ଫେକ ଆକାଉଣ୍ଟ କରି ମେସେଜ ପଠାଉଥିବା ଭୁବନେଶ୍ୱରର ଜଣେ .ଭଣ୍ଡବାବାକୁ ଗିରଫ କରାଯାଇଛି । ନାବାଳିକା ସାଇବର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଭିଯୁକ୍ତର ଘର ଢେଙ୍କାନାଳ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହୁଥିଲା । ତେବେ ଅଭିଯୋଗ ଅନୁସାରେ ଅଭିଯୁକ୍ତ କାଳିଆ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ସେଥିରେ ପିଡ଼ିତାଙ୍କର ଫଟୋ ଉପରେ ଏଡିଟ କରି , ଫେସବୁକର ପ୍ରୋଫାଇଲ ପିକଚର୍ସରେ ରଖି ବିଭିନ୍ନ ଲୋକଙ୍କ ପାଖକୁ ଅଶ୍ଳୀଳ ଫଟୋ ଓ ଲେଖା ସବୁ ପୋଷ୍ଟ କରୁଥିଲେ ।
ଯାହା ଦ୍ୱାରା ପିଡ଼ିତା ସାମାଜିକ ଭାବରେ ନିନ୍ଦିତ ହେବା ସହ ମାନସିକ ଭାବରେ ଭାଙ୍ଗି ପଡ଼ିଥିଲେ । ପରିବାର ଲୋକଙ୍କ ସହଯୋଗ କ୍ରମେ ପୀଡ଼ିତା ଗତ ୨୪ ତାରିଖ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ସାଇବର୍ ଥାନା ଫେସବୁକ୍ ଓ ହ୍ୱାଟସଆପରୁ ତଥ୍ୟ ହାସଲ କରିବା ପରେ ଅଭିଯୁକ୍ତ ୩୫ ବର୍ଷୀୟ ପରୀକ୍ଷିତ ନାୟକ ଓରଫ କାଳୀଆ ଦାସକୁ ଗିରଫ କରିଛି ଆଜି ପୋଲିସ୍ । ଏସବୁ ମଧ୍ୟରେ ଆଉ ଗୋଟିଏ କଥା ମଧ୍ୟ ସାମ୍ନାକୁ ଆସିଛି ଯେ ୯ ବର୍ଷ ତଳେ ପରୀକ୍ଷିତ ଇସ୍କନରେ କାର୍ଯ୍ୟ କରୁଥିଲା ।
ତଦନ୍ତ ବେଳେ ଜଣା ପଡ଼ିଛି, ଅଭିଯୁକ୍ତ ଦୁଇ ବର୍ଷ ପୂର୍ବରୁ ପିଡିତା ପଢୁଥିବା ସ୍କୁଲର ହଷ୍ଟେଲରେ ରୋଷେୟା ଭାବରେ କାମ କରୁଥିଲେ । ସେତେବେଳେ ସେ ଉକ୍ତ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଆଉ ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରୁଥିଲେ । ଏଥିରେ ବିରକ୍ତ ହୋଇ ଯୁବତୀ ହଷ୍ଟେଲ ଛାଡ଼ି ଦେଇ ଥିଲେ । ଆଉ ଅଭିଯୁକ୍ତ ସେବେଠାରୁ ରାଗିଯାଇ ପିଡିତାଙ୍କ ବିଷୟରେ ତଥ୍ୟ ଓ ଫଟୋ ପାଇଥିଲେ ।
ପିଡ଼ିତା ହଷ୍ଟେଲ ଛାଡିବା ପରେ ଅଭିଯୁକ୍ତ ତାଙ୍କ ନାମରେ ଫେକ ଆଇଡି କରି ବିଭିନ୍ନ ଲୋକଙ୍କୁ ପିଡ଼ିତାଙ୍କର ଅଶ୍ଳୀଳ ଫଟୋ ପଠେଇବା ସହ ତାଙ୍କୁ ବଦନାମ କରିବା ପାଇଁ ପିଡିତାଙ୍କ ନାମ ନେଇ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିଲେ । ଏପରିକି ଯୁବତୀଙ୍କ ଘର ଲୋକଙ୍କୁ ମଧ୍ୟ ପଠାଇଥିଲେ । ତାପରେ ଯୁବତୀ ଜଣକ ପରିବାର ସହିତ ଆସି ଅଭିଯୋଗ କରିଥିଲେ । ସମସ୍ତ ତଥ୍ୟ ପ୍ରମାଣ ସହ ଅଭିଯୁକ୍ତକୁ ତାର ପଟିଆ ସ୍ଥିତ ଭଡ଼ାଘରୁ ଗିରଫ କରାଯିବା ପରେ ଆଜି ଭୁବନେଶ୍ଵର ସ୍ଵତନ୍ତ୍ର ପେସ୍କୋ କୋର୍ଟକୁ ଚାଲାଣ କରାଯାଇଛି । ଏହା ସହିତ କାଳିଆ ବିରୋଧରେ ୪୧୯, ୪୬୯, ୩୨୩ ,୫୦୯ ଦଫା ଓ ଆଇଟି ଓ ପୋକ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି ।