ମିଳିଲାନି ଦୀପାବଳି ବୋନସ୍‌ । ସେଥିପାଇଁ ନିଜ କମ୍ପାନୀକୁ ହିଁ ଲୁଟି ନେଲେ କର୍ମଚାରୀ ।

କୁହାଯାଏ, ଦରକାର ପଡ଼ିଲେ ମଣିଷ କିଛି ବି କରିପାରେ । କିନ୍ତୁ ପରେ ଅନୁତାପ କରେ ଯେ ସେ କେତେ ବଡ଼ ଅପରାଧ କରିଛି । ଛତିଶଗଡ଼ର ରାୟପୁରରୁ ଠିକ୍‌ ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ମନ ପସନ୍ଦର ଦରମା ଏବଂ ଦୀପାବଳି ବୋନସ୍‌ ନ ମିଳିବାରୁ ଜଣେ କର୍ମଚାରୀ ଲୁଟେରା ସାଜିଥିଲେ । ସେ କିଛି ସହକର୍ମୀଙ୍କ ସହ ମିଶି ନିଜର ହିଁ କମ୍ପାନୀରୁ ଟଙ୍କା ଉଠାଇ ନେଇଥିଲେ । ଆଉ ଧରା ପଡ଼ିଯିବା ଭୟରେ ଲୁଟ୍‌ର ମିଛ କାହାଣୀ ଗଢ଼ିଥିଲେ ।

କିନ୍ତୁ ସେମାନଙ୍କ ମିଛ ବେଶି ଦିନ ତିଷ୍ଠି ନଥିଲା । ପୋଲିସ ବହୁତ ଜଲ୍‌ଦି ଲୁଟ୍‌ର ରହସ୍ୟ ଉନ୍ମୋଚନ କରି ଲୁଟେରା କର୍ମଚାରୀମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଘଟଣା ୧୮ ଅକ୍ଟୋବରର ବୋଲି ଜଣାପଡ଼ିଛି । ଏସ୍‌ପି ଗୋୟଲ ନାମକ କମ୍ପାନୀରେ କାମ କରୁଥିବା କିଛି କର୍ମଚାରୀ ଶ୍ରମିକମାନଙ୍କ ନଗଦ ବେତନକୁ ଏକ ବ୍ୟାଗରେ ଭର୍ତ୍ତି କରିନେଇ ଯାଉଥିଲେ । ଏହି ସମୟରେ ରାସ୍ତାରେ କିଛି ଲୋକ ସେମାନଙ୍କୁ ଲୁଟ୍‌ କରିଥିଲେ । ଏ ନେଇ କମ୍ପାନୀର ଜଣେ କର୍ମଚାରୀ ପୋଲିସରେ ଅଭିଯୋଗ କରିଥିଲେ ।

ତଦନ୍ତ ବେଳେ ପୋଲିସ ଯେତେବେଳେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା, ତ ଏଥିରୁ ଜଣାପଡ଼ିଥିଲା କି, ଯେଉଁ ଲୋକମାନେ କମ୍ପାନୀର କର୍ମଚାରୀଙ୍କଠୁ ଟଙ୍କା ଲୁଟ୍‌ କରିଥିଲେ, ସେମାନେ ପରେ ଉକ୍ତ କମ୍ପାନୀର କର୍ମଚାରୀ ବିଦ୍ୟାଧରଙ୍କ ସହିତ ମଧ୍ୟ ଦେଖାଯାଇଥିଲେ । ଆଉ ଯେତେବେଳେ ବିଦ୍ୟାଧରଙ୍କୁ ଏ ବିଷୟରେ ପଚରାଉଚରା କରାଯାଇଥିଲା, ତ ସେ ଡରି ଯାଇଥିଲେ ଏବଂ ସବୁ ସତ ମାନିଥିଲେ । ସେ କହିଥିଲେ କି, ସେ ହିଁ ନିଜର କିଛି ସାଥୀଙ୍କୁ ଲୁଟ୍‌ ପାଇଁ ପଠାଇଥିଲେ ।

ବିଦ୍ୟାଧର ପୋଲିସକୁ କହିଥିଲେ ଯେ ଦରମା କମ୍‌ ହେବା କାରଣରୁ କମ୍ପାନୀ ମ୍ୟାନେଜମେଣ୍ଟ ସହିତ ତାଙ୍କର ଅନେକ ଥର ପାଟିତୁଣ୍ଡ ହୋଇଛି । ଦୀପାବଳିରେ ବି ବୋନସ୍‌ ମିଳିନାହିଁ । ତେଣୁ ଟଙ୍କା କମାଇବା ପାଇଁ ସେ ଏଭଳି ଉପାୟ ଆପଣାଇଥିଲେ । ତେବେ ପୋଲିସର କହିବା ହେଲା, ଘଟଣାରେ ସମ୍ପୃକ୍ତ ୨ କର୍ମଚାରୀ ଏବେ ବି ଫେରାର ଅଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି ଚାଲିଛି । ମୁଖ୍ୟ ଅଭିଯୁକ୍ତ ବିଦ୍ୟାଧରଙ୍କୁ ଗିରଫ କରି ପୋଲିସ ପଚରାଉଚରା କରୁଛି । ପୋଲିସ ସୂଚନା ମୁତାବକ, ଲୁଟ୍‌ ହୋଇଥିବା ବ୍ୟାଗ୍‌ରେ ମୋଟ ୧.୭୦ ଲକ୍ଷ ଟଙ୍କା ଥିଲା, ଯାହାକୁ କମ୍ପାନୀ ଶ୍ରମିକମାନଙ୍କୁ ଦେବାର ଥିଲା ।

odia sambada
Comments (0)
Add Comment