ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦,ଏମିତି ହୋଇପାରେ ଭାରତର ପ୍ଲେଇଂ ଇଲେଭେନ !

0

Get real time updates directly on you device, subscribe now.

ଭାରତ-ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଗୁରୁବାର ଦିନ ସ୍ଥାନୀୟ ଏକନା ଷ୍ଟାଡିୟମରେ ଖେଳାଯିବ। ଭ୍ରମଣକାରୀ ଦଳ ଶ୍ରୀଲଙ୍କା ପାଇଁ ଏହି ଶୃଙ୍ଖଳା ଅଗ୍ନିପରୀକ୍ଷା ସଦୃଶ ହେବ। କାରଣ ଯୁବ ଖେଳାଳି ସମୃଦ୍ଧ ସହିତ ଏହି ଦଳ ‌ତୁଳନାତ୍ମକ ଭାବରେ ଅଧିକ ଶକ୍ତିଶାଳୀ ଏବଂ ଅଭିଜ୍ଞ ଭାରତୀୟ ଦଳର ସେ ମୁକାବିଲା କରିବ। ଅତୀତ ପରିସଂଖ୍ୟାନ ଦୃଷ୍ଟିରୁ ମଧ୍ୟ ଶ୍ରୀଲଙ୍କାଠାରୁ ଭାରତ ବହୁତ ଆଗରେ ରହିଛି। ସେହିଭଳି ଆଇସିସି ମାନ୍ୟତାରେ ମଧ୍ୟ ଭାରତ ବହୁ ଉଚ୍ଚରେ ରହିଛି। ଭରତୀୟ କ୍ରିକେଟ ଦଳ ଆଇସିସି ମାନ୍ୟତାର ପ୍ରଥମ ସ୍ଥାନରେ ଥିଲା ସମୟରେ ଶ୍ରୀଲଙ୍କା ଦଶମ ସ୍ଥାନ‌ରେ ରହିଛି। ତେବେ ବିଶ୍ବକପର ପ୍ରସ୍ତୁତିକୁ ଗତି ପ୍ରଦାନ କରିବା ପାଇଁ ଏହି ଶୃଙ୍ଖଳା ଉଭୟ ଦଳ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ହେବ। ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ମାସରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପର ପରବର୍ତ୍ତୀ ସଂସ୍କରଣ ଲାଗି ଏହି ଶୃଙ୍ଖଳା ଏକ ରିହରସାଲ ଭଳି କାର୍ଯ୍ୟ କରିବ। ଉଭୟ ଦଳର କିଛି ପ୍ରମୁଖ ଖେଳାଳି ଆହତ ‌ହୋଇଥିବାରୁ ସେମାନେ ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି। ଭାରତର ଦ୍ରୁତ ବୋଲର ଦୀପକ ଚହରଙ୍କ ସହ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶୃଙ୍ଖଳାର ବିଜୟର ନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସେବାରୁ ବଞ୍ଚିତ ହେବେ। ଉଭୟ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତୃତୀୟ ଟ୍ବେଣ୍ଟି-୨୦ ସମୟରେ ଆହତ ହୋଇଥିଲେ।

ଏହି ଦୁଇ ଜଣ ବାଦ ପଡ଼ିବା ପରେ ବିସିସିଆଇ ସେମାନଙ୍କର ବଦଳ ଖେଳାଳିଙ୍କ କଥା ବିଚାରକୁ ନେଇନାହିଁ। ବିଶେଷକରି ଜୈବ ବଳୟ ନିୟମ ଯୋଗୁଁ ତୁରନ୍ତ କୌଣସି ଖେଳାଳି ଦଳ ସହିତ ଯୋଗଦେଇପାରିବେନି। ତେଣୁ ବର୍ତ୍ତମାନ ଭାରତୀୟ ଦଳ ୧୮ ପରିବର୍ତେ ୧୬ ଜଣରେ ଶ୍ରୀଲଙ୍କା ବିପକ୍ଷରେ ଶୃଙ୍ଖଳା ଖେଳିବ। ଶ୍ରୀଲଙ୍କା ମଧ୍ୟ ଅଭିସ୍କା ଫର୍ଣ୍ଣାଣ୍ଡୋ, ଭାନୁକା ରାଜପାକସ ଏବଂ କୋଭିଡ୍ ପଜିଟିଭ୍ ଥିବା ୱାନିନ୍ଦୁ ହସରଙ୍ଗାଙ୍କ ଅନୁପସ୍ଥିତିକୁ ଅନୁଭବ କରିବ। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଲଗାତାର ଶୃଙ୍ଖଳା ବିଜୟ ହାସଲ କରିଥିଲା ସମୟରେ ଶ୍ରୀଲଙ୍କାକୁ ମଧ୍ୟ ୱେଷ୍ଟଇଣ୍ଡିଜ ଭଳି ମୂଳପୋଛ କରିବା ଲକ୍ଷ୍ୟରେ ରହିଛି। ଶ୍ରୀଲଙ୍କା ଓ ଭାରତ ପରସ୍ପର ବିପକ୍ଷରେ ୨୨ଟି ଟ୍ବେଣ୍ଟି-୨୦ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୧୪ଟି ମ୍ୟାଚ ଜିତିଥିଲା ସମୟରେ ଶ୍ରୀଲଙ୍କା ମାତ୍ର ୭ଟି ମ୍ୟାଚ ଜିତିଛି। ଗୋଟିଏ ମୁକାବିଲାର ଫଳାଫଳ ନାହିଁ।

ଏକନା ଷ୍ଟାଡିୟମ୍‌ରେ ପୂର୍ବରୁ ଖେଳାଯାଇଥିବା ମ୍ୟାଚଗୁଡ଼ିକର ତର୍ଜମା କଲେ ଜଣାପଡ଼େଯେ ଏଠାରେ ଖେଳାଯାଇଥିବା ୭ ମ୍ୟାଚ୍‌ ମଧ୍ୟରେ ପ୍ରଥମେ ବ୍ୟାଟିଂ କରିବା ଦଳ ୪ଟି ଏବଂ ଦ୍ବିତୀୟ ବ୍ୟାଟିଂ କରିବା ଦଳ ୩ଟି ମ୍ୟାଚ ଜିତିଛନ୍ତି। ଏଠାରେ ହାରାହାରି ପ୍ରଥମ ପାଳି ସ୍କୋର ୧୫୧ ରନ ଥିଲା ସମୟରେ ହାରାହାରି ଦ୍ବିତୀୟ ପାଳି ସ୍କୋର ରହିଛି ମାତ୍ର ୧୨୮ ରନ।

ସମ୍ଭାବ୍ୟ ଭାରତ ଦଳ:-

ଋତୁରାଜ ଗାଏକୱାଡ, ଈଶାନ କିଶନ, ଶ୍ରେୟସ ଆୟର, ରୋହିତ ଶର୍ମା (ଅଧିନାୟକ), ଦୀପକ ହୁଡା, ଭେଙ୍କଟେଶ ଆୟର, ରବୀନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ରବି ବିଷ୍ଣୋଇ, ଯଶପ୍ରୀତ ବୁମରାହ।

ସମ୍ଭାବ୍ୟ ଶ୍ରୀଲଙ୍କା ଦଳ:-

ପାଥୁମ ନିସଙ୍କ, କୁଶାଲ ମେଣ୍ଡିସ୍, ଚରିଥ ଅସଲଙ୍କା, ଦୀନେଶ ଚାନ୍ଦିମାଳ, ଜାନିଥ ଲିୟାନାଗେ, ଦାସୁନ ସନକା (ଅଧିନାୟକ), ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ପ୍ରବୀଣ ଜୟବିକ୍ରମ, ମହେଶ ଥିକସାନା, ଲାହିରୁ କୁମାର।

ରୋହିତଙ୍କର ବୁମରାହାଙ୍କ ପ୍ରଶଂସା:-

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ନବନିଯୁକ୍ତ ଟି-୨୦ ଉପଅଧିନାୟକ ଯଶପ୍ରୀତ ବୁମରାହଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି। ‘‘ବୁମରାହ ଖେଳକୁ ଭଲଭାବରେ ଜାଣିଛନ୍ତି। ନେତୃତ୍ବ ନେବାର ଭୂମିକା ଲାଗି ଏହା ତାଙ୍କ ପାଇଁ ପ୍ରକୃଷ୍ଟ ପଥ ଅଟେ। ସେ ମଧ୍ୟ ତାଙ୍କ ଖେଳକୁ ଏକ ନୂଆ ସ୍ତରକୁ ନେଇଛନ୍ତି। ଏହା ତାଙ୍କୁ ଆହୁରି ଆଗକୁ ବଢ଼ିବାରେ ସହାୟକ ହେବ। ତାଙ୍କ ମନୋବଳ ମଧ୍ୟ ଆକାଶ ଛୁଇଁବ।’’ ବୋଲି ରୋହିତ କହିଛନ୍ତି। ସୂର୍ଯ୍ୟକୁମାର ଯାଦବ ଆହତ ହୋଇ ଶ୍ରୀଲଙ୍କା ଶୃଙ୍ଖଳାରୁ ବାଦ୍ ପଡ଼ିବା ଦଳ ପାଇଁ ଏକ ମସ୍ତବଡ଼ ଧକ୍କା ‌ବୋଲି ସେ ସ୍ବୀକାର କରିଛନ୍ତି। ତେବେ ଅନ୍ୟମାନେ ଏହି ସୁଯୋଗର ସମ୍ପୂର୍ଣ ଲାଭ ଉଠାଇବେ ବୋଲି ଆଶାପ୍ରକାଶ କରିଛନ୍ତି। ତିନୋଟି ଯାକ ଫର୍ମାଟରେ ଭାରତର ନେତୃତ୍ବ ନେବା ସମ୍ମାନ ଏବଂ ଗର୍ବର ବିଷୟ ଭାବରେ ହିଟମ୍ୟାନ ରୋହିତ ଶର୍ମା ବର୍ଣ୍ଣନା କରିଛନ୍ତି।

Leave A Reply

Your email address will not be published.