ଏବେ ସମାଜରେ କିଛି ଲୋକମାନେ ମାନସିକ ଭାବରେ ଏପରି କିଛି ସ୍ତରରୁ ଯାଇ କିଛି ଚରମ ନିଷ୍ପତ୍ତି ନେଇ ଯାଉଛନ୍ତି ଯାହାକି ପରବର୍ତ୍ତୀ ସମୟରେ ଏକ ଚାଞ୍ଚଲ୍ୟକର ଘଟଣା ହୋଇ ରହି ଯାଉଛି। ଆତ୍ମହତ୍ୟା କଥା ତ ସାଧାରଣତଃ ଲୋକଙ୍କ ମଧ୍ୟରେ ଏକ ପ୍ରକାରର ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଥାଏ, ହେଲେ ପରିବାରର ସମସ୍ତଙ୍କୁ ହତ୍ୟା କରି ନିଜେ ଶେଷରେ ଆତ୍ମହତ୍ୟା କରିଥିବା ଘଟଣା ଲୋକଙ୍କୁ ଏକ ପ୍ରକାରର ସ୍ତବ୍ଧ କରି ରଖି ଦେଇଥିଲା। ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ। ହରିୟାଣାର ଅମ୍ବାଲା ସ୍ଥିତ ବଲାନା ଗାଁରେ ସନ୍ଦିଗ୍ଧ ଅବସ୍ଥାରେ ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୁଇସାଇଡ୍ ନୋଟ୍ ଜବତ କରି ପୋଲିସ୍ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ୍ ମୃତ ସୁଖବିନ୍ଦର ସିଂଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହାସହ ଶବକୁ ପୋଷ୍ଟମର୍ଟମ କରି ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି।ପୋଲିସ୍ ସୂଚନା ଅନୁସାରେ, ବଲାନା ଗାଁରୁ ସୂଚନା ମିଳିଥିଲା ଯେ, ଗୋଟିଏ ଘରୁ ୬ ଜଣଙ୍କ ମୃତଦେହ ମିଳିଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସୁଖବିନ୍ଦରଙ୍କୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ତାଙ୍କ ପତ୍ନୀ, ୨ ପିଲା ଓ ବାପା-ମା’ଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରିଥଇଲା। ସମସ୍ତଙ୍କୁ ଅମ୍ବାଲା ସହର ସ୍ଥିତ ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାସ୍ଥଳରୁ ପୋଲିସ୍ ସୁଖବିନ୍ଦରଙ୍କ ପାଖରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ଏଥିରୁ ଜଣାପଡ଼ୁଛି ଯେ, ସୁଖବିନ୍ଦର ପରିବାରର ୫ ଜଣ ସଦସ୍ୟଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯମୁନାନଗର ସ୍ଥିତ ଏକ କମ୍ପାନୀରେ କାମ କରୁଥିବା ସୁଖବିନ୍ଦର ସୁଇସାଇଡ୍ ନୋଟ୍ରେ କମ୍ପାନୀର ୨ ଜଣ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହି ୨ ଅଧିକାରୀ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ବାଧ୍ୟ କରୁଥିଲେ। ହେଲେ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ଦେଇ ପାରୁ ନଥିଲେ। ସୁଇସାଇଡ୍ ନୋଟ୍ରେ ୨ ଅଧିକାରୀଙ୍କ ନାଁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ପୋଲିସ୍ ସୂଚନା ଅନୁସାରେ, ପରିବାରର ୫ ସଦସ୍ୟଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ସୁଖବିନ୍ଦର ଘର ଭିତରେ ଫ୍ୟାନ୍ରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ବଡ଼ ଝିଅ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ଝିଅ ଏଲ୍କେଜିରେ ପଢ଼ୁଥିଲେ।