ଭିନ୍ନ ଏକ ପରମ୍ପରା,ମାଆ ଭୈରବୀଙ୍କ ପାଖରେ ପ୍ରସାଦ ରୂପରେ ଲାଗୁଛି ଦେଶୀ ଓ ବିଦେଶୀ ମଦ |

0

Get real time updates directly on you device, subscribe now.

ମାଆ ଭୈରବୀ ଦେବୀଙ୍କ ପାଖରେ ଲାଗୁଛି ଦେଶୀ ଓ ବିଦେଶୀ ମଦ। ଭିନ୍ନ ଏହି ପରମ୍ପରା। ନିଜର ମନସ୍କାମନାକୁ ପୂରଣ ହେବା ପରେ ଶ୍ରଦ୍ଧାଳୁମାନେ ଆସି ମାଆଙ୍କ ନିକଟରେ ମଦ ଅର୍ପଣ କରୁଛନ୍ତି। ଏପରି ଅଦ୍ଭୁତ ପରମ୍ପରା ଦେଖିବା ପାଇଁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ। ଏହି ପରମ୍ପରା କେଉଁ କାଳରୁ ଚାଲି ଆସିଛି ତାହା ଜଣାପଡ଼ିଛି।

ବାରିପଦାରୁ ଚିତ୍ରଡା ଅଭିମୁଖେ ଯିବା ବେଳେ ରାସ୍ତା ପାର୍ଶ୍ୱରେ ବିରାଜିଛନ୍ତି ଜଗତ ଜନନୀ ମାଆ ଭୈରବୀ। ଖୋଲା ଆକାଶ ତଳେ କେନ୍ଦୁ ଗଛ ମୂଳରେ କେଉଁ କାଳରୁ ଭୈରବୀ ମାଆ ପୂଜା ପାଇ ଆସୁଥିଲେ। ପରବର୍ତ୍ତୀ ସମୟରେ ଗଛ ମୂଳରେ ପ୍ରତିଷ୍ଠା ହୋଇଥିଲା ସୁନ୍ଦର ମନ୍ଦିରଟିଏ। ବର୍ତ୍ତମାନ ସେହି ମନ୍ଦିର ଭିତରେ ମାଆ ପୂଜା ପାଉଛନ୍ତି।

ମାଆ ଭୈରବୀ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ଯିଏ ଯାହାବି କିଛି ମାଗିଛି, ମାଆ ତାଙ୍କର ମନସ୍କାମନାକୁ ପୂରଣ କରି ଦେଇଛନ୍ତି। ଆଉ ମନସ୍କାମନା ପୂରଣ ହେବା ପରେ ଭକ୍ତ ମାଆଙ୍କ ପାଦ ତଳେ ମନଖୋଲି ଦାନ ଓ ଅର୍ପଣ ମଧ୍ୟ କରିଥାଆନ୍ତି। ଏଠାରେ ଏକ ବିରଳ ପରମ୍ପରା ରହିଛି। ମନସ୍କାମନା ପୂରଣ ହେଲେ ଭକ୍ତମାନେ କଞ୍ଚା ଶାଳ ପତ୍ରରେ ଦନାରେ ମାଆଙ୍କ ଉଦ୍ଦେଶ୍ୟରେ ଦେଶୀ ଓ ବିଦେଶୀ ମଦ ଅର୍ପଣ କରିଥାନ୍ତି। ଏହି ପରମ୍ପରା କେଉଁ କାଳରୁ ଚାଲି ଆସିଛି। ପୂର୍ବରୁ ଦେଶୀ ମଦ ଦିଆଯାଉଥିଲା, ବର୍ତ୍ତମାନ ବିଦେଶୀ ମଦ ମାଆଙ୍କ ନିକଟରେ ଅର୍ପଣ କରାଯାଉଛି। ଏହାଛଡ଼ା ଫୁଲ, ଫଳ, ନଡ଼ିଆ, କଦଳୀ ଓ ଶୁଖିଲା ଭୋଗ ମଧ୍ୟ ମାଆଙ୍କ ନିକଟରେ ଭୋଗ ହେଉଛି।

ମାଆ ଭୈରବୀ ପ୍ରତ୍ୟକ୍ଷ ହୋଇଥିବା କାରଣରୁ ପ୍ରତ୍ୟେକ ଦିନ ଦୂରଦୂରାନ୍ତୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାଆନ୍ତି। କହିବାକୁ ଗଲେ ବର୍ଷକ ବାର ମାସ ମାଆଙ୍କ ନିକଟରେ ଭିଡ଼ ଲାଗିଥାଏ। ତେବେ ପ୍ରତ୍ୟେକ ସଂକ୍ରାନ୍ତିରେ ମାଆଙ୍କ ନିକଟରେ ବଡ଼ ବଡ ପୂଜା ହୋଇଥାଏ। ସେହି ଦିନ ବେଶୀ ଭିଡ଼ ଲାଗିଥାଏ। କାରଣ ମନସ୍କାମନା ପୂରଣ ହେବା ପରେ ପ୍ରାୟତଃ ଭକ୍ତମାନେ ସଂକ୍ରାନ୍ତିରେ ପୂଜା କରିବା ପାଇଁ ଆସିଥାଆନ୍ତି। ପୂଜା ସରିବା ପରେ ମାଆଙ୍କ ନିକଟରେ ଦେଶୀ ଓ ବିଦେଶୀ ମଦ ଅର୍ପଣ କରିଥାଆନ୍ତି।

ମନ୍ଦିରର ପୂଜକଙ୍କ କହିବାନୁସାରେ ମାଆ ଭୈରବୀ ଜଙ୍ଗଲରେ ରହୁଥିଲେ। ସେତେବେଳେ ପୂଜକ ଥିଲେ ମୋ ବାପା ଗୋପାଳ ଦେହୁରୀ। ତାଙ୍କର ଦେହାନ୍ତ ପରେ ବର୍ତ୍ତମାନ ମୁଁ ପୂଜା କରୁଛି। ପଞ୍ଚକ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ରଜ ସଂକ୍ରାନ୍ତି ପ୍ରମୁଖରେ ଏଠାରେ ବଡ଼ ବଡ଼ ପୂଜା ହୋଇଥାଏ। ପୂଜା ସରିବା ପରେ ମାଆଙ୍କ ପାଖରେ ମହୁଲି ଓ ବିଦେଶୀ ମଦ ଆଦି ଭୋଗ ଲାଗିଥାଏ। ମୋ’ ବାପା ଭୋଗ ଲଗାଇଥିଲେ, ବର୍ତ୍ତମାନ ମୁଁ ଭୋଗ ଲଗାଉଛି। ତେବେ କଣ ପାଇଁ ମଦକୁ ଭୋଗ ରୂପେ ଅର୍ପଣ କରାଯାଇଥାଏ, ବାସ୍ତବରେ ତାହା ମୁଁ ମଧ୍ୟ ଜାଣିନାହିଁ। ମୁଁ କେବଳ ଏହି ପରମ୍ପରାକୁ ବଞ୍ଚାଇ ରଖିଛି ବୋଲି ପୂଜକ ଜଣକ କହିଛନ୍ତି।

Leave A Reply

Your email address will not be published.