ଶ୍ରୀମନ୍ଦିରର ଇତିହାସରେ ପ୍ରଥମ ଥର ଏମିତି ଘଟଣା: ରୋଷଘରର ୪୩ଟି ଚୁଲିକୁ ଭାଙ୍ଗିଦେଲେ, ନୀତିକାନ୍ତିରେ ବିଳମ୍ବ, କୋଠଭୋଗ ରନ୍ଧାହେଲା କଡ଼େଇରେ

0

Get real time updates directly on you device, subscribe now.

ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବଡ଼ଦେଉଳରେ ବିଶୃଙ୍ଖଳାର ସୀମା ଧୀରେ ଧୀରେ ଟପିବାରେ ଲାଗିଛି। ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ତିନିବର୍ଷ ତଳେ ସେବାୟତ ମହାପ୍ରଭୁଙ୍କୁ ୧୫ ଘଣ୍ଟା ଅଖିଆ ଅପୂଜା ରଖି ବିଶ୍ବ ଦରବାରରେ ନିନ୍ଦିତ ହୋଇଥିଲେ। ଆଜି ପୁଣିଥରେ ମହାପ୍ରଭୁଙ୍କୁ ଅଖିଆଅପିଆ ରଖିବା ପାଇଁ ପ୍ରଚେଷ୍ଟା କରାଯାଇଛି। ଗତକାଲି ଶ୍ରୀମନ୍ଦିର ରୋଷେଇ ଘରେ ପଶି କେହି ଜଣେ ଦୁର୍ବୃତ୍ତ ୪୩ଟି ଚୁଲିକୁ ଶାବଳ, ଲୁହା ରଡ୍ ଆଦିରେ ତାଡ଼ିଦେଇଛି। ଚୁଲି ଭାଙ୍ଗି ଦିଆଯିବାରୁ ରନ୍ଧା କାର୍ଯ୍ୟରେ ବିଳମ୍ବ ହୋଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କର ନୀତିକାନ୍ତି ମଧ୍ୟ ବିଳମ୍ବ ହୋଇଛି। ଯେଉଁଠି ପ୍ରତ୍ୟେକ ଦିନ କୁଡୁଆରେ ରନ୍ଧାହୋଇ ମହାପ୍ରଭୁଙ୍କର କୋଠଭୋଗ ଲାଗି ହେଉଥିଲା, ସେଠି ଆଜି କଡ଼େଇରେ କୋଠଭୋଗ ରନ୍ଧା ପରେ ମହାପ୍ରଭୁଙ୍କୁ ନିକଟରେ ଲାଗିଛି। ରୋଷେଇ ଘରେ ଏଭଳି ଚୁଲି ଭଙ୍ଗା ଘଟଣା ଶ୍ରୀମନ୍ଦିର ଇତିହାସରେ ପ୍ରଥମଥର ଘଟିଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେବାୟତ ଦାବି କରିଛନ୍ତି। ଏତେ ବଡ଼ ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଏହା ବିଷୟରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ରାତି ୧୦ଟା ୪୦ରେ ବଡ଼ସିଂହର ଭୋଗ ପରେ ୧୧ଟା ୧୦ରେ ରାତି ପହୁଡ଼ ହୋଇଥିଲା। ଆଜି ସକାଳେ ଦ୍ବାରଫିଟା ନୀତି ପରେ ରୋଷେଇ ଘର ରନ୍ଧାକାର୍ଯ୍ୟ ପୂର୍ବପ୍ରସ୍ତୁତି ପାଇଁ ନିୟୋଜିତ ସେବକମାନେ ଆସିବା ସମୟରେ ରୋଷଘର ଚୁଲା ସବୁ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା। ଏହିସମୟରେ ପିଠାଆଡ଼ର ୧୦ଟି, ଥାଳିଆଡ଼ର ୬ଟି, ସାତପୁରୀର ୨୫ଟି, ଅହିଆ(ଡାଲି, ତରକାରୀ ରନ୍ଧା ପାଇଁ ବଡ଼ ଚୁଲି) ୨ଟି ଓ କୋଠଭୋଗ ଚୁଲି ୨ଟି ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଥିଲା।

କେହି ଶାବଳରେ ଚୁଲିକୁ ତାଡ଼ି ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ଦେଇଥିବା ସୁଆର ମହାସୁଆର ସେବକମାନେ ପ୍ରକାଶ କରିଛନ୍ତି। ଘଟଣାଟି ଜଣାପଡ଼ିବା ପରେ ଶ୍ରୀମନ୍ଦିର କମାଣ୍ଡରମାନଙ୍କୁ ଘଟଣାର ଅନୁଧ୍ୟାନ କରିବା ପାଇଁ କୁହାଯାଇଥିଲା। କମାଣ୍ଡରମାନଙ୍କର ସ୍ଥିତିକୁ ଜଣାଇବା ପରେ ଜିଲ୍ଲାପାଳ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଓ ସୁରକ୍ଷା ପ୍ରଶାସକ ଭିଏସ ଚନ୍ଦ୍ରଶେଖର ରାଓଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଇଥିମଧ୍ୟରେ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ରୋଷଘର ଦାୟିତ୍ବରେ ଥିବା ରୋଷ ପାଇକ, ରୋଷ ଦୁଆରି, ଧୋପଖାଳୁଆ, ଅଙ୍ଗାରୁଆ, ରବାଡିଆଙ୍କୁ ପଚରାଉଚରା କରିବା ଆରମ୍ଭ ହୋଇଛି। ସମସ୍ତଙ୍କୁ ଆଜି ଶ୍ରୀମନ୍ଦିରର କାର୍ଯ୍ୟାଳୟ ଭିତରେ ଜେରା କରାଯାଇଛି। ଦୁଇଦିନ ମଧ୍ୟରେ ତଦନ୍ତର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜେରା ସମୟରେ ସମସ୍ତଙ୍କ ଭିଡିଓ ରେକର୍ଡିଂ କରାଯାଉଛି ବୋଲି ଜଣାପଡ଼ିଛି।

ଏହି ଘଟଣା ପରେ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ଇତିହାସରେ ଏହା ଏକ କଳଙ୍କ ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଏହା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ସୃଷ୍ଟି କରୁଥିବା ବେଳେ ଏ ଦିଗରେ ଶ୍ରୀମନ୍ଦିରର ପ୍ରଶାସନକୁ ଗୁରୁତ୍ବ ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଶ୍ରୀ ରାଓ କହିଛନ୍ତିକି, ବର୍ତ୍ତମାନ ସୁଦ୍ଧା ଯେଉଁମାନଙ୍କ ଚୁଲି ଭାଙ୍ଗିଛି ସେମାନେ କୌଣସି ପ୍ରକାର ଅଭିଯୋଗ କରିନାହାନ୍ତି। ଆମେ ନିଜ ତରଫରୁ ଘଟଣାର ତଦନ୍ତ ଆରମ୍ଭ କରିଛୁ।

ବର୍ତ୍ତମାନ ସୁଦ୍ଧା କିଏ ଏଭଳି କରିଛନ୍ତି, ତାହା ଜଣାପଡ଼ିନି ବୋଲି ସେ ନିଜର ମନ୍ତବ୍ୟରେ କହିଛନ୍ତି। ସେପଟେ ରୋଷ ଦୁଆରି, ରୋଷ ପାଇକ ଆଦିଙ୍କ ପାଳିଆ ପୁରସ୍କାର ବିବାଦ ପାଇଁ ଏଭଳି ଘଟଣା ଘଟିଥିବାର ଶୁଣିବାକୁ ମିଳୁଛି। ଅନ୍ୟପଟେ ଶ୍ରୀମନ୍ଦିର ସୁଆର ମହାସୁଆରଙ୍କ ଭିତରେ ଦୁଇଗୋଷ୍ଠୀ କିଛିଦିନ ଧରି ସକ୍ରିୟ ଥିଲେ। ରୋଷଘର ଚୁଲାକୁ ନେଇ ଦୁଇଗୋଷ୍ଠୀ ଭିତରେ ବିବାଦ ମଧ୍ୟ ରହିଥିଲା। ଗୋଟିଏ ଗୋଷ୍ଠୀ କାଳିଆ ପଢ଼ିଆରୀଙ୍କ ସପକ୍ଷରେ ଓ ଅନ୍ୟଗୋଷ୍ଠୀ ବିପକ୍ଷରେ ଥିଲେ। କାଳିଆ ପଢ଼ିଆରୀଙ୍କ ମୃତ୍ୟୁ ପରେ ବିପକ୍ଷ ଗୋଷ୍ଠୀ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଶୁଣିବା ପାଇଁ ମିଳୁଛି। ଆଜିର ଏହି ଘଟଣା ପାଇଁ ଶ୍ରୀମନ୍ଦିରରେ ଭଅଣ୍ଡ ଉଠିବା ଓ ମହାପ୍ରସାଦ ବାହାରିବାରେ ବହୁତ ବିଳମ୍ବ ହୋଇଛି। ଯେଉଁଥିପାଇଁ ଭକ୍ତମାନେ ମହାପ୍ରସାଦ ପାଇବାରେ ମଧ୍ୟ ଅନେକ ଅସୁବିଧା ଭୋଗିଛନ୍ତି।

Leave A Reply

Your email address will not be published.