ରକ୍ତମୁଖା ପାଲଟିଲା ପ୍ରେମିକା,ପ୍ରେମିକକୁ ସ୍ୱାମୀ ରୂପରେ ନ ପାଇବାରୁ ଭିଣୋଇ ସହ ମିଶି କଲା ହତ୍ୟା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ନିର୍ବନ୍ଧ ସରି ଯାଇଥିଲା। ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କାର୍ଡ ମଧ୍ୟ ବଣ୍ଟା ସରି ଯାଇଥିଲା। ହେଲେ ହୋମରେ ନିଆଁ ଜଳିବା ପୂର୍ବରୁ ଶ୍ମଶାନରେ ଜୁଇ ଜଳିଲା। ଭାଙ୍ଗିଗଲା ଏକ ସୁଖର ସ୍ୱପ୍ନ। ନୂଆ ଜୀବନରେ ଆରମ୍ଭ କରିବା ପରିବର୍ତ୍ତେ ସବୁଦିନ ପାଇଁ ବାସୁଦେବ ଚାଲିଗଲେ ଆରପାରିକୁ। ଆସନ୍ତା ମାସ ମାର୍ଚ୍ଚ ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ, କିନ୍ତୁ ତା’ ପୂର୍ବରୁ କୋକେଇ ଉଠିଲା। ପ୍ରେମିକା ଓ ପ୍ରେମିକାର ଭିଣୋଇ ପ୍ରତିଶୋଧ ପରାୟଣା ହୋଇ ପ୍ରେମିକଙ୍କୁ କରିଲେ ହତ୍ୟା। ମୃତ ଦେହକୁ ଠାବ କରିବା ପରେ ସନ୍ଧାନୀ କୁକୁର ସିଧାସଳଖ ପ୍ରେମିକା ଦୁଆରେ ପହଞ୍ଚିଲା। ସୋନପୁର ଜିଲ୍ଲାର ଖୁଣ୍ଟିଗୋରା ପଞ୍ଚାୟତରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି।

କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ। ବୟସ ହେଉଛି ମାତ୍ର ୨୫ ବର୍ଷ। ସେ ବୃତ୍ତିରେ ଜଣେ ଶିକ୍ଷକ। ବିବାହ ପାଇଁ ତାଙ୍କର ଲଗ୍ନ ସ୍ଥିର ହୋଇସାରିଥିଲା। କିଛିଦିନ ପରେ ସେ ହାତରୁ ଦିହାତ ହୋଇ ଥାଆନ୍ତେ। ଘରକୁ ବୋହୂ ହୋଇ ଆସିଥାଆନ୍ତା। ବୁଢ଼ୀ ମା’ ବୋହୂ ପରଷା ପାଇଥାଆନ୍ତେ। ବାହାଘରକୁ ନେଇ ବିଧବା ମା’ଟି ମଧ୍ୟ ବହୁତ ଖୁସି ଥିଲା। କିଣାକିଣି ମଧ୍ୟ ସରିଥିଲା। ହେଲେ ପୁରୁଣା ପ୍ରେମିକା ବିବାହରେ କଣ୍ଟା ସାଜିଥିଲେ। ତାଙ୍କୁ ବିବାହ ନକରିବାକୁ ସେ ପାଲଟି ଯାଇଥିଲା ରକ୍ତମୁଖା।

୪ବର୍ଷ ହେଲା ବାସୁଦେବଙ୍କର ତୁଷୁରା ଥାନା ଅନ୍ତର୍ଗତ ଏକ ଗାଁର ଜନୈକ ଝିଅଙ୍କ ସହ ପ୍ରେମସଂପର୍କ ଥିଲା। କୌଣସି କାରଣବଶତଃ ତାଙ୍କର ବିବାହ ଅନ୍ୟତ୍ର ଠିକ ହୋଇ ଯାଇଥିଲା। ବାସୁଦେବ ତାଙ୍କର ପିଉସୀ ପୁଅ ଭାଇ ସହ ମିଶି ପ୍ରେମିକାକୁ ଭେଟିବା ପାଇଁ ଗତ ୧୨ ତାରିଖରେ ଯାଇଥିଲେ। ଭାଇକୁ କିଛି ଦୂରରେ ଛିଡ଼ା କରାଇ ସେ ଏକ ନିଛାଟିଆ ସ୍ଥାନକୁ ଏକୁଟିଆ ଯାଇଥିଲେ। ପ୍ରେମିକା ଓ ତା’ର ଭିଣୋଇ ପୂର୍ବରୁ ପ୍ରସ୍ତୁତ ଥିଲେ। ପ୍ରେମିକା ସାଥୀରେ ସେ ଶଙ୍ଖା ସିନ୍ଦୂର ନେଇ ଆସିଥିଲା। ଆଉ ଏହି ଜଙ୍ଗଲରେ ଶଙ୍ଖା ସିନ୍ଦୂର ପିନ୍ଧାଇବା ପାଇଁ ବାଧ୍ୟ କରିଥିଲେ। ଏଥିରେ ବାସୁଦେବ ଅମଙ୍ଗ ହେବା କାରଣରୁ ବାଡ଼େଇ ବାଡେଇ ତାଙ୍କୁ ମାରିଦେଇଥିଲେ।

ସେପଟେ ଅନେକ ସମୟ ଧରି ନ ଫେରିବା ପରେ ବାସୁଦେବଙ୍କର ଭାଇ ନିରାଶ ହୋଇ ଫେରିଆସି ପରିବାର ଲୋକମାନଙ୍କୁ ଜଣାଇଥିଲେ। ପରିବାର ଲୋକ ତୁରନ୍ତ କଂଟାମାଳ ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ପରେ କଣ୍ଟାମାଳ ପୋଲିସ ଗୁଡଭେଲା ପୋଲିସ ସହାୟତାରେ ସେଠାରେ ଖୋଲତାଡ ଆରମ୍ଭ କରିଥିଲେ ମଧ୍ୟ କୌଣସି ସୁରାକ ପାଇନଥିଲେ।

ଶେଷରେ ୧୨ଦିନ ପରେ କର୍ଲାଖମନ ନିକଟ ରାହୁଲ ନଦୀର ବିରିଘାଟ ନିକଟରେ ଏକ ଶବ ପଡିଥିବାର ଅନୁସନ୍ଧାନ ମିଳିଛି। ଘଟଣା ସ୍ଥଳରେ ଗୁଡଭେଲା ଥାନାଧିକାରୀ ସଞ୍ଜିବ କୁମାର ପ୍ରଧାନ ପହଞ୍ଚି ତଦନ୍ତ କରି ଶବକୁ ଚିହ୍ନଟ କରିଛନ୍ତି। ତେବେ ଘଟଣାସ୍ଥଳରେ ସନ୍ଧାନୀ କୁକୁର ପହଞ୍ଚିବା ପରେ, ସେଠାରୁ ଯାଇ ସିଧାସଳଖ ପ୍ରେମିକା ଘରେ ପହଞ୍ଚିଥିଲା। ପ୍ରେମିକା ମଧ୍ୟ ପ୍ରେମିକକୁ ଜୀବନରୁ ମାରିଦେଇଥିବା କଥାକୁ ସ୍ୱୀକାର କରିଛନ୍ତି ବୋଲି ସୂଚନା ମିଳିଛି। ଏପଟେ ବାସୁଦେବଙ୍କର ବିଧବା ମାଆ କମଳା ଏକମାତ୍ର ଶିକ୍ଷକ ପୁଅର ମୃତ୍ୟୁ ଖବର ପାଇ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି। ପ୍ରେମିକା ସିନା ପ୍ରେମିକ ଠାରୁ ପ୍ରତିଶୋଧ ନେଇ, ସବୁଦିନ ପାଇଁ ତାଙ୍କୁ ଜୀବନରୁ ମାରିଦେଲା। ହେଲେ ବର୍ତ୍ତମାନ ଏକୁଟିଆ ବୁଢ଼ୀ ମଣିଷ ବଞ୍ଚିବ କିପରି, ସେ କରିବ କ’ଣ?

Leave A Reply

Your email address will not be published.