ବଢ଼ିଲା ‘କାଳିଆ ଯୋଜନା’ ଅବଧି , ଆଉ ୩ ବର୍ଷ ପାଇଁ ମିଳିବ ସୁବିଧା

0

Get real time updates directly on you device, subscribe now.

କୃଷକମାନଙ୍କ ଜୀବିକା ଓ ଆୟକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା କାଳିଆ ଯୋଜନାର ଅବଧିକୁ ଆଉ ତିନି ବର୍ଷ ପାଇଁ ବୃଦ୍ଧି କରିଦିଆଯାଇଛି। ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଏହି କାଳିଆ ଯୋଜନାର ଅବଧି ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଥିବା ସମୟରେ ଏହାକୁ ତିନି ବର୍ଷ ପାଇଁ ବଢ଼ାଇବାକୁ ରାଜ୍ୟ ସରକାର ଏହିପରି ନିଷ୍ପତ୍ତି ନେଇଛନ୍ତି। ରବିବାର ଦିନ ଏହାକୁ କ୍ୟାବିନେଟ ତରଫରୁ ଅନୁମୋଦନ ମିଳିଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ରବିବାର ଦିନ ପୂର୍ବାହ୍ନରେ କ୍ୟାବିନେଟ ବୈଠକ ବସିଥିବା ସମୟରେ ଏଥିରେ ସମୁଦାୟ ୨୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ବିଧାନସଭା ଚାଲିଥିବା କାରଣରୁ ସରକାରଙ୍କ ତରଫରୁ ଏ ବିଷୟରେ ସବିଶେଷ ସୂଚନା ଦିଆଯାଇ ନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବର୍ଷକୁ ଦୁଇଟି ପର୍ଯ୍ୟାୟରେ ଚାଷୀମାନଙ୍କୁ କାଳିଆ ଯୋଜନାର ସହାୟତା ମିଳିବ। ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ଚାଷୀମାନଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ଲେଖାଏଁ ପଠାଯିବ।

ସେହିପରି କୋଭିଡରେ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ଆଶୀର୍ବାଦ ଯୋଜନା ଲାଗୁ ହୋଇଥିବା ସମୟରେ ବର୍ତ୍ତମାନ ସେମାନଙ୍କୁ ମାଗଣାରେ ଉଚ୍ଚଶିକ୍ଷା ଓ ଅନ୍ୟାନ୍ୟ ସୁବିଧା ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଆସିଥିବା ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ ମୋହର ବାଜିଛି। ଏହାବାଦ ସମ‌ଲେଶ୍ବରୀ ମନ୍ଦିର ଅଞ୍ଚଳରେ ଉନ୍ନତୀକରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ‘ସମଲାଇ’ ପ୍ରକଳ୍ପକୁ ଟର୍ଣ୍ଣକି ପ୍ରକଳ୍ପ ଭାବରେ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଐତିହ୍ୟ ସହର ପୁରୀ ରେ ‘ଅବଢ଼ା’ ଯୋଜନା, ବେଳାଭୂମି ରାସ୍ତାର ଉନ୍ନତୀକରଣ ଓ ସମ୍ପ୍ରସାରଣ ସହ ଆଚାର୍ଯ୍ୟ ହରିହର ଛକର ପୁନଃଉନ୍ନତୀକରଣ, ଦିଗବାରେଣୀ ଛକରେ ବହୁତଳ କାର ପାର୍କିଂ ବ୍ୟବସ୍ଥା, ଯାତ୍ରିକା ଓ ସିପସରୁବାଲି ନିକଟରେ ପାର୍କିଂ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ହୋଇଛି।

ଭବାନୀପାଟଣାସ୍ଥିତ ନିର୍ମିତ ହୋଇଥିବା ନୂଆ ସରକାରୀ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ନିର୍ମାଣ ମଧ୍ୟ କରାଯିବ। ଏଥିରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମସ୍ଥଳୀ, ଆହାର କେନ୍ଦ୍ର, ଶବାଗାର, ଇଏସଏସ, ରାସ୍ତା, ପାଚେରୀ, ଡ୍ରେନ, ସୌନ୍ଦର୍ଯ୍ୟୀକରଣ ମଧ୍ୟ କରାଯିବ। ଏ ସମ୍ପର୍କିତ ଟେଣ୍ଡରକୁ ମଧ୍ୟ ଅନୁମୋଦନ କରାଯାଇଛି। ଉପରୋକ୍ତ ଏହି ତିନୋଟି ପ୍ରକଳ୍ପକୁ ପୂର୍ତ୍ତ ବିଭାଗ କରିବ।

ସେହିପରି ଓଡ଼ିଶା ରାଜ୍ୟର ଡାଟା ସେଣ୍ଟର ପଲିସି-୨୦୨୨ ଉପରେ ମଧ୍ୟ କ୍ୟାବିନେଟର ମୋହର ବାଜିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ ୨୫୫ କୋଟି ଟଙ୍କାର ଅନୁଦାନ ସଂକ୍ରାନ୍ତ ପ୍ରସ୍ତାବ, ଅଧ୍ୟାପକ ପ୍ରମୋସନ ନେଇ ରୁଲ୍‌ସରେ ସଂଶୋଧନ, ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଉନ୍ନତୀକରଣ ନୀତି-୨୦୧୬ ମସିହାରେ ସଂଶୋଧନ, କୃଷି ପରିସଂଖ୍ୟାନ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଅଧିନିୟମରେ ସଂଶୋଧନ ସମେତ ବିଭିନ୍ନ ବିଭାଗର ପୂର୍ବରୁ ଥିବା ଭିନ୍ନ ଭିନ୍ନ ରୁଲ୍‌ଗୁଡ଼ିକ ମଧ୍ୟ ସଂଶୋଧନ କରିବା ପାଇଁ ନିଷ୍ପତ୍ତି ହୋଇଥିବାର ଜଣାପଡ଼ିଛି।

Leave A Reply

Your email address will not be published.