ଏହି ଗୁପ୍ତ କୋଠରୀରେ କ‘ଣ କରୁଥିଲା ଠକ ଡାକ୍ତର ରମେଶ?

0

Get real time updates directly on you device, subscribe now.

୧୮ଜଣ ପତ୍ନୀକୁ ନେଇ ଚର୍ଚ୍ଚାରେ ଥିବା ରୋମିଓ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ଘରେ ରହିଛି ଏକ ଗୁପ୍ତ କୋଠରୀ। ଯେଉଁ କୋଠରୀ ଭିତରକୁ ରମେଶ ସିଡ଼ି ପକାଇ ଯାଉଥିଲା। ଆଉ ସେଠାରେ ଗୁପ୍ତ ଅପରେସନ କରୁଥିଲା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ରମେଶର ଏହି ଗୁପ୍ତ କୋଠରୀ ରହିଛି। ତେବେ ଏହି କୋଠରୀରେ ସେ ପ୍ରକୃତରେ ଅପରେସନ କରୁଥିଲା ନା ଅନ୍ୟ କିଛି କାର୍ଯ୍ୟରେ ଲିପ୍ତ ରହୁଥିଲା, ତାହା ବର୍ତ୍ତମାନ ତଦନ୍ତ ହେଉଛି। କମିଶନରେଟ ପୋଲିସ ନଜରରେ ଏହି ଗୁପ୍ତ କୋଠରୀ ପଡ଼ିଛି।

ମାଟ୍ରିକ ଫେଲ ରମେଶର କାମାକ୍ଷାନଗରରେ ଗୋଟିଏ ଘର ରହିଛି। ଏହି ଘରେ ସାଇଶ୍ରୀ କ୍ଲିନିକ ଚାଲିଥିଲା। ଜଣେ ଅଭିଜ୍ଞ ଡାକ୍ତରଙ୍କ ପରି ସେଠାରେ ସେ ରୋଗୀମାନଙ୍କର ସେବା କରୁଥିଲା। ୧୯୯୦ ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଅନ୍ୟତମ ପତ୍ନୀ ଶାନ୍ତିଲତାଙ୍କ ସହିତ ସେଠାରେ ରମେଶ ରହୁଥିଲା। କେବଳ ସେତିକି ନୁହେଁ, ତା’ ଗ୍ୟାରେଜରେ ଏକ ପୁରୁଣା ଟିଭିଏସ ବାଇକ ରଖାଯାଇଛି। ଯାହାର ଗାଡ଼ି ନମ୍ବରଟିକୁ ପଥରରେ ଘଷି ଲିଭାଇ ଦିଆଯାଇଛି। ଏଥିରୁ ଜଣାପଡ଼ୁଛିକି ଜାଲିଆତିର ସମସ୍ତ ସୀମା ରମେଶ ଅତିକ୍ରମ କରିସାରିଥିଲା।

ଠକ ଡାକ୍ତରର ଭଉଣୀ ଅନ୍ୟପକ୍ଷରେ ଆଜି ବନ୍ଧା ହୋଇଛି। ଯିଏ ଭାଇର କ୍ରାଇମ ପାର୍ଟନର ସାଜି କଳା ବେପାର ଚଳାଉଥିଲା। ଭୁବନେଶ୍ୱରର ଡିସିପି ଉମାଶଙ୍କର ଦାଶଙ୍କ କହିବା ଅନୁଯାୟୀ, ରମେଶର ଭଉଣୀ ରଶ୍ମିତା ଭାଇର କ୍ରାଇମ କନେକ୍ସନରେ ମୁଖ୍ୟ ପୁରୋଧା ଥିଲେ। ଟଙ୍କା, ସୁନା, ଧନ ସମ୍ପତ୍ତି ଲୁଟିବା ଚକ୍କରରେ ଏକାଧିକ ମହିଳାଙ୍କୁ ବିବାହ ଷଡ଼ଯନ୍ତ୍ରରେ ସଂଶ୍ଳିଷ୍ଟ ଥିଲା। ଭାଇଙ୍କୁ କେନ୍ଦ୍ର ସରକାରଙ୍କର କର୍ମଚାରୀ ଓ ଡାକ୍ତର ବୋଲି ଦର୍ଶାଇ ମହିଳାମାନଙ୍କୁ ପରିଚିତ କରାଉଥିଲା। ଅଭିଯୁକ୍ତ ରମେଶ ସ୍ୱାଇଁଙ୍କ ସହିତ ତାଙ୍କର ଭଉଣୀଙ୍କ ଭିଡିଓ କନଫରେନ୍ସିଂରୁ ଏହାର ପ୍ରମାଣ ମିଳିଥିବା ଡିସିପି କହିଛନ୍ତି। ରମେଶ ଓ ରଶ୍ମିତାଙ୍କୁ ରିମାଣ୍ଡରେ ନେବା ପରେ ଆହୁରି ଅନେକ ଗୁପ୍ତ ତଥ୍ୟ ସବୁ ପଦାକୁ ଆସିବ ବୋଲି ଡିସିପି କହିଛନ୍ତି। ତା’ସହ ରମେଶଙ୍କ କ୍ରାଇମ ସିଣ୍ଡିକେଟରେ ଥିବା ଭିଣୋଇ ତଥା ରଶ୍ମିତାଙ୍କର ସ୍ୱାମୀ ଓ ଡ୍ରାଇଭରଙ୍କୁ ପୋଲିସ ଖୋଜୁଛି।

ସେପଟେ ଆନ୍ଧ୍ରପ୍ରଦେଶରର ନର୍ସରୀ ବ୍ୟବସାୟୀ ଆଣିଥିବା ଅଭିଯୋଗର ମଧ୍ୟ ବର୍ତ୍ତମାନ ଗୁମର ଫିଟୁଛି। ରମେଶ ୪ ଲକ୍ଷ ଟଙ୍କାର ଚାରା ନେଇ ଆଦୌ ଧରାଛୁଆଁ ଦେଇନଥିଲା। ରମେଶର କଟକ ଖୁଣ୍ଟୁଣି ଥାନା ଖମାରନୂଆଗାଁରେ ରହିଛି ଏହି ଫାର୍ମ ହାଉସ। ଅଭିଯୋଗ ହୋଇଛିକି, ସଂପୃକ୍ତ ବ୍ୟବସାୟୀଙ୍କ ଠାରୁ ଯେଉଁ ଚାରି ଲକ୍ଷ ଟଙ୍କାର ଚାରା ଆଣିଥିଲେ ରମେଶ, ସେସବୁକୁ ଏହି ଫାର୍ମହାଉସରେ ସେ ଲଗାଇଛନ୍ତି। ୨୦୧୮ ମସିହାରେ ଏହି ଫାର୍ମ ହାଉସ ଜମିକୁ ଅନ୍ୟତମ ପତ୍ନୀ କମଳା ସ୍ୱାଇଁଙ୍କ ନାଁରେ ରମେଶ କିଣିଥିଲେ। ସେହି ଜମିରେ ଏକ ୪ ମହଲା ଘର ମଧ୍ୟ ରହିଛି। ପୋଲିସ ଏସବୁ ସ୍ଥାନରେ ଆଜି ଚଢ଼ଉ କରିଛି। ଏହା ସହ ପତ୍ନୀ କମଳାଙ୍କୁ ମଧ୍ୟ ପଚରାଉଚରା କରିବା ପାଇଁ ପୋଲିସ ଯୋଜନା ରଖିଛି।

Leave A Reply

Your email address will not be published.