ଦୁଇ ଜଣ ମହିଳା ଗୋଟିଏ ଶବ ପାଇଁ ଦାବିଦାର, ଦୁଇ ଜଣ ବିଧବା ହେବା ପାଇଁ ରାଜି

0

Get real time updates directly on you device, subscribe now.

ଗୋଟିଏ ଶବ ହେଲେ ଦୁଇଜଣ ଦାବିଦାର। ଦୁଇଜଣ ମହିଳା ଦାବି କରୁଥିଲେ ଏ ମୋ ସ୍ୱାମୀ, ମୋତେ ତାଙ୍କର ଶବ ଦିଆଯାଉ। ଯାହାକୁ ନେଇ ପୋଲିସର ଅକଲ ମଧ୍ଯ ଗୁଡୁମ ହୋଇ ଯାଇଥିଲା। ଜଣେ ମହିଳା ମୃତଦେହ ଚିହ୍ନଟ କରି ତାଙ୍କର ସ୍ୱାମୀ ଯୋଗେନ୍ଦ୍ର ଆଚାର୍ଯ୍ୟ ବୋଲି କହୁଥିବା ସମୟରେ ଆଉ ଜଣେ ମହିଳା କହୁଥିଲେକି ଇଏ ମୋ ସ୍ୱାମୀ ପ୍ରଦୀପ ସାହୁ। ତେବେ ଆସନ୍ତୁ ଜାଣିବା ଏହି ଘଟଣା ସମ୍ପର୍କରେ।

ଏକ ସାଇକେଲ ଚୋରି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱର ବଡ଼ଗଡ଼ ପୋଲିସ ଗିରଫ କରିଥିଲା। ପରେ ହାଜତ ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ମହିଳା କାନ୍ଦି କାନ୍ଦି ଅଭିଯୋଗ କରୁଥାନ୍ତିକି ମୋ ସ୍ୱାମୀକୁ ପୋଲିସ ମାଡ଼ ମାରିବା ଫଳରେ ସେ ମରିଗଲେ। ଅନ୍ୟପଟେ କିଛି ସମୟ ପରେ ଆଉ ଜଣେ ମହିଳା ଆସି ମୃତକଙ୍କୁ ତାଙ୍କର ସ୍ୱାମୀ ବୋଲି ଦାବି କରିଥିଲେ। ତେବେ ବୁଝି ହେଉନଥିଲା ଜଣକ ପାଇଁ କାହିଁକି ଦୁଇଜଣ ବିଧବା ହେବାକୁ ଚାହୁଁଛନ୍ତି? ଜଣେ କହୁଛନ୍ତି ଇଏ ମୋ ସ୍ୱାମୀ ଯୋଗେନ୍ଦ୍ର ଚୌଧୁରୀ ଓ ଆଉ ଜଣେ କହୁଛନ୍ତି ଇଏ ମୋ ସ୍ୱାମୀ ପ୍ରଦୀପ ସାହୁ। ଏହି ଘଟଣାକୁ ନେଇ ବେଶ୍‌ କିଛି ସମୟ ଟଣାଓଟରା ଚାଲିଲା । ଶେଷରେ ପୋଲିସ୍‌ ନିଜ ତରଫରୁ ଶବକୁ ନେଇ ଉଭୟ ପରିବାର ସହିତ ସତ୍ୟନଗର ମଶାଣିରେ ପହଞ୍ଚି ସେଠାରେ ଦୁଇ ମହିଳାଙ୍କ ପୁଅକୁ ଡାକି ମୁଖାଗ୍ନି ଦେଇଛନ୍ତି।

ତେବେ ପୋଲିସ ଠାରୁ ଯାହା ଜଣାପଡ଼ିଲାକି ମୃତକଙ୍କରbପ୍ରକୃତ ନାଁ ହେଉଛି ପ୍ରଦୀପ କୁମାର ସାହୁ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅନ୍ତର୍ଗତ ଭୁଷଣ୍ଡପୁରର ବାଲିପାଟପୁର ଠାରେ। ତେବେ ସେ ଜଣେ ପେସାଦାର ଚୋର। ତେଣୁ ନାଁ ପରିବର୍ତ୍ତନ କରି ପୋଲିସକୁ ଧୋକା ଦେଉଥିଲା। ଗାଁରେ ତାର ପ୍ରଥମ ପତ୍ନୀ ଓ ପିଲାମାନେ ରହୁଥିବା ସମୟରେ ଭୁବନେଶ୍ୱର ସୁନ୍ଦରପଦାରେ ଦ୍ୱିତୀୟ ପତ୍ନୀ ଓ ଚାରୋଟି ସନ୍ତାନଙ୍କ ସହିତ ରହୁଥିଲେ। ପୂର୍ବରୁ ମଧ୍ୟ ସାଇକେଲ ଚୋରି ମାମଲାରେ ବହୁତ ଥର ପୋଲିସ ହାତରେ ଧରାପଡ଼ିଛି। ଏମିତିକି ସିସିଟିଭି ଭିଜୁଆଲରେ ମଧ୍ୟ ପ୍ରଦୀପକୁ ଦେଖା ଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି।

ଗତ ରବିବାର ରାତିରେ ବଡ଼ଗଡ଼ ଅଞ୍ଚଳରେ ସାଇକେଲ ଚୋରି କରୁଥିବା ସମୟରେ ପୋଲିସ ପ୍ରଦୀପକୁ ଧରିଥିଲା। ଗତକାଲି ସକାଳେ ତାର ମୃତ୍ୟୁ ହୋଇଯାଇଛି ବୋଲି ପୋଲିସ ପ୍ରଦୀପର ଦ୍ୱିତୀୟ ସ୍ତ୍ରୀ’ଙ୍କୁ ସୂଚନା ଦେଲା। ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ କ୍ୟାପିଟାଲ ହସପିଟାଲରେ ଥିବା ବେଳେ ଶବକୁ ନେଇ ଟଣାଓଟରା ଚାଲିଲା। ଏମିତିକି ପୋଲିସ୍‌ ବିରୋଧରେ ଅଭିଯୋଗ ମଧ୍ୟ ଉଠିଲା। ହାଜତ ଭିତରେ କେମିତି ପ୍ରଦୀପର ମୃତ୍ୟୁ ହେଲା ସେ କଥା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହି ଘଟଣାରେ ପୋଲିସ୍‌ର କହିବା ଅନୁସାରେ ସାଇକେଲ ଚୋରି ସମୟରେ ଧରାପଡ଼ିବାରୁ ସେ ଦୌଡ଼ି ପଳାଉଥିଲା। ପୋଲିସ ଗୋଡ଼ାଇବା ସମୟରେ ସେ ତଳେ ପଡ଼ି ଯାଇ ଆହତ ହୋଇଥିଲା। ଥାନାକୁ ଆସିବା ପରେ ତାକୁ ନିଶ୍ୱାସ ନେବାରେ କଷ୍ଟ ହେଲା। ତାକୁ ପ୍ରାଥମିକ ଚିକିତ୍ସା ଦେବା ପରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତର ପ୍ରଦୀପକୁ ମୃତ ବୋଲି ଘୋଷଣା କରିଥିଲେ। ଯାହା ସୂଚନା ମିଳିଛିକି, ଉଭୟ ସ୍ତ୍ରୀ ତାଙ୍କ ପରିବାର ମଧ୍ୟରେ ଅଲଗା ଅଲଗା ଶୁଦ୍ଧି ହେବାକୁ ସ୍ଥିର କରିଛନ୍ତି।

Leave A Reply

Your email address will not be published.