ଭାରତ ଇଂଲଣ୍ଡକୁ ତୃତୀୟ ଦିନିକିଆ ମ୍ୟାଚରେ ପରାସ୍ତ କରିଦେଇଛି। ଏହି ବିଜୟ ସହିତ ଭାରତ 2-1 ରେ ସିରିଜକୁ କବଜା କରିନେଇଛି। ଭାରତର ବିଜୟରେ ହାର୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ନାୟକ ସାଜିଥିଲେ। ଦୁହେଁ ଚମତ୍କାର ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ।
72 ରନରେ ଯାଇଥିଲା ଭାରତର ଚାରୋଟି ଉଇକେଟ:-
ଟାର୍ଗେଟର ପିଛା କରି ଭାରତୀୟ ଟିମର ଆରମ୍ଭ ବହୁତ ଖରାପ ହୋଇଥିଲା। ସର୍ବପ୍ରଥମେ ଶିଖର ଧାୱନ ପାଭିଲିୟନ ଫେରିଥିଲେ। ଧାୱନ 1 ରନରେ ଖେଳୁଥିବା ବେଳେ ରିସି ଟପଲି ତାଙ୍କୁ ଜାସନ ରୟଙ୍କ ହାତରେ କ୍ୟାଚ କରାଇଲେ। ଏହାପରେ ଲୟରେ ନଜର ଆସୁଥିବା ରୋହିତ ଶର୍ମା 17 ରନରେ ରିସି ଟପଲିଙ୍କ ଶିକାର ହୋଇଥିଲେ। ଦୁଇ ଉଇକେଟ ଯିବାପରେ ବିରାଟ କୋହଲି ମଧ୍ୟ ଜୋଶ ବଟଲରଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ ଓ ଏହାପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ 16 କରି ଆଉଟ ହୋଇଥିଲେ। ଏହି ସମୟରେ ଭାରତର ସ୍କୋର 72/4 ହୋଇଗଲା।
ଚାରୋଟି ଉଇକେଟ ଯିବାପରେ ଭାରତୀୟ ଟିମ ଚାପରେ ନଜର ଆସୁଥିଲେ କିନ୍ତୁ ହାର୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ଭାରତକୁ ବିଜୟ ଦେବେ ବୋଲି ମନସ୍ଥ କରିସାରିଥିଲେ। ଋଷଭ ପନ୍ତଙ୍କୁ ସେଟ ହେବାକୁ ଅଳ୍ପ ସମୟ ଲାଗିଲା କିନ୍ତୁ ହାର୍ଦିକ ଆରମ୍ଭରୁ ଆକ୍ରମଣାତ୍ମକ ନଜର ଆସୁଥିଲେ। ଉଭୟ ପଞ୍ଚମ ଉଇକେଟ ଭାଗିଦାରୀ 133 ରନ କରିଥିଲେ ଓ ଏଥିରେ ହାର୍ଦିକ ବ୍ୟକ୍ତିଗତ 71 ରନର ପାଳି ଖେଳିଥିଲେ। ହାର୍ଦିକ ଆଉଟ ହେବାବେଳକୁ ଭାରତର ସ୍କୋର 200 ପାର ହୋଇଯାଇଥିଲା।
ପନ୍ତ ଙ୍କର ଦିନିକିଆରେ ପ୍ରଥମ ଶତକ:-
ହାର୍ଦିକ ଆଉଟ ହେବାପରେ କ୍ରିଜ ଉପରକୁ ରବୀନ୍ଦ୍ର ଜାଡେଜା ଆସିଥିଲେ କିନ୍ତୁ ଋଷଭ ସମସ୍ତ ଦାୟିତ୍ୱ ଗ୍ରହଣ କରିଥିଲେ ଓ ସେ ହଠାତ ଆକ୍ରମଣାତ୍ମକ ରୂପ ଗ୍ରହଣ କରି ଇଂଲଣ୍ଡ ବୋଲରଙ୍କୁ ଆଟାକ କରିଥିଲେ। ପାଳିର 42 ତମ ଓଭରରେ ଋଷଭ ଡେଭିଡ଼ ଉଇଲିଙ୍କୁ 5ଟି ଚୌକା ମାରିଥିଲେ। ଏହାପାଇଁ ଭାରତ 47 ବଲ ପୂର୍ବରୁ ମ୍ୟାଚ ଜିତିନେଇଥିଲା। ପନ୍ତ 125 ରନ ବନାଇ ନଟ ଆଉଟ ରହିଲେ,, ଯେଉଁଥିରେ 16ଟି ଚୌକା ଓ 2ଟି ଛକା ସାମିଲ ଥିଲା। ଖାଆସ କଥା ଏହାକି ଯେ, ଇଂଲିଶ ମାଟିରେ ପନ୍ତଙ୍କ କ୍ୟାରିଅରର ଏହା ପ୍ରଥମ ଦିନିକିଆ ଶତକ ଥିଲା।
ହାର୍ଦିକ ବୋଲିଂରେ ମଧ୍ୟ ନେଲେ ଚାରୋଟି ଉଇକେଟ:-
ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଇଂଲଣ୍ଡ 45.5 ଓଭରରେ 259 ରନ ବନାଇ ଅଲ ଆଉଟ ହୋଇଯାଇଥିଲା। ଇଂଲଣ୍ଡ ତରଫରୁ ଅଧିନାୟକ ଜୋଶ ବଟଲର ସର୍ବାଧିକ 60 ରନ ବନାଇଥିଲେ। ସେହିପରି ଭାରତୀୟ ତରଫରୁ ହାର୍ଦିକ ପାଣ୍ଡ୍ୟା ଚାରୋଟି ଉଇକେଟ, ଚହଲ ତିନୋଟି ଓ ସିରାଜ, ଶାମି 2-2 ଟି ଉଇକେଟ ପାଇଥିଲେ।
ଆଠବର୍ଷ ପରେ ଜିତିଲେ ସିରିଜ:-
ଭାରତୀୟ ଟିମ ଦୀର୍ଘ ଆଠବର୍ଷ ପରେ ଇଂଲଣ୍ଡ ମାଟିରେ ସିରିଜ ଜିତିଲା। ପୂର୍ବରୁ 2014 ରେ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତାରେ ଦଳ 3-1 ରେ ସିରିଜ ଜିତିଥିଲା।