ଅଭିନେତ୍ରୀ ରଶ୍ମିଙ୍କ ମୃତ୍ୟୁକୁ ନେଇ ପୁଣି ପରିବାର ଲୋକେ ଆଣିଛନ୍ତି ଅଭିଯୋଗ, ଭାଇ କହିଲେ – ଇଏ ମୋ ଦିଦିର ହ୍ୟାଣ୍ଡ ରାଇଟିଙ୍ଗ ନୁହଁ

0

Get real time updates directly on you device, subscribe now.

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ଅଡୁଆ ବଢ଼ିବାରେ ଲାଗିଛି । ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ରଶ୍ମିରେଖାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ରଶ୍ମିରେଖା ଜଗତସିହପୁର ଜିଲ୍ଲାର ସଂକେତ ପାଟନା ଗାଁର ରଞ୍ଜନ ଓଝାଙ୍କ ଝିଅ ଅଟନ୍ତି । 5 ବର୍ଷ ହେବ ଭୁବନେଶ୍ୱରରେ ରହି ବିଭିନ୍ନ ଆଲବମ ସିରିଏଲରେ ଅଭିନେତ୍ରୀ ଭାବେ କାମ କରୁଥିଲେ । ପରେ ରଶ୍ମିରେଖା ଅଭିନୟ ଛାଡି ଗୋଟିଏ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲେ । ସେଠାରେ ତାଙ୍କର ଜଣେ ସହକର୍ମୀ ସମ୍ବଲପୁର ଅଞ୍ଚଳର ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହିତ ପରିଚିତ ହୋଇଥିଲା ।

ତେବେ ସନ୍ତୋଷ ରଶ୍ମିରେଖାଙ୍କ ଏକତରଫା ପ୍ରେମ କରୁଥିବା ବେଳେ ରାଜା ନାମକ ଜଣେ ସିରିଏଲ୍ ଅଭିନେତାଙ୍କ ସହିତ ରଶ୍ମିରେଖାଙ୍କ ପୂର୍ବରୁ ପରିଚୟ ହୋଇଥିଲା । ତେବେ ରାଜା ଏବଂ ରଶ୍ମିରେଖା ମିଳାମିଶା କରୁଥିବାରୁ ସନ୍ତୋଷ ଏହାକୁ ସହି ପାରୁନଥିଲେ । ଏହାକୁ ନେଇ ରଶ୍ମିରେଖାଙ୍କୁ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ରଶ୍ମିଙ୍କ ବାପା କହିଛନ୍ତି, ” ଆମେ ସନ୍ତୋଷ ପାତ୍ରଙ୍କୁ ଦାୟୀ କରୁଛୁ । ଏକମାତ୍ର ସିଏ ହିଁ ମତେ ଫୋନରେ ଯୋଗାଯୋଗ କରିଥିଲା । 11 ତାରିଖ ଦିନ ଫୋନ୍ କରି କହିଲା ଯେ ତୁମେ ଯଦି କାଲି ନ ଆସିବ, ତାହେଲେ ଲାସ୍ ଯିବ । ମୋ ସ୍ତ୍ରୀକୁ ମଧ୍ୟ କହିଲା ଯେ ଯଦି 12 ତାରିଖ ଦିନ ନ ଆସିବ ତାହେଲେ ତୁମ ଘରକୁ ଲାସ୍ ଯିବ । ଘର ମାଲିକ ମଧ୍ୟ କହୁଛି କି ସେମାନେ ସ୍ବାମୀ ସ୍ତ୍ରୀ ହୋଇ ରହୁଥିଲେ । କିନ୍ତୁ ଆମେ ଏ ବିଷୟରେ ଜାଣି ନଥିଲୁ ଯେ ସେମାନେ ବାହା ମଧ୍ୟ ହୋଇଥିଲେ । ଯେହେତୁ ସେମାନେ ସ୍ବାମୀ ସ୍ତ୍ରୀ ହୋଇ ରହୁଥିଲେ, ତେଣୁ ସିଏ ହିଁ ଦାୟୀ, ସିଏ ହିଁ ମୋ ଝିଅକୁ ମାରିଛି । ଘର ମାଲିକ ମଧ୍ୟ ସବୁ ଜାଣିଛି ।”

ଏ ବାବଦରେ ମୃତ ଅଭିନେତ୍ରୀଙ୍କ ବାପା ନୟାପଲ୍ଲୀ ଥାନାରେ ଏତଲା ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କ ମୃତ୍ୟୁକୁ 5 ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ପଡ଼ିଛି ।

ଅନ୍ୟପଟରେ ଅଭିନେତ୍ରୀ ରଶ୍ମିଙ୍କ ସୁସାଇଡ ନୋଟରେ ଲେଖାଯାଇଥିବା ଲେଖା ରଶ୍ମିଙ୍କ ହାତଲେଖା ନୁହେଁ ବୋଲି ରଶ୍ମିଙ୍କ ଭାଇ ଜୀବନ ଓଝା ଅଭିଯୋଗ କରିଛନ୍ତି । ତାଙ୍କ ଭାଇ କହିଛନ୍ତି, ” ସେଇଟା ଫେକ ନୋଟ, ସେଇଟା ଆଉ ଜଣେ କେହି ଲେଖିଛି । ଏହି ହ୍ୟାଣ୍ଡ ରାଇଟିଙ୍ଗ ମୋ ଦିଦିର ନୁହଁ । ଆପଣ କହିଲେ ମୁଁ ମୋ ଦିଦିର କିଛି ଅରିଜିନାଲ ହ୍ୟାଣ୍ଡ ରାଇଟିଙ୍ଗ ଦେଖାଇ ଦେବି । ଆପଣ ନିଜେ ଦେଖିବେ ଏବଂ ମ୍ୟାଚ କରାଇବେ ।”

Leave A Reply

Your email address will not be published.