ଅନାଥ ହେଲେ ତିନି କଅଁଳ ଶିଶୁ । ପ୍ରଥମେ ମାଆ ଓ ପରେ ବାପା ହାତ ଧରାଧରି ହୋଇ ଚାଲିଗଲେ ଓ ଛାଡ଼ିଗଲେ ପଛରେ ନିଷ୍ପାପ ତିନି ଛୁଆଙ୍କୁ

0

Get real time updates directly on you device, subscribe now.

ବିଧାତାର ତାଡ଼ନାରେ ଛେଉଣ୍ଡ ହୋଇଗଲେ ତିନି ଭାଇଭଉଣୀ । ମୁଣ୍ଡ ଉପରେ ନାହିଁ ମା’ର ସ୍ନେହବୋଳା ପଣତକାନି କି ଦୁଷ୍ଟାମୀ କଲେ, କିମ୍ବା ପାଠ ନପଢ଼ିଲେ ଆକଟ କରିବାକୁ ବାପା ନାହାନ୍ତି । ଜୀବନ କ’ଣ ଜାଣିବା ପୂର୍ବରୁ ବାପାମା’ ଦୁଇ ଜଣ ହାତ ଧରାଧରି ହୋଇ ଚାଲିଗଲେ । କଥାରେ ଅଛି ଯାର ବାପାମା ନାହିଁ, ତା’ର ଦୁନିଆରେ କେହି ନାହିଁ । ବିଚିତ୍ର ସ୍ରଷ୍ଟାଙ୍କ ଏହି ବିଚିତ୍ର ସୃଷ୍ଟିରେ ବେସାହାରା ହୋଇଗଲେ ତିନି କୁନି ନିଷ୍ପାପ ଶିଶୁ । ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ କି ପେଟ ପୂରାଇ ଖାଇବାକୁ ଦାନା ମୁଠେ ନାହିଁ ।

ଆହା ପଦେ କହିବାକୁ ପାଖରେ କେହି ନାହିଁ । ଏତେ ବଡ଼ ଦୁନିଆରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ଛେଉଣ୍ଡ ଅନାଥ ଶିଶୁ । ଏପରି ଦୁର୍ଦ୍ଦିନରେ ସରକାରଙ୍କୁ କୋହଭରା କଣ୍ଠରେ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରିଛନ୍ତି ତିନି ଭାଇଭଉଣୀ । ତେବେ ଏଭଳି ଏକ ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାଲାଣଗୁଡ଼ା ଗ୍ରାମ ପଞ୍ଚାୟତର ଟିଟିବେରି ଗ୍ରାମ ରେ । ଅନାଥ ହୋଇଯାଇଛି ଏହି ୩ କଅଁଳ ଶିଶୁ । ବର୍ତ୍ତମାନ ସେହି ଅନାଥଙ୍କର ନା ଅଛନ୍ତି ମାଁ, ନା ଅଛନ୍ତି ବାପା ।

ସୂଚନା ଅନୁସାରେ ମାସେ ଭିତରେ ପ୍ରଥମେ ମାଁ ଗାଙ୍ଗି କୁରାମି ଅଜଣା ରୋଗରେ ଗୋଡ଼ ହାତ ଫୁଲି ମୃତ୍ୟୁ ବରଣ କରିଥିବା ବେଳେ, ବାପା ସମା କୁରାମି, ତିନି ପିଲାଙ୍କର ସାହା ଭରଷା ପାଲଟିଥିଲେ । କାମ ନକଲେ ଘରର ଚୁଲି ଜଳେ ନାହିଁ । ଏଭଳି ପରିସ୍ଥିତିରେ ବାପା କରିବେ ବା କ’ଣ । ପିଲାଙ୍କ ପେଟରେ ଦୁଇମୁଠା ଦାନା ଯୋଗାଇ ଦେବା ପାଇଁ, କେନ୍ଦୁପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିଲେ ସେଠାରେ ଅଜଣା ବିଷଧର ସାପ ସମା କୁରାମିଙ୍କୁ କାମୁଡ଼ି ଦେଇଥିଲେ । କିନ୍ତୁ ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଡାକ୍ତରଖାନାକୁ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଦର୍ଶକବନ୍ଧୁ ଭାଗ୍ୟର ବିଡମ୍ବନା ଦେଖନ୍ତୁ । କ’ଣ ପାପ କରିଥିଲେ ଏହି ନିରୀହ ଶିଶୁମାନେ

ସତେ ଯେପରି ଆକଶର କଳାବାଦଲ ଛାଇଗଲା ଏହି କଅଁଳ ବାପା ମାଁ ଛେଉଣ୍ଡ ପିଲାଙ୍କ ଉପରେ । ୧୦ ବର୍ଷର ବିକୁ ଅର୍ଥାତ ବଡ଼ ଭାଇ ଗ୍ରାମର ଏକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଡୁଥିବା ବେଳେ, ଭଉଣୀ ମାଧୁରୀ ଓ ସାନ ଭାଇ ଇର୍ମା ଗ୍ରାମର ଏଣେ ତେଣେ ଘୂରି ବୁଲନ୍ତି । ସମ୍ପର୍କୀୟ ମାନେ କେତେ ବେଳେ ଡାକିଲେ ଦୁଇ ମୁଠାଏ ଖାଆନ୍ତି ଏମାନେ । ଏଭଳି ଦୃଶ୍ୟକୁ ଦେଖି ଗ୍ରାମବାସୀ ଓ ସମ୍ପର୍କୀୟ ଜିଲ୍ଲା ପ୍ରଶାସନକୁ ଏହି କଅଁଳ ଶିଶୁଙ୍କ ଉଜ୍ବଳ ଭବିଷ୍ୟତ ଓ ଭରଣପୋଷଣ ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.