ପଞ୍ଚାୟତ ନିର୍ବାଚନରେ ସବୁଜିଲା ପୁରାପୁରି ପୋଛି ନେବ କି ବିଜେଡି,୩୦ ଜିଲ୍ଲାରେ ସବୁଠି ଶଙ୍ଖ ହିଁ ଶଙ୍ଖ, ମାଟି କାମୁଡିଲେ ବିଜେପି-କଂଗ୍ରେସ !

0

Get real time updates directly on you device, subscribe now.

ଏଥରର ପଞ୍ଚାୟତ ନିର୍ବାଚନରେ ବିଜେଡି ସବୁ ଜିଲ୍ଲାକୁ ପୁରାପୁରି ପୋଛି ନେବ କି। ଯେଉଁଠାରେ ବିଜେପିର ଗଡ ଥିଲା ସେଠାରେ କଣ ଏଥର ମଧ୍ୟ ପଦ୍ମ ଉପରେ ଶଙ୍ଖ ଭାରି ପଡିବ କି। ନା ଶେଷ ଦିନ ଆଡକୁ ଟ୍ରେଣ୍ଡର ମୋଡ ପରିବର୍ତ୍ତନ ହେବ। ଆଜି ହେଉଛି ଭୋଟ ଗଣତିର ପ୍ରଥମ ଦିନ। ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସିଛି ତାହା ଏଭଳି କିଛି ପ୍ରଶ୍ନ ସାମ୍ନାକୁ ଆଣିଦେଇଛି। ୩୦ଟି ଜିଲ୍ଲାରେ ପ୍ରାୟ ସବୁଆଡେ ବିଜେଡି ଶଙ୍ଖ ହିଁ ଶଙ୍ଖ। ପ୍ରଥମ ଦିନ ୩୧୫ଟି ଜିଲ୍ଲା ପରିଷଦର ଆସନ ଫଳାଫଳ ଗଣତି କାରଣରୁ ବିଜେଡି ୨୭୦ଟି ଉପରେ ଥିବା ସମୟରେ ବିଜେପି କେବଳ ୨୦ ଓ କଂଗ୍ରେସ ୧୬ରେ ଅଟକି ଯାଇଛି।

ପ୍ରଥମ ଦିନରୁ ଫଳକୁ ଦେଖିଲେ ଲାଗୁଛିକି ବିଜେପିର ଗଡ କୁହାଯାଉଥିବା ପଶ୍ଚିମ ଓ ଉତ୍ତର ଓଡିଶାରେ ଶଙ୍ଖ ଏକପାଖିଆ ଧସେଇ ହୋଇ ପସିଛି। ଯେଉଁଠାରେ ଗତଥର ବିଜେପିର ଜିଲ୍ଲା ପରିଷଦ ଗଢି ଉଠିଥିଲା ସେଥରେ ଏଥର ପଦ୍ମଦଳ ମାଟି କାମୁଡିବା ଅବସ୍ଥା। କଳାହାଣ୍ଡି, ସୁବର୍ଣ୍ଣପୁର, ଦେବଗଡ, ସମ୍ବଲପୁର, ବଲାଙ୍ଗିର, ବରଗଡ ଆଦି ପଶ୍ଚିମ ଓଡିଶା ଜିଲ୍ଲାରେ ବିଜେଡି ମାତ ଦେଇ ବିଜେପିକୁ ବହୁଆଗରେ ରହିଛି। ଯଦି ଏହି ଟ୍ରେଣ୍ଡ ଆଗକୁ ଜାରି ରହେ ତେବେ ବିଜେପି ଗଡକୁ ଭାଙ୍ଗି ବିଜେଡିଯେ ଧ୍ବସ୍ତ ବିଧ୍ବସ୍ତ କରିଦେଇଛି ତାହା କହିବାକୁ ପଡିବ।

କାରଣ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ୨୦୯ଟି ଜିଲ୍ଲା ପରିଷଦ ଆସନରୁ ଗତଥର ବିଜେପି ୧୨୧ଟି ଆସନ ହାତେଇଥିଲା। ଏଥର ଏତେ ତଳକୁ ଦଳ ଖସିବ ବୋଲି ସମସ୍ତଙ୍କର ଆକଳନରୁ ବାହାରେ। କଂଗ୍ରେସର ଅବସ୍ଥା ମଧ୍ୟ ସେଇଆ। ଅତି ବେଶିରେ ବେଶି ରାୟଗଡା ଜିଲ୍ଲାରେ କଂଗ୍ରେସ ବିଜେଡିକୁ ଚେକ ଦେଇପାରେ ବୋଲି ଆକଳନ କରାଯାଉଛି। ନହେଲେ କଂଗ୍ରେସର ମଧ୍ୟ ବିଜେପି ଭଳି ଅବସ୍ଥା। ତଥାପି ଦୁଇ ବିରୋଧିଦଳଙ୍କର ବିଶ୍ବାସ ପୁରା ଫଳ ବାହାରିବା ବେଳକୁ ସଂଖ୍ୟାରେ ନିଶ୍ଚିତ କିଛି ମ୍ୟାଜିକ ହୋଇପାରେ।

୨୦୧୭ ମସିହାର ପଞ୍ଚାୟତ ନିର୍ବାଚନରେ ସମସ୍ତଙ୍କୁ ଚକମା ଦେଇ ବିଜେପି ଦୁଇ ନମ୍ବର ଦଳଭାବରେ ଉଭା ହୋଇଥିଲା। ଜିଲ୍ଲା ପରିଷଦରେ ୨୯୭ଟି ସିଟ ନେଇ କଂଗ୍ରେସକୁ କାଟି ବିଜେପିର ମୁଖ୍ୟ ବିରୋଧିଦଳ ଆଡକୁ ଯାଉଥିବା ବାର୍ତ୍ତା ଦେଇଥିଲା। ୨୦୧୯ ମସିହା ସାଧାରଣ ନିର୍ବାଚନରେ ମଧ୍ୟ ତାହା ପ୍ରତିଫଳିତ ହେଲା। ଏଥର ପଞ୍ଚାୟତ ନିର୍ବାଚନରେ ବିଜେପି ସେହି ଟ୍ରେଣ୍ଡକୁ ବଜାୟ ରଖିପାରିବ ବୋଲି ମନେ ହେଉନାହିଁ। ଯେଉଁ ୮ଟି ଜିଲ୍ଲା କଳାହାଣ୍ଡି, ମୟୁରଭଞ୍ଜ, ସମ୍ବଲପୁର, ବଲାଙ୍ଗିର, ବରଗଡ, ଦେବଗଡ, ଗଜପତି ଓ ସୁବର୍ଣପୁରରେ ବିଜେପି ଜିଲ୍ଲାପରିଷଦ ସଭାପତି ପଦ ହାତେଇ ଥିଲା ଏହିସବୁ ଜିଲ୍ଲାରେ ଦଳ ପ୍ରଥମ ଦିନର ଗଣତି ଅନୁସାରେ ପଛରେ ପଡିଯାଇଛି।

ଦକ୍ଷିଣ ଓଡିଶାରେ ଗଜପତି ଓ ଉତ୍ତର ଓଡିଶାରେ ମୟୁରଭଞ୍ଜ ଜିଲ୍ଲାରେ ବିଜେପି ଏଥର ଜିଲ୍ଲା ପରିଷଦର ଆସନ ଗଢିପାରିବ ବୋଲି କହି ହେଉନାହିଁ। ଗତଥର କଂଗ୍ରେସ କେବଳ ଝାରସୁଗୁଡା ଏବଂ ରାୟଗଡା ଜିଲ୍ଲାରେ ନିଜର ଜିଲ୍ଲାପରିଷଦ ଗଠନ କରିଥିଲା। ଏଥର କେବଳ ରାୟଗଡାକୁ ଛାଡିଦେଲେ ଆଉ କେଉଁଠି କଂଗ୍ରେସ ସ୍ଥିତିରେ ସୁଧାର ଆସିବାର ଦେଖାଯାଉନାହିଁ। ବରଂ ଗତଥର ୨୦ଟି ଜିଲ୍ଲାରେ ଜିଲ୍ଲାପରିଷଦ ଗଠନ କରିଥିବା ବିଜେଡି ଏଥର ପ୍ରାୟ ସମସ୍ତ ଜିଲ୍ଲା କ୍ୟାପଚର କରିବା ଦିଗରେ ଆଗକୁ ବଢୁଅଛି। ପ୍ରଥମ ଦିନର ଗଣତିର ଟ୍ରେଣ୍ଡକୁ ଦେଖିଲେ ଯେକେହିବି ଏହି ଆକଳନ କରିପାରିବେ। ଟ୍ରେଣ୍ଡ ଦେଖି ବିଜେଡି ମଧ୍ୟ ଖୁସ। ଦଳ କହିଛି ସବୁ ଶ୍ରେୟ ଦଳର ସୁପ୍ରିମୋ ନବୀନ ପଟନାୟକଙ୍କର ଅଟେ।

ସବୁଠୁ ବଡ କଥା ହେଉଛିକି, ଯେଉଁ ସ୍ଥାନରେ ବିଜେପି , କଂଗ୍ରେସର ବିଧାୟକ ଓ ସାଂସଦ ଅଛନ୍ତି ସେହି ଜିଲ୍ଲା ଓ ନିର୍ବାଚନ ମଣ୍ଡଳିରେ ମଧ୍ୟ ଏ ଦୁଇ ଦଳ ଭଲ ଭାବରେ ପ୍ରଦର୍ଶନ କରି ପାରୁନାହାଁନ୍ତି। ବିଜେଡି ଏକତରଫା ଭାବରେ ବିରୋଧିଙ୍କର ଗଡରେ ପଶି ଶଙ୍ଖ ଫୁଙ୍କିବାରେ ସମକ୍ଷ ହୋଇପାରିଛି। ତେଣୁ ବର୍ତ୍ତମାନ ଠାରୁ ଏହି ଦୁଇ ଦଳଙ୍କୁ ଆତ୍ମସମୀକ୍ଷା କରିବା ପାଇଁ ହେବ।

Leave A Reply

Your email address will not be published.