ରାତାରାଜି କୋଟିପତି ହେବା ନିଶାରେ ଜୀବନ ହାରିଲେ ଯୁବ ଇଞ୍ଜିନିୟର,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ରାତାରାତି କୋଟିପତି ହୋଇଯିବାର ନିଶାରେ ଯୁବ ଇଞ୍ଜିନିୟର ନିଜର ଜୀବନ ହାରିଦେଲେ। ପୁଣେ ସ୍ଥିତ ଇନଫୋସିସରେ ସିଷ୍ଟମ ଇଂଜିନିୟର ଭାବରେ ଚାକିରି କରୁଥିବା ବାଲେଶ୍ୱରର ଆମ୍ବିଳିଅଠା ଗାଁର ସୌମିତ୍ର ନନ୍ଦୀ ଗତ ଦୁଇ ବର୍ଷ ହେଲାଣି ଘରେ ରହି କାମ କରୁଥିଲେ। ଏହି ସମୟରେ ସୌମିତ୍ର ଅନଲାଇନ ଟ୍ରେଡିଂ ଓ ଜୁଆ ପ୍ରତି ଆକର୍ଷିତ ହୋଇଥିଲେ ଓ ଏଥିରେ ଲକ୍ଷାଧିକ ଟଙ୍କା ହରାଇଥିଲେ। ଏବଂ ଏହା ହିଁ ତାଙ୍କ ପାଇଁ ବର୍ତ୍ତମାନ କାଳ ପାଲଟିଗଲା। କୌଣସି ଉପାୟ ନପାଇ ଶେଷରେ ସେ ମାନସିକ ଚାପଗ୍ରସ୍ତ ହୋଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।

(ବାପା ମୋତେ କ୍ଷମା କରିଦେବ, ମୁଁ ତୁମକୁ ଖୁସି ଦେଇପାରିଲି ନାହିଁ, ମୋ ଜୀବନରେ ଏମିତି ଘଟିବ ବୋଲି କେବେ ମୁଁ ଭାବିନଥିଲି)

ରାତାରାତି କୋଟିପତି ହେବାର ନିଶା ନେଇଗଲା ଏକ ଜୀବନ। ଋଣ ଭାରରେ ବୁଡ଼ି ରହିଥିଲେ ସୌମିତ୍ରି ଓ ଶେଷରେ ଜୀବନ ହାରିଦେଲେ। ଅନଲାଇନ ଗେମ ପ୍ରତି ଯୁବବର୍ଗଙ୍କର ଆଗ୍ରହ ବଢ଼ୁଥିବା ସମୟରେ ଅନଲାଇନ ଗେମ ଯେ କେତେ ମାତ୍ରାରେ ସାଂଘାତିକ ହୋଇପାରେ, ଜଳେଶ୍ୱରର ଜଣେ ଇଞ୍ଜିନିୟରଙ୍କର ଆତ୍ମହତ୍ୟା, ତାହା ସତର୍କ କରିଦେଇଛି। ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକର ନଛିମପୁର ପଂଚାୟତ ଆମ୍ବିଳିଅଠା ଗାଁର ସୂରୂପ କୁମାର ନନ୍ଦୀଙ୍କର ପୁଅ ସୌମିତ୍ର ନନ୍ଦୀ। ପୁଣେ ସ୍ଥିତ ଇନଫୋସିସରେ ସିଷ୍ଟମ ଇଂଜିନିୟର ଭାବରେ ଚାକିରି କରୁଥିଲେ। କୋଭିଡ ପାଇଁ ଦୁଇ ବର୍ଷ ହେବ ଘରୁ ରହି କାମ କରୁଥିବା ସୌମିତ୍ର ଅନଲାଇନରେ ଟ୍ରେଡିଂ ଓ ଜୁଆ ପ୍ରତି ଆକର୍ଷିତ ହୋଇ ପଇସା ଲଗାଇଥିଲେ। ହେଲେ ଏଥିରେ ସେ ଟଙ୍କା ହରାଇଥିଲେ, ଆଉ ସାଙ୍ଗସାଥୀଙ୍କ ଠାରୁ ଧାର ଆଣିଥିଲେ। ପ୍ରାୟ ୫୦ ଲକ୍ଷ ଟଙ୍କାର ରୁଣ ଭାରରେ ସୌମିତ୍ର ବୁଡ଼ିଯାଇଥିଲେ। ଏଥିରୁ ଜମି ବିକ୍ରି କରି ତାଙ୍କ ବାପା ପାଖାପାଖି ୨୦ ଲକ୍ଷ ଟଙ୍କା ଶୁଝିଦେଇଥିଲେ।

ଆତ୍ମହତ୍ୟା ପୂର୍ବରୁ ନିଜର ପରିବାର ଲୋକମାନଙ୍କ ସହ ଜଳେଶ୍ୱର ଥାନା ଆଇଆଇସିଙ୍କୁ ସୌମିତ୍ର ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଟଙ୍କା ଧାର ନେଇଥିବା କଥାକୁ ମାନିଛନ୍ତି। ଗତ ୧୧ ତରିଖରେ ସୌମିତ୍ରଙ୍କ ନାଁରେ ଭୁବନେଶ୍ୱରର ଜଣେ ଯୁବକ ଥାନାରେ ଟଙ୍କା ଧାର ନେଇ ଫେରାଉନଥିବାର ଏକ ଅଭିଯୋଗ କରିଥିଲେ। ଏହାପରେ ଜଳେଶ୍ୱର ପୋଲିସ ସୌମିତ୍ରଙ୍କୁ ଥାନାକୁ ଡାକିବା ସହ ତାଙ୍କର ମୋବାଇଲ ଓ ଲାପଟପକୁ ଜବତ କରିଥିଲା। ଥାନାରୁ ଫେରିବା ପରେ ସୌମିତ୍ର ମାନସିକ ଚାପଗ୍ରସ୍ଥ ହୋଇଯାଇଥିଲେ। ମଙ୍ଗଳବାର ଦିନ ସକାଳେ ସୌମିତ୍ର ବିଷ ପିଇ ଦେଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଜଳେଶ୍ୱର, ପରେ ବାଲେଶ୍ୱର ଏବଂ କଟକ ଏସସିବିକୁ ମଧ୍ୟ ଅଣାଯାଇଥିଲା କିନ୍ତୁ ତାଙ୍କୁ ବଞ୍ଚାଯାଇପାରିନଥିଲା।

Leave A Reply

Your email address will not be published.