ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ବାହାଦୂରୀ ଦେଖାଇଲା ୧୧ ବର୍ଷର ବାଳକ; ବିନା ଭୟରେ କଲା ୧୦୦୦ କିଲୋମିଟର ଯାତ୍ରା !

0

Get real time updates directly on you device, subscribe now.

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବର୍ତ୍ତମାନ ଅନେକ କାହାଣୀ ସବୁ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ କିଛି କାହାଣୀ ସାହସିକତା ଉପରେ ରହିଛି ତ ଆଉ କିଛି କାହାଣୀ ଲୋକମାନଙ୍କୁ ଭାବପ୍ରବଣ କରିଦେଉଛି। ଏଭଳି ହିଁ ଏକ ସାହସିକତାର କାହାଣୀ ବର୍ତ୍ତମାନ ସ୍ଲୋଭାକିଆରୁ ସାମ୍ନାକୁ ଆସିଛି, ଯେଉଁଠି ଜଣେ ୧୧ ବର୍ଷର ୟୁକ୍ରେନ ବାଳକ ଏକାକୀ ୧୦୦୦ କିଲୋମିଟର ଯାତ୍ରା କରି ସ୍ଲୋଭାକିଆରେ ପହଞ୍ଚିଥିଲେ। ସ୍ଲୋଭାକିଆ ମନ୍ତ୍ରଣାଳୟ ଏହି ବାଳକର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛି।

ସୂଚନା ଅନୁସାରେ, ୧୧ ବର୍ଷର ଏହି ବାଳକ ଦକ୍ଷିଣ-ପୂର୍ବ ୟୁକ୍ରେନର ଜାପୋରିଜିୟାର ବାସିନ୍ଦା, ଯେଉଁଠି ଗତ ସପ୍ତାହରେ ରୁଷୀୟ ସେନା ଦ୍ୱାରା ଏକ ପାଓ୍ଵାର ପ୍ଲାଣ୍ଟକୁ ଦଖଲ କରାଯାଇଥିଲା। ରିପୋର୍ଟ ଅନୁସାରେ, ଅସୁସ୍ଥ ସମ୍ପର୍କୀୟଙ୍କର ଦେଖାଶୁଣା କରିବା ପାଇଁ ତାଙ୍କ ମାଆ, ବାପାଙ୍କୁ ୟୁକ୍ରେନରେ ରହିବାକୁ ପଡିଲା। ତେଣୁ ସେ ଏକୁଟିଆ ସ୍ଲୋଭାକିଆରେ ଆସି ପହଞ୍ଚିଥିଲେ। ଏହି ଯାତ୍ରା ସମୟରେ ବାଳକଟି ପାଖରେ ଏକ ବ୍ୟାଗ ଏବଂ ମା’ଙ୍କ ଦେଇଥିବା କିଛି ନୋଟ୍ ଥିଲା, ଯେଉଁଥିରେ ଏକ ଟେଲିଫୋନ ନମ୍ବର ମଧ୍ୟ ଲେଖା ଯାଇଥିଲା।

ସ୍ଲୋଭାକିଆ ମନ୍ତ୍ରଣାଳୟ ଫେସବୁକରେ ଏହି ବାଳକର ଫଟୋକୁ ସେୟାର କରି ଲେଖିଛିଯେ ‘ଜାପୋରିଜିୟାର ଜଣେ ବାଳକ ୟୁକ୍ରେନରୁ ସ୍ଲୋଭାକିଆ ସୀମା ଦେଇ ଆସିଥିଲେ। ତାଙ୍କ ହାତରେ ଏକ ପ୍ଲାଷ୍ଟିକ୍ ବ୍ୟାଗ୍, ପାସପୋର୍ଟ ଏବଂ ଫୋନ ନମ୍ବର ଲେଖା ଯାଇଥିଲା। ସେ ଏକୁଟିଆ ଆସିଥିଲେ, କାହିଁକି ନା, ତାଙ୍କ ମାଆ, ବାପାଙ୍କୁ ୟୁକ୍ରେନରେ ହିଁ ରହିବାର ଥିଲା। ଏଠାରେ ସ୍ୱେଚ୍ଛାସେବୀମାନେ ତାଙ୍କର ଦେଖାଶୁଣା କରିଥିଲେ। ତାଙ୍କୁ ଏକ ଉଷ୍ମ ସ୍ଥାନକୁ ନେଇ ଖାଦ୍ୟ ଓ ପାନୀୟ ମଧ୍ୟ ଦେଇଥିଲେ।’

ମନ୍ତ୍ରଣାଳୟ ଆହୁରି କହିଥିଲାକି, ‘ପିଲାଟି ନିଜର ହସ ଏବଂ ଜଣେ ପ୍ରକୃତ ହିରୋ ହେବା ସଂକଳ୍ପରେ ସମସ୍ତଙ୍କର ହୃଦୟ ଜିତି ନେଇଥିଲା। ହାତରେ ନମ୍ବର ଏବଂ ପାସପୋର୍ଟରେ ଏକ କାଗଜ ଖଣ୍ଡ ପାଇଁ ଧନ୍ୟବାଦ, ଯଦ୍ଦ୍ଵାରା ଏଠାକାର ଲୋକ ପିଲାର ବାପା, ମାଆଙ୍କୁ ଯୋଗାଯୋଗ କରିପାରିଲେ।

Leave A Reply

Your email address will not be published.