ଆଗକୁ ଆସୁଛି ପୁଣି ବର୍ଷା । ଏଥର ଭିଜିବ ଦଶହରା । ୨୭ରୁ ପୁଣି ବଢିବ ବର୍ଷା । ଏନେଇ ଆଗୁଆ ସତର୍କ କରିଛି ପାଣିପାଗ ବିଭାଗ । ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ । ୨୮ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପରେ ଅକ୍ଟୋବର ୩ ତାରିଖ ସୁଦ୍ଧା ହେବ ଲଘୁଚାପ । ଯାହାକୁ ନେଇ ଏଥର ଦଶହରାରେ ଭଲ ବର୍ଷା ହେବାନେକ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ରାୟଗଡା, ଗଜପତି, ଗଂଜାମ, କେନ୍ଦୁଝର, ମୟୁରଭଞ୍ଜରେ ୨୭ ରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି ହୋଇଛି ।
ଏଥର ପାଣିରେ ବହିଯିବ ପାର୍ବଣ ଋତୁ । କାରଣ ଦଶହରାରେ ପ୍ରବଳ ବର୍ଷା ସମ୍ଭାବନା । ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ବେଶ କିଛି ଦିନର ଅନ୍ତରରେ ରାଜ୍ୟରେ ୨୭ ତାରିଖରୁ ବର୍ଷାର ବିସ୍ତୃତି ବଢିବା ନେଇ ଆଗୁଆ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ୨୮ ତାରିଖ ବେଳକୁ ପ୍ରଶାନ୍ତ ମହାସାଗରରୁ ବଙ୍ଗୋପସାଗରକୁ ଏକ ଘୂର୍ଣ୍ଣିବଳୟ ଆସିବ । ଯାହା ଅକ୍ଟୋବର ୧ ରୁ ୩ ତାରିଖ ମଧ୍ୟରେ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।
ପରବର୍ତ୍ତୀ ସମୟରେ ଏହା ଅବପାତରେ ମଧ୍ୟ ପରିଣତ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟକୁ ଅକ୍ଟୋବର ପ୍ରଥମ ସପ୍ତାହରେ ଭଲ ବର୍ଷା ମିଳିବ । ୧ ରୁ ୬ ତାରିଖ ମଧ୍ୟରେ ଓଡିଶା, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ଏହି ଅକ୍ଟୋବର ମାସରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି । ରାଜ୍ୟରେ ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା ସକ୍ରିୟ ରହିଛି । ଏହାସହ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଂଜରେ ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆହୁରି ୨ଦିନ ଲାଗି ରହିବ ଏଭଳି ଘଡଘଡି ବିଜୁଳି ବର୍ଷା ।
ଡପ୍ଲର ରାଡାରରୁ ମିଳୁଥିବା ତଥ୍ୟ ଅନୁଯାୟୀ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକ ସମେତ ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, ଜଗତସିଂହପୁର ଏବଂ କଟକ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି ।