ବ୍ରିଟେନ୍ ରେ ଏକ ଯୁଗର ଅନ୍ତ ଘଟିଲା । ବ୍ରିଟେନର ଦୀର୍ଘତମ ଶାସନ କରୁଥିବା ରାଣୀ ଏଲିଜାବେଥଙ୍କ ନିଧନ ହୋଇଛି । ସେ ୯୬ ବର୍ଷ ବୟସରେ ଦେହାନ୍ତ କରିଛନ୍ତି । ବାର୍ଦ୍ଧକ୍ୟ ଜନିତ କାରଣରୁ କୁଇନ୍ ଏଲିଜାବେଥ୍ ଙ୍କ ଦେହାନ୍ତ ହୋଇଛି । ଏନେଇ ବକିଙ୍ଗହମ୍ ପ୍ୟାଲେସ୍ ତରଫରୁ ସୂଚନା ମିଳିଛି । ବକିଙ୍ଗହମ୍ ପ୍ୟାଲେସ୍ ଏକ ପ୍ରେସ ବିବୃତ୍ତିରେ କହିଛି ଯେ କାଲି ଅପରାହ୍ନରେ ବାଲମୋରାଲରେ ରାଣୀ ଶାନ୍ତିରେ ଚୀରନିଦ୍ରାରେ ଯାଇଛନ୍ତି । ରାଜ ପରିବାର ଟ୍ବିଟରେ କହିଛନ୍ତି ଯେ ‘ଗତକାଲି ଅପରାହ୍ନରେ ବାଲ୍ମୋରାଲରେ ରାଣୀ ଶାନ୍ତିପୂର୍ଣ୍ଣ ଭାବେ ମୃତ୍ୟୁବରଣ କରିଥିଲେ ।
କିଙ୍ଗ ଏବଂ ଦି କୁଇନ୍ କନସର୍ଟ ଆଜି ସନ୍ଧ୍ୟାରେ ବାଲମୋରାଲରେ ରହି ଆସନ୍ତାକାଲି ଲଣ୍ଡନକୁ ଫେରିବେ’ । ତେବେ ରାଣୀ ଏଲିଜାବେଥ୍ ଦ୍ୱିତୀୟ ରାଜା ଜର୍ଜ ଷଷ୍ଠ ଏବଂ ରାଣୀ ଏଲିଜାବେଥଙ୍କର ପ୍ରଥମ ସନ୍ତାନ । ତାଙ୍କ ପିତାଙ୍କ ମୃତ୍ୟୁ ପରେ ଫେବୃଆରୀ ୧୯୫୨ ରେ ସେ ବ୍ରିଟେନର ରାଣୀ ତଥା ଅନ୍ୟାନ୍ୟ କମନୱେଲଥ ଦେଶର ହୋଇଥିଲେ । ସେ ସମୟରେ ତାଙ୍କୁ ୨୫ ବର୍ଷ ହୋଇଥିଲା । ସେ ନଭେମ୍ବର ୧୯୪୭ ରୁ ଏପ୍ରିଲ ୨୦୨୧ ରେ ପ୍ରିନ୍ସ ଫିଲିପଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଗ୍ରୀସ ଏବଂ ଡେନମାର୍କର ପୂର୍ବତନ ରାଜକୁମାର ଫିଲିପ ମାଉଣ୍ଟବ୍ୟାଟେନଙ୍କୁ ବିବାହ କରିଥିଲେ ।
ଦୁହିଁଙ୍କର ଚାରି ସନ୍ତାନ ଥିଲେ । ଚାର୍ଲ୍ସ ୱେଲ୍ସର ପ୍ରିନ୍ସ; ଆନ୍, ରାଜକୁମାରୀ ରୟାଲ୍; ପ୍ରିନ୍ସ ଆଣ୍ଡ୍ରୁ ଡ୍ୟୁକ୍ ଅଫ୍ ୟର୍କ; ଏବଂ ପ୍ରିନ୍ସ ଏଡୱାର୍ଡ ୱେସେକ୍ସର ଆର୍ । ତେବେ ୯୬ବର୍ଷ ବୟସରେ ଆଖି ବୁଜିଛନ୍ତି ମହାରାଣୀ ଏଲିଜାବେଥ୍ । ବାଲମୋରାଲ ପ୍ୟାଲେସରେ ମହାରାଣୀ ରହିଆସୁଥିବା ବେଳେ, ସେହିଠାରେ ହିଁ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ମହାରାଣୀ ଅସୁସ୍ଥ ଥିବା ନେଇ ଖବର ପ୍ରଚାରିତ ହୋଇଥିଲା । ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ମହାରାଣୀଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ସଦ୍ୟ ସୂଚିତ ରିପୋର୍ଟ ମୁତାବକ ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁ ହୋଇଛି ।
ମହାରାଣୀଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସ ଏବଂ ନାତି ପ୍ରିନ୍ସ ୱିଲିୟନ ତାଙ୍କ ପାଖକୁ ଆଜି ଆସିଥିଲେ । ତେବେ ମହାରଣୀ ଏଲିଜାବେଥ ଦ୍ୱିତୀୟ ବ୍ରିଟେନରେ ସବୁଠାରୁ ଦୀର୍ଘ ସମୟ ଧରି ଶାସନରେ ରହିଥିଲେ । ସେ ୧୯୫୨ରୁ ୨୦୨୨ ଯାଏ, ଦୀର୍ଘ ୭୦ ବର୍ଷ ଧରି ଦେଶର ଶାସନ କ୍ଷମତା ସମ୍ଭାଳିଥିଲେ । ରାଣୀ ଏଲିଜାବେଥ-ଦ୍ବିତୀୟ ଦେହାନ୍ତ ପରେ ବ୍ରିଟେନର ଭାବୀ ସମ୍ରାଟ ହେବାକୁ ଯାଉଛନ୍ତି ପ୍ରିନ୍ସ ଚାର୍ଲସ । ରାଣୀଙ୍କ ପରଲୋକ ପର ସାରା ବିଶ୍ବରୁ ତାଙ୍କ ପାଇଁ ଶାେକ ବାର୍ତାର ଶୁଅ ଛୁଟିଛି ।