ନିଶା ଛଡ଼ାଇବାକୁ ନିଶା ନିବାରଣ କେନ୍ଦ୍ରକୁ ଯାଇଥିଲେ, ହେଲେ ସେଠାରୁ ଶବ ହୋଇ ଫେରିଲେ

0

Get real time updates directly on you device, subscribe now.

ନିଜେ ନିଜେ ବାହାରି ପଡ଼ିଥିଲେ ନିଜ ନିଶା ଛଡ଼ାଇବା ପାଇଁ, କାରଣ ଘରେ ସମସ୍ତେ କହୁଥିଲେ ପୁଅ ତୁ ସୁଧୁରି ଯା, ବାପା ତ ଆର ପାରିକୁ ଚାଲିଗଲା, ଆଉ ଏବେ ତୁ ହିଁ ହେଉଛୁ ଏ ଘରର ହର୍ତ୍ତା କର୍ତ୍ତା । ମାକୁ ଦେଖୁଛୁ ତ କେମିତି ରୋଗରେ ପଡ଼ିଛି, ଆଉ ଯଦି ତୁ ଏମିତି ହବୁ ତାହେଲେ ଏଇ ସୁନାର ସଂସାରକୁ କିଏ ସମ୍ଭାଳିବ । ସେଥିପାଇଁ ନିଶାକୁ ନିଜ ଜୀବନରୁ ଶେଷ କରିବାପାଇଁ ନିଶା ନିବାରଣ କେନ୍ଦ୍ରକୁ ବାହାରି ପଡ଼ିଥିଲେ । ହେଲେ ସେଠି କିଛିଦିନ ରହିବାପରେ ପୁଅ ନିଶା ଛଡ଼ାଇ ନୁହେଁ ବରଂ ମୃତ ଅବସ୍ଥାରେ ଘରକୁ ଫେରିଥିଲା ।

ଡାକ୍ତରଖାନା ପରିସର କାନ୍ଦ ବୋବାଳିରେ ଫାଟି ଯାଉଛି । କାରଣ ଘରର ଭେଣ୍ଡିଆ ପୁଅକୁ ଆଜି ନିଶା ନିବାରଣ କେନ୍ଦ୍ରର ଅଧିକାରୀ ମାନେ ପିଟି ପିଟି ମାରି ଦେଇଛନ୍ତି । ଏପରି କିଛି ଦୃଶ୍ୟ ଆଜି ଏମ୍ସ ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଛି । ଅଭିଯୋଗ ମୁତାବକ, ଡୁମୁଡୁମା ଫେସ୍ ଦୁଇରେ ରାଜୀବ ଶ୍ରୀ ଚନ୍ଦନ ରୁହନ୍ତି । ଟ୍ରେଜରି ଅଫିସରେ ରାଜୀବ ଚାକିରି କରନ୍ତି । ରାଜୀବ କିଛିଦିନ ହେବ ଅଧିକ ନିଶା ସେବନ କରୁଥିଲେ । ଯେଉଁଥିପାଇଁ ତାଙ୍କ ଘର ଲୋକେ ରାଜୀବଙ୍କୁ ସବୁବେଳେ ନିଶା ଛାଡ଼ିବା ପାଇଁ କହୁଥିଲେ ।

ରାଜିବଙ୍କ ବାପା ନଥିବାରୁ ସବୁ ଦାୟିତ୍ଵ ରାଜୀବଙ୍କ ଉପରେ ଥିଲା । ଏହା ପରେ ସେ ମନସ୍ଥ କରିଥିଲେ ଯେ ସେ ନିଶା ଛାଡ଼ିଦେବେ । ଆଉ ସେ ଅକ୍ଟୋବର 24 ତାରିଖରେ ନିଶାରୁ ମୁକ୍ତି ପାଇବାପାଇଁ ନିଜେ ନିଜେ କୋଲଥିଆ ନିକଟରେ ନିଷ୍ଠା ନିବାରଣ କେନ୍ଦ୍ରକୁ ଚାଲି ଯାଇଥିଲେ । ସେଠାରେ ନିଜକୁ ଆଡ଼ମିଶନ କରିଥିଲେ ଏବଂ ନିଶା ଛଡ଼ାଇବାର ଯୁଦ୍ଧ ଆରମ୍ଭ କରିଥିଲେ ।

କିନ୍ତୁ ଗତକାଲି ଫୋନ୍ କରି ନିଶା ନିବାରଣ କେନ୍ଦ୍ରର ଅଧିକାରୀ ମାନେ କହିଥିଲେ ଯେ ରାଜୀବଙ୍କ ଦେହ ବହୁତ୍ ଅସୁସ୍ଥ ଅଛି । ଆମେ ତାକୁ ଛଅ ନମ୍ୱର୍ ଡାକ୍ତରଖାନା ନେଇଯାଉଛୁ । ଆଉ ଯେତେବେଳେ ରାଜୀବଙ୍କ ପରିବାର ଲୋକେ ଛଅ ନମ୍ୱର୍ ଡାକ୍ତରଖାନାରେ ପହଞ୍ଚିଥିଲେ, ସେତେବେଳେ ଡ଼ାକ୍ତର ରାଜୀବଙ୍କୁ ମୃତ ଘୋଷଣା କରିଥିଲେ ।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ରାଜୀବ ଏମିତି ମରି ପାରିବନି । ତା ଶରୀରରେ ମାଡ଼ ମାରିବା ଭଳି ଦାଗ କେମିତି ଆସିଲା । ତାକୁ ହତ୍ୟା କରାଯାଇଛି । ଏସବୁ ନେଇ ତଦନ୍ତ କରାଯାଉ ଏବଂ ସେମାନଙ୍କୁ ନ୍ୟାୟ ଦରକାର । ରାଜିବଙ୍କ ମୁହଁ ଏବଂ ପିଠିରେ ମାଡ ଦାଗ ରହିଛି । ଯେଉଁ ରଜା ଟୋକା ନିଶା ଛଡ଼ାଇବାକୁ ଯାଇଥିଲା, ତାକୁ ନିର୍ଯାତନା ଦେଇ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.