ହୃଦୟ ଜିଣିଲେ ଲୋକେଶ ରାହୁଲ,୩୧ ଲକ୍ଷ ଟଙ୍କା ଦେଇ ବଞ୍ଚାଇଲେ ବାଳକର ଜୀବନ

0

Get real time updates directly on you device, subscribe now.

ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ହୃଦୟ ଜିଣିଲେ। କ୍ରିକେଟ ପଡିଆରେ ଶାନ୍ତ ରହୁଥିବା ରାହୁଲ ମଇଦାନ ବାହାରେ ଏକ ମହାନ କାମ କରି ଦେଖାଇଛନ୍ତି। ଏକ ବିରଳ ରୋଗରେ ଆକ୍ରାନ୍ତ ଥିବା ୧୧ ବର୍ଷୀୟ ବାଳକର ଅସ୍ତ୍ରୋପଚାର ପାଇଁ ରାହୁଲ ଏକ ବଡ଼ ସହାୟତା କରିଛନ୍ତି। ବାଳକଟି ଅପ୍ଲାଷ୍ଟିକ ଏନିମିଆ ଭଳି ବିରଳ ରୋଗରେ ଆକ୍ରାନ୍ତ ଥିଲା ଏବଂ ଏହାର ତୁରନ୍ତ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ (ବିଏମଟି)ର ଆବଶ୍ୟକ ଥିଲା। କିନ୍ତୁ ପରିବାର ପାଖରେ ସର୍ଜରୀ ପାଇଁ ଆବଶ୍ୟକ ୩୫ ଲକ୍ଷ ଟଙ୍କା ନଥିଲା। ଆଉ ଯେତେବେଳେ ରାହୁଲଙ୍କ କାନରେ ଏହି କଥା ପଡ଼ିଲା, ତୁରନ୍ତ ସେ ସର୍ଜରୀ ପାଇଁ ୩୧ ଲକ୍ଷ ଟଙ୍କା ସହାୟତା କରିବାକୁ ଆଗେଇ ଆସିଥିଲେ।

ଗତବର୍ଷ ଡିସେମ୍ବରରେ ବରଦ ନାମ ଏହି ବାଳକର ମାତା-ପିତା ଏକ ଏନଜିଓ ଜରିଆରେ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆବଶ୍ୟକ ୩୫ ଲକ୍ଷ ଟଙ୍କା ଫଣ୍ଡ ଭାବରେ ସଂଗ୍ରହ କରିବା ଆରମ୍ଭ କରିଥିଲେ। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବରଦ ଗତବର୍ଷ ସେପ୍ଟେମ୍ବର ମାସରୁ ମୁମ୍ବାଇର ଜସଲୋକ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିଲେ। ବରଦଙ୍କ ରକ୍ତରେ ପ୍ଲେଟଲେଟର ସ୍ତର ବହୁତ କମ ଥିଲା। ଏହି କାରଣରୁ ତାଙ୍କର ଇମ୍ୟୁନିଟୀ ମଧ୍ୟ ଧୀରେ ଧୀରେ ହ୍ରାସ ପାଉଥିଲା ଏବଂ ସାଧାରଣ ଜ୍ୱର ଠିକ ହେବାକୁ ମାସେ ପାଖା ପାଖି ଲାଗିଯାଉଥିଲା। ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ଏହାର ସ୍ଥାୟୀ ଭାବରେ ଉପଚାର ହୋଇପାରିବ। ଏହା ପରେ ପରିବାର ଧୀରେ ଧୀରେ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅର୍ଥ ସଂଗ୍ରହ କରିବା ଆରମ୍ଭ କରିଦେଲେ।

ମଧ୍ୟବର୍ଗୀୟ ପରିବାର ହୋଇଥିବା କାରଣରୁ ସେମାନଙ୍କୁ ସର୍ଜରୀ ପାଇଁ ଅର୍ଥ ସଂଗ୍ରହ କରିବାରେ ମଧ୍ୟ ସମସ୍ୟା ହୋଇଥିଲା। ଏପରିକି ପୁଅର କ୍ରିକେଟର ହେବାର ସ୍ୱପ୍ନକୁ ଉଜ୍ଜୀବିତ ରଖିବା ପାଇଁ ପିତା ନିଜର ପିଏଫ୍ ଟଙ୍କା ମଧ୍ୟ ଚିକିତ୍ସାରେ ଲଗାଇ ଦେଲେ। ଯେତେବେଳେ ରାହୁଲ୍ ଏହି ପିଲାଟି ବିଷୟରେ ଜାଣିବାକୁ ପାଇଥିଲେ, ସେ ତୁରନ୍ତ ସହାୟତାର ହାତ ବଢ଼ାଇଲେ। ରାହୁଲଙ୍କ ସହାୟତା ପରେ ବରଦର ସର୍ଜରୀ ମଧ୍ୟ ସଫଳ ହୋଇଛି। ବର୍ତ୍ତମାନ ବରଦ ଦ୍ରୁତ ଗତିରେ ସୁସ୍ଥ ହେବାରେ ଲାଗିଛନ୍ତି।

ଏହାକୁ ନେଇ ରାହୁଲ କହିଛନ୍ତିକି, ଯେତେବେଳେ ମୁଁ ବରଦଙ୍କ ସ୍ଥିତି ସମ୍ବନ୍ଧରେ ଜାଣିବାକୁ ପାଇଲି, ମୋ ଦଳ ପରିବାର ଓ ଏନଜିଓକୁ ଯୋଗାଯୋଗ କରିଥିଲୁ। ଯାହାଦ୍ଦ୍ୱାରା ଆମେ ତାଙ୍କର ସହାୟତା କରିପାରିବୁ। ସର୍ଜରୀ ସଫଳ ହୋଇଥିବା ଜାଣି ମୁଁ ବହୁତ ଖୁସି। ମୋର ବିଶ୍ୱାସଯେ ବରଦ ଶୀଘ୍ର ସୁସ୍ଥ ହୋଇ ନିଜ ଗୋଡ଼ରେ ଛିଡ଼ା ହେବ ଏବଂ ନିଜର ସ୍ୱପ୍ନକୁ ହାସଲ କରିବା ପାଇଁ ଆଗକୁ ବଢ଼ିବ।

ରାହୁଲଙ୍କର ଏହି ମହାନ କାମ ପାଇଁ ବରଦର ମା’ ସ୍ୱପ୍ନା ବହୁତ ଖୁସି ହୋଇଛନ୍ତି। ସେ କହିଛନ୍ତିକି, ପୁଅର ସର୍ଜରୀ ପାଇଁ ଏତେ ବଡ଼ ରାଶି ଦାନ କରିଥିବାରୁ ଆମେ ରାହୁଲଙ୍କ ନିକଟରେ ଆମେ କୃତଜ୍ଞ। ଯଦି ସେ ସହାୟତା କରିନଥାନ୍ତେ, ତେବେ ଏତେ କମ ସମୟ ମଧ୍ୟରେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରିବା ଅସମ୍ଭବ ଥିଲା। ତାଙ୍କର ଏହି ସହାୟତାକୁ ଆମେ କଦାପି ଭୁଲିପାରିବୁ ନାହିଁ।

Leave A Reply

Your email address will not be published.