ମାୟାବିନି ଅର୍ଚ୍ଚନା ନାଗ ଗିରଫ ହେବାର ଆଠ ନଅ ଦିନ ବିତିଲାଣି । ଆଉ ପ୍ରତ୍ୟେକଦିନ ପୋଲିସକୁ ନୂଆଁ ନୂଆଁ ବିସ୍ଫୋରକ ତଥ୍ୟ ମିଳୁଛି । ଆଉ ଏହା ମଧ୍ୟରେ ଆଉ ଗୋଟିଏ କଥା ସାମ୍ନାକୁ ଆସିଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗରେ ସେ ଏପରି କିଛି କଥା ଲେଖିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଅଭିଯୋଗ ଏହା ରହିଛି ଯେ ଅର୍ଚ୍ଚନା କୁଆଡେ ବ୍ୟବସାୟୀଙ୍କୁ କହୁଥିଲେ ମୋ ସ୍ବାମୀ ଥିଲେ ମଧ୍ୟ ତୁମ ପାଇଁ ମୋ ଘରର ଦୁଆର ସବୁବେଳେ ଖୋଲା ଅଛି । ଖାଲି ଘରର ଦୁଆର ନୁହେଁ ବରଂ ସବୁବେଳେ ମନ ମଧ୍ୟ ଖୋଲା ଅଛି ।
ଆଜ୍ଞା ହଁ, ଲେଡୀ ବ୍ଲାକମେଲର ଗିରଫ ହେବା ମାମଲାରେ ଆଜି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ମୁହଁ ଖୋଲିଛନ୍ତି । ତାଙ୍କ ନାମ ହେଉଛି ଶଶାଙ୍କ ଶେଖର ସାହୁ । ତାଙ୍କର ସୁନ୍ଦରପଦାରେ ଗୋଟିଏ ପେଟ୍ରୋଲ ପମ୍ପ ଅଛି । ଶଶାଙ୍କଙ୍କ କହିବା କଥା ହେଉଛି ଯେ କିଛିମାସ ତଳେ ଅର୍ଚ୍ଚନାଙ୍କ ସହ ରାଜ୍ୟର ଜଣେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଚାମ୍ବରରେ ଦେଖା ହୋଇଥିଲା । ଆଉ ଏହାର କିଛିଦିନ ପରେ ଅର୍ଚ୍ଚନାର ମାୟା ଜାଲ ତାଙ୍କ ଉପରେ ପଡିଥିଲା । ଅର୍ଥାତ୍ ସେ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇଥିଲେ ଏବଂ ଶଶାଙ୍କ ମଧ୍ୟ ତାକୁ ଆକସେପ୍ଟ କରିଥିଲେ ।
ତାପରେ ଅର୍ଚ୍ଚନା ନିଜର ରଙ୍ଗ ଦେଖାଇ ସଙ୍ଗେ ସଙ୍ଗେ ମେସେଞ୍ଜରରେ ହାଏ ହାଲୋ, କଣ କରୁଛ ବୋଲି ଅନେକ ମେସେଜ ପଠାଇଲେ ଏବଂ ଯାହାର ଶଶାଙ୍କ ରିପ୍ଲାଏ ମଧ୍ୟ ଦେଇଥିଲେ । କିଛିଦିନ ପରେ ତାଙ୍କ ପୁଅର ଗୋଟିଏ ଛୋଟିଆ ଅପରେସନ ହେବାର ଅଛି, ଏକ ଘରୋଇ ଡାକ୍ତରଖାନାରେ ସର୍ଜରୀ ପାଇଁ ଅଧିକ ଟଙ୍କା ଦରକାର ଅଛି ବୋଲି ଅର୍ଚ୍ଚନା କୁଆଡେ କାନ୍ଦି କାନ୍ଦି ଶଶାଙ୍କଙ୍କୁ 50 ହଜାର ଟଙ୍କା ମାଗିଲେ । ଆଉ ଶଶାଙ୍କ କୁଆଡେ 20 ହଜାର ଟଙ୍କା ଦେଇଥିଲେ । ଆଉ ଅର୍ଚ୍ଚନା ଏ ଟଙ୍କା ଫେରେଇ ଦେବେ ବୋଲି ମଧ୍ୟ କହିଥିଲେ ।
ଆଉ ଯେତେବେଳେ ଅର୍ଚ୍ଚନା ଟଙ୍କା ଫେରେଇଲେ ନାହିଁ, ସେତେବେଳେ ସେ ଶଶାଙ୍କଙ୍କୁ ଏକ ନୂଆଁ ଅଫର୍ ଦେଇଥିଲେ । ମୋ ଘର ଆଉ ହୃଦୟର ଦୁଆର ତୁମପାଇଁ ସବୁବେଳେ ଖୋଲା ଅଛି, ଏପରିକି ମୋ ସ୍ଵାମୀ ଥିଲେ ମଧ୍ୟ ତୁମେ ମୋ ଘରକୁ ଆସିପାରିବ । ଆଉ ଏଭଳି କିଛି କଥାରୁ ଶଶାଙ୍କଙ୍କର କୁଆଡେ ସନ୍ଦେହ ହୋଇଥିଲା ଆଉ ସେ ଅର୍ଚ୍ଚନାଙ୍କୁ ବ୍ଲକ କରିଦେଇଥିଲେ । ଶଶାଙ୍କ କହିଛନ୍ତି ଅର୍ଚ୍ଚନା ଏପରି ଅନେକ ଲୋକଙ୍କ ଠାରୁ ଟଙ୍କା ଲୁଟିଛନ୍ତି । ଆଉ ଶଶାଙ୍କ ମୁହଁ ଖୋଲିବା ପରେ ଏବେ ଅର୍ଚ୍ଚନାଙ୍କ ଗୁମର ଖୋଲିବାରେ ଲାଗିଛି ।