକାରୀ ଇରାନ ଏବଂ ଭେନେଜୁଏଲା ଉପରେ ମଧ୍ୟ ପେଟ୍ରୋଲିୟମ ବିକ୍ରୟ ଉପରେ କଟକଣା ଲଗାଯାଇଛି।

ମହାମାରୀ କୋରୋନା ପୂର୍ବରୁ ରାଜନୈତିକ ଅସ୍ଥିରତା ଓ ପରେ ଅର୍ଥନୈତିକ ସଙ୍କଟ ଦେଇ ନେପାଳ ଗତି କରୁଛି। ଏହାରି ମଧ୍ୟରେ ବିଶ୍ୱ ବଜାରର ମହଙ୍ଗା ତେଲ ନେପାଳ ସରକାରଙ୍କର ଚିନ୍ତାକୁ ଆହୁରି ବଢାଇ ଦେଇଛି। ବର୍ତ୍ତମାନ ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେଉଛି। ଫଳରେ ଆଗକୁ ଦେଶରେ ପେଟ୍ରୋଲିୟମ ଦ୍ରବ୍ୟର ସଙ୍କଟ ମଧ୍ୟ ଦେଖାଦେବାର ଆଶଙ୍କା ରହିଛି। ତେଣୁ ଏହାର ମୁକାବିଲା କରିବା ପାଇଁ ସରକାର ଆଗୁଆ ଏକ ରଣନୀତି ପ୍ରସ୍ତୁତ କରିବା ସହିତ ତାକୁ ଲାଗୁ ମଧ୍ୟ କରୁଛନ୍ତି।

ତୈଳ ସଙ୍କଟରୁ ମୁକ୍ତି ପାଇବା ଓ ଗଚ୍ଛିତ ତେଲକୁ ସଞ୍ଚୟ କରିବା ପାଇଁ ନେପାଳ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଇନ୍ଧନ ଖର୍ଚ୍ଚ ହ୍ରାସ କରିବା ପାଇଁ ନେପାଳ ସରକାର ଚଳିତ ମାସରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସପ୍ତାହକୁ ଦୁଇ ଦିନିଆ ଛୁଟି ମଧ୍ୟ ଘୋଷଣା କରିବାକୁ ଚିନ୍ତା କରୁଛନ୍ତି। ଯଦି ଏପରି ହୁଏ ତେବେ କର୍ମଚାରୀମାନେ ଅଧିକ ସମୟ ଘରେ ରହିବେ, ସେମାନଙ୍କ ଯାନବାହନରେ ଯାତାୟାତ କମ ହେବ ଓ ତେଲ ସଞ୍ଚୟ ହେବା ସହିତ ସେଥିରେ ହେବାକୁ ଥିବା ଖର୍ଚ୍ଚ ମଧ୍ୟ ବଞ୍ଚିଯିବ ବୋଲି ଯୁକ୍ତି ଦିଆଯାଉଅଛି।

ତୈଳ କମ୍ପାନୀମାନଙ୍କର ପରାମର୍ଶ:-

ନେପାଳ କ୍ୟାବିନେଟ ସୂତ୍ରରୁ ଜଣାପଡିଛିକି, ସପ୍ତାହକୁ ଦିନେ ବଦଳରେ କର୍ମଚାରୀଙ୍କୁ ଦୁଇ ଦିନ ଛୁଟି ଦେବା ପାଇଁ ସରକାରଙ୍କୁ ନେପାଳର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ନେପାଳ ତୈଳ ନିଗମ ପରାମର୍ଶ ଦେଇଛି। ପ୍ରାୟ ଦୁଇ ମାସ ଧରି ଚାଲିଥିବା ଏହି ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ୱରେ ତୈଳ ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ହୋଇଛି। ଅନ୍ୟାନ୍ୟ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଇରାନ ଏବଂ ଭେନେଜୁଏଲା ଉପରେ ମଧ୍ୟ ପେଟ୍ରୋଲିୟମର ବିକ୍ରୟ ପାଇଁ ଆମେରିକା ତରଫରୁ ଏକ କଟକଣା ଜାରି କରାଯାଇଛି।

ହ୍ରାସ ହୋଇଥିବା ବୈଦେଶିକ ମୁଦ୍ରା:-

କୋଭିଡ ମହାମାରୀ ପାଇଁ ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା ଲାଗିଥିଲା। ଯାହାଫଳରେ ପର୍ଯ୍ୟଟନ ଶୀଳ୍ପ ଉପରେ ନିର୍ଭରଶୀଳ ଥିବା ନେପାଳର ବିଦେଶୀ ମୁଦ୍ରା ଭଣ୍ଡାର ଧୀରେ ଧୀରେ ଖାଲି ହେବାରେ ଲାଗିଛି। ଜଣେ ଅଧିକାରୀ କହିଛନ୍ତିକି, ସବସିଡି ହାରରେ ଇନ୍ଧନ ବିକ୍ରୟ କରୁଥିବା ତଥା ବର୍ତ୍ତମାନର ବିଶ୍ୱସ୍ତରରେ ବହୁତ କ୍ଷତି ସହୁଥିବା ନେପାଳ ତୈଳ ନିଗମର ଏହି ପରାମର୍ଶ ବହୁତ ସହାୟକ ହେବ ବୋଲି ସରକାର ଦେଖୁଛନ୍ତି। ସରକାରୀ ମୁଖପାତ୍ର ଜୟନେନ୍ଦ୍ର ବାହାଦୂର କାର୍କି ଗଣମାଧ୍ୟମକୁ କହିଛନ୍ତିକି ସରକାର ଏ ବାବଦରେ କୌଣସି ପ୍ରକାର ନିଷ୍ପତ୍ତି ନେଇ ନାହାଁନ୍ତି। ସେ କହିଛନ୍ତିକି ପ୍ରସ୍ତାବ ଆସିଛି, କିନ୍ତୁ ଏହା ଉପରେ ବର୍ତ୍ତମାନ ବିଚାର କରାଯାଉଛି।

Leave A Reply

Your email address will not be published.