ଗହଣା ବିକ୍ରି କରି ମା କିଣି ଦେଇଥିଲେ ବ୍ୟାଟ୍‌, ଆଉ ପୁଅ ମାରିଲା ଟ୍ରିପଲ୍‌ ସେଞ୍ଚୁରୀ

0

Get real time updates directly on you device, subscribe now.

ଭାରତରେ କ୍ରିକେଟ୍‌ ଖେଳ ପ୍ରତି ଲୋକମାନଙ୍କର ବହୁତ ଆକର୍ଷଣ ରହିଛି। ଏଥିରୁ ପ୍ରଶଂସା ଯେମିତି ମିଳେ ପଇସା ମଧ୍ୟ ସେମିତି ମିଳିଥାଏ। ତେଣୁ କ୍ରିକେଟ୍‌ ଖେଳାଳିମାନେ ସବୁବେଳେ ଲୋକମାନଙ୍କ ନଜରରେ ଥାନ୍ତି। ଭାରତ ଯେଉଁଠି ବି ଖେଳୁ ଫ୍ୟାନ୍‌ମାନଙ୍କ ଥାଏ ଖେଳାଳିଙ୍କ ସ୍କୋର ଓ ଦଳର ଜିତିବା ହାରିବା ଉପରେ। ଯଦି କେହି ଭଲ ଖେଳିଲା କି ରେକର୍ଡ଼ କଲା ତେବେ ତ ସେହି ଖେଳାଳୀ ହିରୋ ହୋଇଗଲା।

ବିହାରର ଜଣେ ଯୁବା ଖେଳାଳି ବର୍ତ୍ତମାନ ସିଲେକଟରଙ୍କ ଠାରୁ ଆରମ୍ଭ କରି ଖେଳାଳି ଓ କ୍ରିକେଟ୍‌ ପ୍ରେମୀ ସମସ୍ତଙ୍କୁ ନିଜ ଦକ୍ଷତାରେ ଚକିତ କରି ଦେଇଛନ୍ତି। ସେ ହେଉଛନ୍ତି ୨୨ ବର୍ଷ ବୟସ୍କ ସାକିବୁଲ ଗନି। ସେ ନିଜର ପ୍ରଥମ ରଣଜୀ ମ୍ୟାଚରେ ସେ ୨୫୦ ବର୍ଷର ପୁରୁଣା ରେକର୍ଡ଼କୁ ଭାଙ୍ଗିଛନ୍ତି। ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ସେ ପଦାର୍ପଣ କରୁ କରୁ ସେ ହଇଚଇ ସୃଷ୍ଟି କରି ଦେଇଛନ୍ତି। ବର୍ତ୍ତମାନ ଚାଲିଥିବା ରଣଜୀ ଟ୍ରଫିରେ ମିଜୋରାମ ବିରୁଦ୍ଧରେ ଗନି ତ୍ରିଶତକ ମାରିଛନ୍ତି। ସମୁଦାୟ ୩୪୧ ରନ ସ୍କୋର କରିଛନ୍ତି।

କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ସକିବୁଲ ଗନି ଏଭଳି ଇନିଂସକୁ ଖେଳିଛନ୍ତି ଯେ ଆଜି ତାଙ୍କୁ ନେଇ ସମସ୍ତେ ଚର୍ଚ୍ଚା କରୁଛନ୍ତି। ସେ ନିଜ ଜୀବନର ପ୍ରଥମ ମ୍ୟାଚରେ ତ୍ରିଶକ ବା ଟ୍ରିପଲ ସେଞ୍ଚୁରୀ କରିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ ଖେଳାଳି। ବର୍ତ୍ତମାନ ଗନିଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ତାଙ୍କୁ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ବୋଲି କୁହାଯାଉଛି। ଏମିତିକି ସଚିନ ତେନ୍ଦୁଲକରଙ୍କ ଭଳି କିମ୍ବଦନ୍ତୀ ଖେଳାଳିମାନେ ମଧ୍ୟ ଗନିଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି କହି ସାରିଲେଣି।

ପ୍ରଥମ ପ୍ରତିଯୋଗିତାରେ ଏହି ବିରାଟ ସଫଳତା ଲାଭ କରିଥିବା ସାକିବୁଲଙ୍କ ଯାତ୍ରା କିନ୍ତୁ ଖୁବ୍‌ ସଂଘର୍ଷମୟ ରହିଛି। ନିଜର ସଫଳତା ପାଇଁ ସେ କେବଳ ନିଜ ପରିଶ୍ରମକୁ ଦାୟୀ କରିପାରନ୍ତି। ତାଙ୍କୁ ଖେଳ ପାଇଁ ସମର୍ଥନ ଦେଇ ଆସିଥିବା ମା ହିଁ ତାଙ୍କର ସଫଳତା ପଛର ପ୍ରଥମ ଓ ଶେଷ କାରଣ ଅଟନ୍ତି। ପିଲାବେଳୁ ସାକିବଙ୍କର କ୍ରିକେଟ ପ୍ରତି ପ୍ରବଳ ଆଗ୍ରହ ଥିଲା। ସେ ଖେଳୁଥିଲେ। ହେଲେ ଭଲ ଖେଳୁଥିଲେ ମଧ୍ୟ ତାଙ୍କ ପାଖରେ ଖେଳିବା ପାଇଁ ଗୋଟିଏ ଭଲ ବ୍ୟାଟଟିଏ ନଥିଲା। ଗରିବ ପରିବାରରେ ଏତେ ଟଙ୍କା ଆସିବ କୁଆଡୁ ଯେ ସେ ଦେବେ। ତଥାପି ତାଙ୍କ ମା, ପୁଅର ଆଗ୍ରହକୁ ଏଡ଼ାଇ ପାରିଲେ ନାହିଁ। ସେ ନିଜ ସୁନାଗହଣା ବିକ୍ରି କରି ପୁଅ ପାଇଁ ଏକ ବ୍ୟାଟ କିଣି ଦେଇଥିଲେ। ଗୋଟିଏ ଦାମୀ ବ୍ୟାଟର ମୂଲ୍ୟ ପ୍ରାୟ ୩୫ ରୁ ୪୦ ହଜାର ଟଙ୍କା। ହେଲେ ସେ ନିଜ ପେଟରୁ କାଟି, ନିଜ ଗହଣା ବିକି ପୁଅ ଗନି ପାଇଁ ବ୍ୟାଟ୍‌ କିଣି ଦେଇଥିଲେ। ଆଉ ତାଙ୍କର ସେହି ତ୍ୟାଗ ଆଜି ଏପରି ଫଳ ଦେଇଛି। ସେହି ବ୍ୟାଟରେ ଖେଳି ଗନି ୪୦୫ ଟି ବଲରେ ୩୪୧ ରନ୍‌ ସ୍କୋର କରିଛନ୍ତି। ଏଥିରେ ରହିଛି ୫୬ଟି ଚୌକା ଓ ୨ଟି ଛକା।

ଗନିଙ୍କର ବଡ଼ ଭାଇ ଫୈଜଲ କହିଛନ୍ତିକି ତାଙ୍କର ମା କେବେବି ସେମାନଙ୍କୁ ଅର୍ଥର ଅଭାବ କଥା ଚିନ୍ତା କରିବାକୁ ଦେଇ ନାହାନ୍ତି। ଯାହାର ଯାହା ଦରକାର ଘରୁ କିଛି ଜିନିଷ ବିକ୍ରି କରିବାକୁ ପଡ଼ିଲେ ମଧ୍ୟ ବିକା ଭାଙ୍ଗି କରି ଦେଇ ଦିଅନ୍ତି। ଏମିତିରେ ସେ ରଣଜୀ ଟ୍ରଫିରେ ଗନି ଖେଳିବା ପୂର୍ବରୁ ନିଜ ଅଳଙ୍କାର ବିକି ତିନିଟି ବ୍ୟାଟ୍‌ ଦେଇଥିଲେ। ଆଉ କହିଥିଲେ, ଏଇ ତିନିଟି ବ୍ୟାଟ୍‌ରେ ତିନିଟି ସେଞ୍ଚୁରୀ ମାରିବୁ। ହେଲେ ଗନି ଯେମିତି ମା’ଙ୍କ କଥାକୁ ନିଜର ଲକ୍ଷ୍ୟ ଭାବରେ ନେଇଥିଲେ । ଆଉ ପ୍ରଥମ ମ୍ୟାଚ୍‌ରେ ହିଁ ଟ୍ରିପଲ ସେଞ୍ଚୁରୀ ମାରି ଦେଲେ । ଆଉ ଗୋଟିଏ ମଜାଦାର କଥା ମଧ୍ୟ ରହିଛି ଏଥିରେ। ମା’ଙ୍କ ଠାରୁ ନୂଆ ବ୍ୟାଟ୍‌ ପାଇବା ପରେ ସେ ତାଙ୍କର ଆଶୀର୍ବାଦ ଚାହିଁଥିଲେ। ଯେମିତି କାହାର ନଜର ନଲାଗେ ସେଥିପାଇଁ କିଛି କରିବାକୁ କହିଥିଲେ। ଆଉ ମା ମଧ୍ୟ ତାଙ୍କର ନଜର ଝାଡିଥିଲେ।

୧୯୯୯ ମସିହା ସେପଟେମ୍ବର ୨ ତାରିଖରେ ବିହାରର ମୋତିହାରି ନିକଟରେ ସାକିବୁଲ ଗନିଙ୍କ ଜନ୍ମ। ସେ ୨୦୧୯ ମସିହା ଅକ୍ଟୋବର ୭ ତାରିଖରେ ତାଙ୍କର ପ୍ରଥମ ‘ଏ’ ମ୍ୟାଚ୍‌ ଖେଳିଥିଲେ। ଆଉ ରଣଜୀ ଟ୍ରଫିରେ ଖେଳି ଗତ ଶୁକ୍ରବାର ଦିନ ସେ ବିଶ୍ୱ ରେକର୍ଡ଼ କରିଛନ୍ତି। ପରିବାରରେ ଗନିଙ୍କ ସମେତ ତାଙ୍କର ୬ ଜଣ ଭାଇ ଭଉଣୀ ଅଛନ୍ତି। ସାକିବ ହେଉଛନ୍ତି ସବୁଠୁ ସାନ ଭାଇ। ମା’ଙ୍କ ନାଁ ହେଉଛି ଆସମା ଖାତୁନ। ସାକିବଙ୍କର ଭାଇ ଫୈଜଲ ମଧ୍ୟ ବିହାରରେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳନ୍ତି। ବାପା ମହମ୍ମଦ ମାନନ୍‌ ଗନି ଏକ ସ୍ପୋର୍ଟସ ଦୋକାନ କରିଛନ୍ତି। ସେଇଥିରେ ଯାହାବି କିଛି ରୋଜଗାର ହୁଏ ପରିବାର ଚଳେ।

ପିଲାଙ୍କ ଖେଳାଳି ହେବାର ସ୍ୱପ୍ନ ଯେମିତି ଆଗକୁ ବଢ଼ିବ ସେଥିରେ ଉଭୟ ମା ବାପା ତାଙ୍କୁ ସମର୍ଥନ କରି ଆସିଛନ୍ତି। ବଡ଼ଭାଇ ଫୈଜଲ ସବୁବେଳେ ସାକିବଙ୍କୁ ବାଟ ଦେଖାଇଛନ୍ତି। ବିଶେଷ କରି ମା’ଙ୍କ ଅବଦାନ ପାଇଁ ଗନି ଆଜି ଏତେବଡ଼ କାମ କରି ପାରିଛନ୍ତି। ତେଣୁ ମୋତିହାରି ଅଞ୍ଚଳରେ ବର୍ତ୍ତମାନ ମା ଆସମାଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି। ଲୋକମାନେ ପ୍ରଶଂସାରେ ପୋତି ପକାଉଛନ୍ତି। ଘର ଭିତରୁ ସହଯୋଗ, ସମର୍ଥନ ଓ ପ୍ରେରଣା ପାଇଲେ ପିଲାମାନେ ନିଶ୍ଚିତ ନିଜ କ୍ଷେତ୍ରରେ ସଫଳତାର ଶିଖର ଛୁଇଁବ ବୋଲି ହାସିବୁଲ ଗନି ଏହା କରି ଦେଖାଇ ଦେଇଛନ୍ତ।

Leave A Reply

Your email address will not be published.