ସଂସାର ଉଜାଡ଼ି ଦେଲା ଟାହିଟାପରା; ସ୍ୱାମୀର ଦଶାହରେ ସ୍ତ୍ରୀ ବୁଜିଲା ଆଖି

0

Get real time updates directly on you device, subscribe now.

ଟାହିଟାପରା ସଂସାର ଉଜାଡ଼ି ଦେଲା। ସ୍ୱାମୀଙ୍କର ଦଶାହରେ ସ୍ତ୍ରୀ ଆଖି ବୁଜିଦେଲା। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ପଦ୍ମପୁର ଗାଁରେ ଘଟିଛି। ନିର୍ବାଚନରେ ହାରିଯିବା ପରେ ପ୍ରତିପକ୍ଷ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ଟାହିଟାପରା ସହିନପାରି ସ୍ୱାମୀ ରମାକାନ୍ତ ପରିଡ଼ା ଜୀବନ ହାରିଲେ। ଏହାକୁ ମଧ୍ୟ ସହ୍ୟ କରିନପାରି ବିଷ ପିଇ ଦେଇଥିବା ସ୍ତ୍ରୀ ସୁମତି ପରିଡ଼ା ମଧ୍ୟ ଶେଷରେ ଆଜି ଆଖି ବୁଜିଦେଲେ। ଦୀର୍ଘ ୧୦ ଦିନର ମୃତ୍ୟୁ ସହିତ ସଂଘର୍ଷ କରି ଶେଷରେ ଆଜି ସ୍ୱାମୀଙ୍କର ଦଶାହରେ ପତ୍ନୀ ଆଖି ବୁଜିଦେଲେ।

ସୂଚନା ଅନୁସାରେ, ଗତ ପଞ୍ଚାୟତ ନିର୍ବାଚନରେ ବାସୁଦେବପୁର ବ୍ଲକ୍‌ ପଦ୍ମପୁର ପଞ୍ଚାୟତର ସମିତି ସଭ୍ୟ ଭାବରେ ରମାକାନ୍ତ ପରିଡ଼ାଙ୍କର ସ୍ତ୍ରୀ ସୁମତୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କିନ୍ତୁ ସେ ଏହି ନିର୍ବାଚନରେ ହାରି ଯାଇଥିଲେ। ଯାହାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ବହୁତ ବ୍ୟଥିତ ଥିଲେ।

ନିର୍ବାଚନରେ ଜିତିବା ପରେ ବିଜୟୀ ସରପଞ୍ଚ ଓ ସମିତି ସଭ୍ୟ ବିଜୟ ଶୋଭାଯାତ୍ରା କରୁଥିଲେ। ଆଉ ସେହି ସମୟ ମଧ୍ୟରେ କେତେକ କର୍ମୀ ରମାକାନ୍ତଙ୍କୁ ପରିହାସ କରିଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗାଳିଗୁଲଜ ମଧ୍ୟ ହୋଇଥିଲା। ଏହି ଘଟଣା ଘଟିବା ପରେ ରମାକାନ୍ତ ଘରକୁ ଫେରି ସ୍ତ୍ରୀ ସୁମତୀଙ୍କ ସହିତ ପାଟିତୁଣ୍ଡ କରିଥିଲେ। ନିର୍ବାଚନରେ ହାରି ଯାଇଥିବା କାରଣରୁ ଲୋକମାନେ ମୋତେ ପରିହାସ କରୁଛନ୍ତି ବୋଲି ରମାକାନ୍ତ କହିଥିଲେ। ଏହା ପରେ ରମାକାନ୍ତ ଶୋଇବା ଘରେ ପଙ୍ଖାରେ ଦଉଡି ଦେଇ ଝୁଲି ପଡ଼ିଥିଲେ।

ସ୍ୱାମୀଙ୍କୁ ଝୁଲୁଥିବାର ଦେଖି ସୁମତୀ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ଏହା ଦେଖି ପରିବାରର ଲୋକ ଓ ସାହିଭାଇ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରମାକାନ୍ତଙ୍କର ମୃତ୍ୟୁ ଘଟିଥିବା ସମୟରେ ସୁମତୀ ଗୁରୁତର ହୋଇଥିଲେ। ତାଙ୍କୁ କଟକର ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଥିବା ସମୟରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।

Leave A Reply

Your email address will not be published.