ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଘଟାଇଲେ ଅଭାବନୀୟ କାଣ୍ଡ,ଲୋକଙ୍କ ଉପରକୁ ମଡ଼ାଇଦେଲେ ଗାଡି,୨୫ରୁ ଊର୍ଦ୍ଧ୍ୱ ଗୁରୁତର

0

Get real time updates directly on you device, subscribe now.

ବାହୁବଳୀ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏକ ଅଭାବନୀୟ କାଣ୍ଡ ଘଟାଇଲେ। ବ୍ଲକ ଅଧ୍ୟକ୍ଷରେ ନିର୍ବାଚନ ନିମନ୍ତେ ଆଜି ବାଣପୁର ବ୍ଲକ କାର୍ଯ୍ୟାଳୟରେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ ହଠାତ ସେହି ସମୟରେ ବିଧାୟକ ଭିଡ଼ ଭିତରକୁ ଗାଡ଼ି ପଶାଇଦେଲେ। ବିଧାୟକଙ୍କ ଗାଡ଼ି ଚାପାରେ ପ୍ରାୟ ୨୨ରୁ ଊର୍ଦ୍ଧ୍ୱ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଣପୁର ଆଇଆଇସିଙ୍କ ସମେତ ୭ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଥିବାର ଜଣାପଡିଛି। ଉତ୍ତ୍ୟକ୍ତ ଲୋକ ବିଧାୟକଙ୍କୁ ନିର୍ଧୂମ ପିଟି ଲହୁଲୁହାଣ କରିଥିବା ସମୟରେ ତାଙ୍କ ଗାଡ଼ିରେ ନିଆଁ ଳଗାଇ ଦେଇଛନ୍ତି। ଏହି ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଯାଇଛି।

ସୂଚନା ଅନୁସାରେ, ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ସମୟରେ ବାହାରେ ପ୍ରାୟ ୫ଶହ ରୁ ୭ଶହ ଲୋକ ରୁଣ୍ଡ ହୋଇଥିଲେ। ଏହା ସହିତ ୨ ପ୍ଲାଟୁନ୍‌ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ। ଏହି ସମୟରେ ହଠାତ ବିଧାୟକ ପ୍ରଶାନ୍ତ ଜଗଦେବ ନିଜ ଏସୟୁଭି ଗାଡ଼ି ଚଳାଇ ଦ୍ରୁତ ଗତିରେ ଭିଡ଼ ଆଡ଼କୁ ମାଡ଼ି ଆସିଥିଲେ। ଏପରିକି ବିଧାୟକଙ୍କ ଗାଡ଼ି ଚାପାରେ ଆସି ‍ବିଭିନ୍ନ ଦଳର ୧୫ଜଣ ସମର୍ଥକ ଓ ୭ ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି।

ଏହାଦେଖି ଉତ୍ତ୍ୟକ୍ତ ଲୋକ ଗାଡ଼ି ଭିତରକୁ ବିଧାୟକଙ୍କୁ ବାହାରକୁ ଘୋଷାରି ଆଣି ନିର୍ଧୂମ ପିଟିଥିଲେ। ଉତ୍ତ୍ୟକ୍ତ ଲୋକମାନଙ୍କ ମାଡ଼ରେ ବିଧାୟକ ଲହୁଲୁହାଣ ହୋଇଥିବା ସମୟରେ ତାଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ବିଧାୟକଜଣକ ନିଶାସକ୍ତ ଅବସ୍ଥାରେ ଥିବା ସମୟରେ ଏପରି କାଣ୍ଡ ଘଟାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ସୂଚନା ମିଳିଛି।

ଅପରପକ୍ଷରେ, ବିଧାୟକଙ୍କ ଗାଡ଼ି ଚାପାରେ ଗୁରୁତର ହୋଇଥିବା ସାଧାରଣ ଲୋକ ଓ ପୋଲିସ କର୍ମଚାରୀମାନଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବାର ଜଣାପଡିଛି। ଉତ୍ତ୍ୟକ୍ତ ଲୋକ ବିଧାୟକଙ୍କର ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଥିରେ ନିଆଁ ଲଗାଇ ଦେଇଥିଲେ। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯାଇଛି। ବର୍ତ୍ତମାନ ମଧ୍ଯ ସେଠାରେ ଉତ୍ତେଜନା ଲାଗି ରହିଛି।

ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତିକି, ବିଧାୟକ ମଦ ପିଇ ଗାଡ଼ି ଚଲାଉଥିଲେ। ଲୋକମାନଙ୍କ ଉପରେ ରାଗ ରଖି, ଡରାଇବା ପାଇଁ ଗାଡ଼ି ମଡ଼ାଇ ଦେଇଛନ୍ତି। ଏଭଳି କାମ ସୁସ୍ଥ ମସ୍ତିସ୍କ ଥିବା ବ୍ୟକ୍ତି କେବେବି କରିବେ ନାହିଁ। ଏଭଳି ଲୋକଙ୍କ ସ୍ଥାନ ଜେଲରେ ଅଟେ। ସରକାର ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।

ଖୋର୍ଦ୍ଧା ଏସପି ଅଖିଲେଶ ଚନ୍ଦ୍ର ପହି କହିଛନ୍ତିକି, ଘଟଣାର ତଦନ୍ତ କରାଯାଉଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣା ଘଟିଥିବା ସ୍ଥାନକୁ ଅଧିକ ମାତ୍ରାରେ ପୋଲିସ ଫୋର୍ସ ପଠାଯାଉଛି। ସମସ୍ତ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି ମଧ୍ୟ କରାଯାଇଛି।

ବିଧାୟକଙ୍କର ଗାଡ଼ି ମଡ଼ାଇବା ଘଟଣାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତିକି, ଗଣତନ୍ତ୍ରରେ ହିଂସାକାଣ୍ଡ ଆଦୌ ଗ୍ରହଣୀୟ ନୁହେଁ। ବିଧାୟକ ହୁଅନ୍ତୁ କିମ୍ବା ସାଧାରଣ ଲୋକ, ହିଂସା ଆଦୌ ସ୍ପୃହଣୀୟ ନୁହେଁ।

Leave A Reply

Your email address will not be published.