ସରକାରୀ ଡ଼ାକ୍ତରଖାନାରେ ଅଛନ୍ତି ରୋମାଣ୍ଟିକ ଡ଼ାକ୍ତର, ମେଡ଼ିକାଲରେ ବସି ସେବା ଆଳରେ ଡାକ୍ତର ଅସଦାଚରଣ କରୁଥିଲେ । ମହିଳା ରୋଗୀମାନଙ୍କ ଉପରେ ଡାକ୍ତରଙ୍କ ଲୋଲୁପ ଦୃଷ୍ଟି ରହୁଥିଲା । ଆଉ ଯେଉଁଥିପାଇଁ ଜଣେ ମହିଳା ଆଜି କୋଳଶୂନ୍ୟ ହୋଇଯାଇଛନ୍ତି । ମହିଳାଙ୍କୁ ଅସଦାଚରଣ ସହ ତାଙ୍କ ପିଲାକୁ ଚିକିତ୍ସା ଅବହେଳାରେ ଡାକ୍ତର ଜଣକ ମାରିଦେଇଥିବା ଅଭିଯୋଗ ହୋଇଛି । ଆଜ୍ଞା ହଁ, ବର୍ତ୍ତମାନ ଏଭଳି ଗୋଟିଏ ସଙ୍ଗୀନ ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ।
ସେଠିକାର ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନରୋତ୍ତମ ରଥ ଜଣେ ମହିଳାଙ୍କୁ ଚିକିତ୍ସାଳୟରେ ଅସଦାଚରଣ କରୁଥିଲେ । ସାଧାରଣତଃ ଡାକ୍ତରଙ୍କୁ ଆମେ ଦ୍ୱିତୀୟ ଭଗବାନ ମାନିଥାଉ । କାରଣ ଭଗବାନଙ୍କ ପରେ ସେ ହିଁ ତ ଆମକୁ ମୃତ୍ୟୁ ମୁଖରୁ ବଞ୍ଚାଇଥାଆନ୍ତି । ଡାକ୍ତରଙ୍କ ସେବା ଶୁଶ୍ରୁଷାରେ ମଣିଷ ନୂଆଁ ଜୀବନ ପାଇଥାଏ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଯେତେବେଳେ ଡାକ୍ତରଙ୍କ ଭଳି ଜଣେ ରକ୍ଷକ ଭକ୍ଷକ ସାଜିଯିବ, ସେତେବେଳେ କାହାକୁ ଦୁଃଖ ଜଣାଇବ ।
ଆଉ ଠିକ୍ ଏଭଳି କାମ ମୟୂରଭଞ୍ଜ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ନରୋତ୍ତମ ରଥ କରୁଥିଲେ । ସରକାରୀ ଡାକ୍ତରଖାନା ହୋଇ ମଧ୍ୟ ଡ଼ାକ୍ତରବାବୁ ଫିସ ନିଅନ୍ତି । ଆଉ ମହିଳା ଜଣକ ନିଜର ଚିକିତ୍ସା ପାଇଁ ଯେତେ ଥର ଡାକ୍ତରଖାନା ଆସୁଥିଲେ, ଏ ଡାକ୍ତରବାବୁ ଜଣକ ସବୁଥର ତାଙ୍କୁ ଅସଦାଚରଣ କରୁଥିଲେ । ଏହାକୁ ନେଇ ମହିଳା ଜଣକ ବିରୋଧ କଲେ ମଧ୍ୟ ଡାକ୍ତର ବାରମ୍ବାର ଏପରି କାମ କରୁଥିଲେ ।
କେବଳ ସେତିକି ନୁହେଁ, ବିଭିନ୍ନ ଆଳରେ ମହିଳାଙ୍କୁ ଛୁଇଁବା ସହ ଅଶ୍ଳୀଳ ଇଙ୍ଗିତ କରି ଅସଦାଚରଣ କରୁଥିଲେ । ମହିଳା ଏହାକୁ ବିରୋଧ କରିବାକୁ ଡାକ୍ତର ଜଣକ ରାଗ ରଖି ତାଙ୍କ ଛୁଆକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ମହିଳା କହିବା ଅନୁଯାୟୀ, ସେ ଡାକ୍ତରଙ୍କୁ ବିରୋଧ କରିବାରୁ ଡାକ୍ତର ତାଙ୍କ ଛୁଆର ଚିକିତ୍ସାରେ ଅବହେଳା କରିଥିଲେ । ଆଉ ଯେଉଁଥିପାଇଁ ତାଙ୍କ ଶିଶୁଟି ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଛି । ଯାହାକୁ ଦଶମାସ ଦଶଦିନ ଗର୍ଭରେ ଧରି ଜନ୍ମ ଦେଇଥିଲେ ଏବଂ ଯାହାକୁ ଏତେ କଷ୍ଟ ସହି ଆସିଥିଲେ, ଆଜି ଶେଷରେ ଏ ରସିକିଆ ଡାକ୍ତର ଜଣକ ପାଇଁ ମା କୋଳ ଶୂନ୍ୟ ହୋଇଗଲା ।
ଯାହାକୁ ନେଇ କ୍ୟାମେରା ସାମ୍ନାରେ ଏହି ମା କାନ୍ଦି କାନ୍ଦି ସବୁ କହିଛନ୍ତି । ଏହାକୁ ନେଇ ମହିଳା ଜଣକ ତାଙ୍କ ସ୍ୱାମୀକୁ ସବୁକଥା ଜଣାଇ ଥିବାରୁ ତାଙ୍କ ସ୍ଵାମୀ ଯଶିପୁର ଥାନାରେ ଏକ ଲିଖିତ ଏତେଲା ଦେଇଛନ୍ତି । ସେପଟେ ଏହି ଘଟଣା ବିଷୟରେ ଡ଼ାକ୍ତର ବାବୁଙ୍କୁ ପଚାରିବାରୁ ସେ କହୁଛନ୍ତି ଯେ ତାଙ୍କୁ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଆଉ ଯଦି ଅଭିଯୋଗ ହୋଇଥାଏ, ତେବେ ସେ କାଉଣ୍ଟର କେସ କରିବେ । ତେବେ ଅଭିଯୋଗ ପରେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି ।