ବାପ ମା ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ଉପରେ ପୁଅ ଦାବି କରି ପାରିବ ନାହିଁ – ହାଇକୋର୍ଟଙ୍କ ବଡ଼ ଫଇସଲା

0

Get real time updates directly on you device, subscribe now.

ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଯେଉଁ ରାୟ ଦେଇଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବମ୍ବେ ହାଇକୋର୍ଟ କହିଛନ୍ତି, ଯେତେବେଳ ପର୍ଯ୍ୟନ୍ତ ବାପା-ମା’ ଜୀବିତ ଅଛନ୍ତି ସେତେବେଳେ ଯାଏଁ ତାଙ୍କ ସମ୍ପତ୍ତି ଉପରେ କୌଣସି ସନ୍ତାନଙ୍କର ଅଧିକାର ରହିବ ନାହିଁ । କୋର୍ଟ ଏଭଳି ଫୈସଲା ଜଣେ ମା’ଙ୍କ ଆବେଦନର ଶୁଣାଣି କରି ରାୟ ଦେଇଛନ୍ତି । ଯିଏ ନିଜ ସ୍ୱାମୀଙ୍କର ସମ୍ପତ୍ତି ବିକ୍ରି କରିବାକୁ ଚାହୁଁଥିଲେ । ଆବେଦନକାରୀ ସୋନିଆ ଖାନ୍ ସ୍ୱାମୀଙ୍କ ସମସ୍ତ ସମ୍ପତ୍ତିର ଆଇନଗତ ମାଲିକ ହେବାକୁ ଚାହୁଁଥିଲେ ।

କାରଣ ତାଙ୍କର ସ୍ୱାମୀ ଦୀର୍ଘ ଦିନ ହେବ ଗୁରୁତର ରୋଗରେ ପୀଡିତ ରହିଛନ୍ତି । କିନ୍ତୁ ସୋନିଆଙ୍କ ପୁଅ ଆସିଫ୍ ଖାନ୍ ନିଜ ମା’ଙ୍କର ଏଭଳି ଆବେଦନକୁ ବିରୋଧ କରି ଆସୁଥିଲେ । ତାଙ୍କ ବାପାଙ୍କ ଫ୍ଲାଟକୁ ବିକାଯାଉ ତାହା ଚାହୁଁନଥିଲେ ଆସିଫ । ଯାହାକୁ ବିରୋଧ କରି ଆଉ ଏକ ଆବେଦନ ଦାଖଲ କରିଥିଲେ ପୁଅ ଆସିଫ୍ । କିନ୍ତୁ ଶୁଣାଣି ବେଳେ ବମ୍ବେ ହାଇକୋର୍ଟ ମା’ଙ୍କ ସମର୍ଥନରେ ବାହାରି ପୁଅ ଆସିଫଙ୍କୁ ବଡ ଝଟକା ଦେଇଥିଲେ । ଏପରିକି ଶୁଣାଣି ବେଳେ ପୁଅ ଆସିଫଙ୍କୁ ଅନେକ ପ୍ରଶ୍ନ କରିଥିଲେ କୋର୍ଟ ।

ଆସିଫଙ୍କ କହିବା ଅନୁଯାୟୀ, ତାଙ୍କ ବାପାଙ୍କ ସମ୍ପତ୍ତି ଉପରେ ତାଙ୍କର ସମ୍ପୂର୍ଣ୍ଣ ଭାବେ ଅଧିକାର ରହିଛି । କାରଣ ତାଙ୍କ ବାପା ଓ ମାଙ୍କ ପାଖରେ ଦୁଇଟି ଫ୍ଲାଟ ରହିଛି । ଗୋଟିଏ ତାଙ୍କ ମା’ଙ୍କ ନାଁରେ ଅନ୍ୟଟି ତାଙ୍କ ବାପାଙ୍କ ନାଁରେ । ଆଉ ଏହି ୨ଟି ଫ୍ଲାଟ ସେୟାର ହାଉସହୋଲ୍ଡ ଶ୍ରେଣୀରେ ଆସୁଛି । ତେଣୁ ଏହା ଉପରେ ତାଙ୍କର ହକ ରହିଛି । ତେବେ ଆସିଫଙ୍କ ଏଭଳି ଦାବିକୁ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି ।

ବିଚାରପତି ଗୌତମ ପଟେଲ ଓ ମାଧବ ଜାମଦାରଙ୍କ ଖଣ୍ଡପୀଠ ନିଜ ରାୟରେ ଦର୍ଶାଇଛନ୍ତି ଯେ, ଆସିଫ ସେଭଳି କୌଣସି ଦସ୍ତାବିଜ ଦେଖାଇ ପାରିନଥିଲେ ଯେଉଁଥିରେ ସେ ତାଙ୍କର ବାପାଙ୍କର ଯତ୍ନ ନେଉଥିବେ । ଆସିଫଙ୍କ ଦାବିକୁ କୋର୍ଟ ଆଗ୍ରାହ୍ୟ କରିବା ସହ ଏହା ସ୍ପଷ୍ଟ କରିଥିଲେ ଯେ, ସକ୍ସେସନ ଲ ଏଭଳି କୌଣସି ସ୍ଥାନରେ ଉଲ୍ଲେଖ ନାହିଁ ଯେ, ବାପା ଓ ମା’ଙ୍କ ଜୀବିତ ଅବସ୍ଥାରେ ସମ୍ପତ୍ତି ଉପରେ ପିଲା ମାନଙ୍କର କୌଣସି ଅଧିକାର ରହିବ ବୋଲି । ଯାହାକୁ ଦୃଷ୍ଟିରେ ରଖି ଏଭଳି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ ।

Leave A Reply

Your email address will not be published.