ଆର ବର୍ଷରୁ ୬ ଟିମ୍‌କୁ ନେଇ ହେବ ମହିଳା ଆଇପିଏଲ !

0

Get real time updates directly on you device, subscribe now.

ପୁରୁଷମାନଙ୍କ ଭଳି ମହିଳାଙ୍କ ଆଇପିଏଲରେ ମଧ୍ୟ ଦଳ ସଂଖ୍ୟା ବଢ଼ିବ। ଚଳିତବର୍ଷ ପୁରୁଷ ଆଇପିଏଲ ଦଳରେ ୧୦ଟି ଦଳକୁ ନେଇ ଅନୁଷ୍ଠିତ ହେବ। ସେହିପରି ଆସନ୍ତାକାଲି ଆଇପିଏଲ ୨୦୨୨ ସଂସ୍କରଣର ପ୍ରଥମ ମ୍ୟାଚରେ ଚେନ୍ନାଇ ଓ କୋଲକାତା ଦଳ ପରସ୍ପର ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ମହିଳା ଆଇପିଏଲକୁ ନେଇ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି।

ଆସନ୍ତାବର୍ଷ ଅର୍ଥାତ ୨୦୨୩ ରୁ ୬ଟି ଦଳକୁ ନେଇ ମହିଳା ଆଇପିଏଲ ମ୍ୟାଚ ଆୟୋଜନ ହେବ। ବିସିସିଆଇ ଏହା ଉପରେ ଯୋଜନା ପ୍ରସ୍ତୁତ କରୁଥିବାର ଜଣାପଡ଼ିଛି। ଆଜି ପ୍ରାୟ ଦୁଇ ବର୍ଷ ପରେ ଗଭର୍ଣ୍ଣିଂ କାଉନସିଲ ବୈଠକ ବସିଥିଲା। ଏହି ସମୟରେ ବିସିସିଆଇ ଆସନ୍ତା ବର୍ଷରୁ ପୂର୍ଣ୍ଣକାଳୀନ ମହିଳା ଟି-୨୦ ଚ୍ୟାଲେଞ୍ଜ ବା ଆଇପିଏଲ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ଏଥିରେ ୬ଟି ଦଳ ଭାଗ ନେବେ। ବର୍ତ୍ତମାନ ମହିଳା ଆଇପିଏଲକୁ ସ୍ପନସର କରୁଥିବା ଦଳକୁ ପ୍ରଥମେ ଦଳ ବାଛିବା ପାଇଁ ଅନୁମତି ମିଳିବ।

ବର୍ତ୍ତମାନ ପର୍ଯ୍ୟନ୍ତ ବିସିସିଆଇ ପରୀକ୍ଷା ମୂଳକ ଭାବରେ ମହିଳା ଟି-୨୦ ଚ୍ୟାଲେଞ୍ଜ ୩ ଦଳକୁ ନେଇ ମ୍ୟାଚ ଆୟୋଜନ କରୁଛି। ୨୦୨୧ ମସିହାରେ କରୋନା ପାଇଁ ମହିଳା ଆଇପିଏଲ ଅନୁଷ୍ଠିତ ହୋଇପାରିନଥିଲା। ୨୦୨୨ ମସିହାରେ କିନ୍ତୁ ପ୍ରଦର୍ଶନୀ ମ୍ୟାଚ୍‌ ଅନୁଷ୍ଠିତ ହେବ। ବୋର୍ଡ ତରଫରୁ ୨୦୧୮ ମସିହାରେ ମହିଳା ଟି-୨୦ ଚ୍ୟାଲେଞ୍ଜ ଆରମ୍ଭ କରାଯାଇଥିଲା। ପ୍ରଥମ ସିଜନରେ କେବଳ ଗୋଟିଏ ମୁକାବିଲା ଖେଳା ଯାଇଥିଲା।

ତେବେ ୨୦୧୯ ଓ ୨୦୨୦ ମସିହାରେ ୩ଟି ଦଳ ମଧ୍ୟରେ ୪ଟି ଲେଖାଏ ମ୍ୟାଚ ଖେଳାଯାଇଥିଲା। ୨୦୨୦ ମସିହାରେ ଭାରତ ବ୍ୟତୀତ ୭ ଦେଶର ମହିଳା ଖେଳାଳି ଏଥିରେ ସାମିଲ ହୋଇଥିଲେ। ଏଥିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍ ଓ ଥାଇଲ୍ୟାଣ୍ଡର ଖେଳାଳି ମଧ୍ୟ ଭାଗ ନେଇଥିଲେ।

ଅଷ୍ଟ୍ରେଲିଆ ବହୁ ଆଗରୁ ୮ ଟିମକୁ ନେଇ ମହିଳା ବିଗ ବ୍ୟାଶ୍ ଲିଗ୍ ଆୟୋଜନ କରିଆସୁଛି। ଇଂଲିଶ କ୍ରିକେଟ ବୋର୍ଡ ମଧ୍ୟ ପୂର୍ଣ୍ଣକାଳୀନ ମହିଳା ଟି-୨୦ ଲିଗକୁ ଆୟୋଜନ କରୁଛନ୍ତି। ଆଗକୁ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମହିଳା ଟି-୨୦ ଲିଗ ମଧ୍ୟ ଆୟୋଜନ କରିବେ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ମଧ୍ୟ ପୂର୍ଣ୍ଣକାଳୀନ ମହିଳା ଟି-୨୦ ଚ୍ୟାଲେଞ୍ଜ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.