ମିଶନ ଛେଳି “ମିଶନ ଶକ୍ତି” କୁ ଦେଲା ବଳ,ଦେଖାଇଲା ବଞ୍ଚିବାର ନୁଆଁ ରାହା

0

Get real time updates directly on you device, subscribe now.

ଓଡ଼ିଶାର ଲକ୍ଷ ଲକ୍ଷ ମହିଳା ଆଜି ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତି ହୋଇଛନ୍ତି । ନିଜେ ରୋଜଗାର କରି ନିଜ ପରିବାରର ଆର୍ଥିକ ମେରୁଦଣ୍ଡକୁ ଦୃଢ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହା କେବଳ ସମ୍ଭବ ହୋଇଛି ଓଡିଶା ସରକାରଙ୍କ “ମିଶନ ଶକ୍ତି” ଯୋଜନା ଯୋଗୁଁ ।ସେହିଭଳି ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଦାରୁହା ଗ୍ରାମର “ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ”। ଏହି ଗୋଷ୍ଠୀର ମହିଳା ମାନଙ୍କୁ “ମିଶନ ଶକ୍ତି” ବଞ୍ଚିବାର ରାହା ଦେଖାଇଛି । ଛେଳି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ନିଜ ପରିବାରକୁ ଆର୍ଥିକ ସହାୟତା କରିପାରିଛନ୍ତି ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପ୍ରେରଣାରେ ଗତ ୨୦୦୭ ମସିହାରେ ଏହି ଗ୍ରାମର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୧୦ଟି ପରିବାରର ମହିଳାମାନେ ଏକ ଜୁଟ ହୋଇ “ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ”ର ଗଠନ କରିଥିଲେ । ପ୍ରତ୍ୟେକ ମହିଳା ମାସିକ ୧୦୦ ଟଙ୍କା ମେମ୍ବର ଫି ଜମା କରି ନିକଟସ୍ଥ ବ୍ୟାଙ୍କରେ ଖାତା ଖୋଲି ଜମା କରୁଥିଲେ । ଯାହା ଏବେ ତାଙ୍କର ଜମା ଟଙ୍କା ବଢି ୧ ଲକ୍ଷ ୬୦ ହଜାର ଟଙ୍କାରେ ପହଁଚିଲାଣି । କିଛିଦିନ ପରେ ସେଥିରୁ ଟଙ୍କା ଉଠାଇ ପ୍ରତ୍ୟେକେ କୁକୁଡ଼ା ଚାଷ ସହିତ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ ।ପରବର୍ତ୍ତୀ ସମୟରେ ବ୍ୟାଙ୍କରୁ ଋଣ ଆଣି ନିଜ ବ୍ୟବସାୟକୁ ବୃଦ୍ଧି କରିଥିଲେ ।

ତେବେ ୨୦୨୧ ମସିହା ନଭେମ୍ବର ମାସରେ ମିଶନ ଶକ୍ତି ଓ ଜୀବିକା ମିଶନ ମିଳିତ ପ୍ରୟାସରେ ଏହି ଗୋଷ୍ଠୀକୁ ଛେଳି ପାଳନ ନିମନ୍ତେ ଯେତେବେଳେ ପ୍ରସ୍ତାବ ଆସିଲା ଏହାକୁ ହାତଛଡ଼ା କରିନଥିଲେ ଗୋଷ୍ଠୀର ସଭାନେତ୍ରୀ ଜୟିତା ଭଞ୍ଜ ଓ ସମ୍ପାଦିକା କାଜଲ ଭଞ୍ଜ । ସଙ୍ଗେ ସଙ୍ଗେ ଗୋଷ୍ଠୀର ସଦସ୍ୟ ମାନେ ମିଟିଂ ଡକାଇ ଦରଖାସ୍ତ ଜରିଆରେ ଉକ୍ତ ପ୍ରକଳ୍ପକୁ ହାତକୁ ନେଇଥିଲେ ।ପ୍ରଥମ ପର୍ଯ୍ୟାୟରେ ୪୬ହଜାର ଟଙ୍କା ସେମାନଙ୍କୁ ଋଣ ମିଳିଥିଲା ଓ ସେହି ଟଙ୍କାରେ ସେମାନେ ୩୨ଟି ଛେଳି କିଣି ତା’ର ପାଳନ କରିଥିଲେ । ମାତ୍ର ୭ ମାସ ମଧ୍ୟରେ ସେମାନେ ସେଥିରୁ ଛେଳିକୁ ବିକ୍ରି କରି ୨୫ ହଜାର ଟଙ୍କା ଲାଭ ପାଇଛନ୍ତି ।ସେମାନଙ୍କ ନିକଟରେ ଆହୁରି ୨୮ଟି ଛେଳି ରହିଥିବା ବେଳେ ୪୫୦ ବର୍ଗ ଫୁଟର ଏକ ଗୁହାଳ ଘର ନିର୍ମାଣ କରିଛନ୍ତି । ଆଗକୁ ୧୦୦ଟି ଛେଳି ରଖାଯିବ ବୋଲି ଗୋଷ୍ଠୀର ସଭାନେତ୍ରୀ ଜୟିତା କହିଛନ୍ତି ।

ଏହି ଛେଳି ଚାଷ ଗୋଷ୍ଠୀର ୧୦ ଜଣ ମହିଳାଙ୍କ ଏକ ପ୍ରମୁଖ ରୋଜଗାରର ମାଧ୍ୟମ ହୋଇଥିବା ବେଳେ ଏହା ଦ୍ୱାରା ସମସ୍ତ ମହିଳା ସ୍ୱାବଲମ୍ବୀ ହୋଇପାରିଥିବା ସଦସ୍ୟା ସରିତା ଭଞ୍ଜ, ଗୀତାଞ୍ଜଳୀ ଭଞ୍ଜ, ଛବିରାଣୀ ସେନାପତି, ମିନତୀ ଜେନା କହିଛନ୍ତି ଓ ଏହାର ଶ୍ରେୟ ଓଡିଶା ସରକାରଙ୍କ ମିଶନ ଶକ୍ତି ଯୋଗୁଁ ହୋଇପାରିଛି ବୋଲି କହିଛନ୍ତି । ଉକ୍ତ ପଞ୍ଚାୟତରେ ଆହୁରି ଅନେକ ଗୋଷ୍ଠୀ ମାନଙ୍କୁ ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ଜରିଆରେ ପ୍ରୋତ୍ସାହନ ଦିଆଯାଉଛି । ସେମାନେ ମଧ୍ୟ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକରି ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି ଜିପିଏଲଏଫର ଏମବିକେ ସବିତା ରାଣୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.