ଗ୍ରୀଷ୍ମର ତାତିକୁ ଶାନ୍ତ କରୁଥିବା ମୌସୁମୀ ବର୍ଷା ର ସୃଷ୍ଟି କେମିତି ହୁଏ ଆଉ କେମିତି ସେ ଆସେ?

0

Get real time updates directly on you device, subscribe now.

ଜୁନ ଆସିଲା ମାତ୍ରେ ସମସ୍ତଙ୍କର ଅପେକ୍ଷା, କେବେ ଆସିବ ମୌସୁମୀ । ସାଧାରଣତଃ ଜୁନ ପ୍ରଥମ ସପ୍ତାହରେ କେରଳକୁ ଭିଜାଏ ମୌସୁମୀ ବର୍ଷା, ଆଉ ସାରା ଦେଶରେ ଖୁସିର ଲହରୀ ଖେଳିଯାଏ । ପ୍ରାଣଘାତୀ ଗ୍ରୀଷ୍ମରୁ ତ୍ରାହି ମିଳେ, ଚାଷୀ ମନରେ ଆଶା ଖେଳିଯାଏ, ନଦୀ ନାଳ ଭରିଯାଏ, ଧରିତ୍ରୀରେ ପ୍ରାଣ ସଂଚରିଯାଏ । ମୌସୁମୀ ଆସିବା ଟିକିଏ ଡେରି ହୋଇଗଲେ ଚିନ୍ତା ବଢିଯାଏ । କାରଣ କୃଷି, ଅର୍ଥନୀତି, ଶିଳ୍ପ ସବୁ କିଛି ଏହି ମୌସୁମୀ ବର୍ଷା ଉପରେ ନିର୍ଭର । ଆରବିକ୍ ମୌସୁମ ଶବ୍ଦରୁ ଆସିଛି ମୌସୁମୀ, ଯାହାର ଅର୍ଥ ଋତୁ ।

ଆରବିକ୍ ମୌସୁମ୍ ବା ଡଚ୍ ଶବ୍ଦରୁ ମନସୁନ୍ ଶବ୍ଦ ଆସିଥାଇପାରେ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଜନ୍ମ ସ୍ଥାନ ଭାରତ ମହାସାଗର । ଜାନୁଆରୀ-ଫେବୃଆରୀ ବେଳକୁ ମୌସୁମୀ ଜନ୍ମ ନେଇ ଆଫ୍ରିକୀୟ ଦେଶ ସୋମାଲିଆ ଆଡକୁ ଗତି କରେ । ବିଷୁବ ରେଖା ଟପିବା ପରେ ଏହା ମୋଡ ବଦଳାଇ ଦକ୍ଷିଣ ପଶ୍ଚିମ ମୁହାଁ ହୁଏ । ମେ ମାସ ବେଳକୁ ବେଶ ଶକ୍ତିଶାଳୀ ହୋଇସାରିଥାଏ । ସେତେବେଳକୁ ପବନର ବେଗ ପ୍ରଖର ଥାଏ ଏବଂ ସେଥିରେ ପ୍ରଚୁର ମାତ୍ରାରେ ଜଳକଣିକା ଭରିଥାଏ । ଏହାପରେ ମୌସୁମୀ ଭାରତ ମୁହାଁ ହୁଏ । ସୋମାଲିଆଠାରୁ ଭାରତ ପହଂଚିବା ପାଇଁ ପ୍ରାୟ ୩ହଜାର କିଲୋମିଟର ବାଟ ଅତିକ୍ରମ କରେ । ମୌସୁମୀର ସବୁ ଖେଳ ୩୦ ଡିଗ୍ରୀ ଉତ୍ତର ଏବଂ ଦକ୍ଷିଣ ଅକ୍ଷାଂଶ ଭିତରେ ହିଁ ହୁଏ ।

ଭାରତ ପହଂଚିବା ଆଗରୁ ମୌସୁମୀ ମେ ୧ତାରିଖ ବେଳକୁ ଦକ୍ଷିଣ ପୂର୍ବ ଏସିଆ ଛୁଏଁ । ମେ ୧୫ବେଳକୁ ଆଣ୍ଡାମାନ ନିକୋବର ପଂହଚେ । ମେ ମାସ ବେଳକୁ ଭାରତୀୟ ଉପମହାଦେଶରେ ଗ୍ରୀଷ୍ମ ଋତୁ । ପ୍ରଚଣ୍ଡ ଖରାରେ ସ୍ଥଳଭାଗ ତାତି ଯାଏ । ଆକାଶରୁ ନିଆଁ ଖସୁଥାଏ । କିନ୍ତୁ ସମୁଦ୍ର ଅପେକ୍ଷାକୃତ ଥଣ୍ଡା ଥାଏ । ଅତ୍ୟଧିକ ଗରମ ଯୋଗୁ ସ୍ଥଳଭାଗରେ ଲଘୁଚାପ ସୃଷ୍ଟି ହୁଏ ।

ଏହାକୁ ଭରଣା କରିବାକୁ ଥଣ୍ଡା ମୌସୁମୀ ପବନ ଟାଣି ହୋଇଆସେ । ଆରବ ସାଗର ପଟୁ ପ୍ରାୟ ଜୁନ ୧ବେଳକୁ କେରଳ ଛୁଏଁ । ଦକ୍ଷିଣ ପଶ୍ଚିମ ଦିଗରୁ ଛୁଉଁଥିବାରୁ ଏହାର ନାଁ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଜୁନରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟ ରହେ, ବର୍ଷା ହୁଏ । ସେପ୍ଟେମ୍ବର ବେଳକୁ ଶୀତଋତୁ ଆରମ୍ଭ ହୋଇଯାଏ । ସେତେବେଳକୁ ସମୁଦ୍ରର ତାପମାତ୍ରା ସ୍ଥଳଭାଗଠାରୁ ଅଧିକ ଥାଏ ତେଣୁ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୁଏ । ତେଣୁ ମୌସୁମୀ ପୁଣି ପଛକୁ ବଙ୍ଗୋପସାଗର ଆଡକୁ ଫେରେ । ସେତେବେଳେ ମୌସୁମୀର ଏହି ଫେରନ୍ତା ଗତିପଥ ଯୋଗୁଁ ଦକ୍ଷିଣ ଏବଂ ପୂର୍ବ ଭାରତର କିଛି ସ୍ଥାନରେ ଶୀତଦିନିଆ ବର୍ଷା ମଧ୍ୟ ହୁଏ । ତେବେ ମୌସୁମୀ ନଥିଲେ ଓଡିଶାର ଐତିହ୍ୟ ଅଲଗା ହୋଇଥାନ୍ତା ।

Leave A Reply

Your email address will not be published.