ଏହା ଏକ ସାଧାରଣ ଅନୁଭୂତି ଯେ ଅନେକ ଭିତ୍ତିହୀନ ଅପପ୍ରଚାର ହଠାତ୍ ଜନମାନସରେ ଜାଗ୍ରତ ହୋଇ ଉଠିଥାଏ ଆଉ ଅତି ବେଗରେ ସମାଜରେ ଖେଳିଯାଇ ସମ୍ପୂର୍ଣ୍ଣ ସମାଜକୁ କବଳିତ କରେ । ଘଟଣାର ସତ୍ୟତା ପରୀକ୍ଷା ନ କରି ଅବିଳମ୍ବେ ଜନ ସମୁଦାୟ ଏହାକୁ ଗ୍ରହଣ କରି ନିଅନ୍ତି । ବର୍ତମାନ ସମୟରେ ଦେଖିବାକୁ ମିଳିଛି ଅନ୍ଧବିଶ୍ୱାସର ଅତି ବିକଳ ଚିତ୍ର । ସ୍ତ୍ରୀକୁ ଖୋଲା ଜାଗାରେ ଉଲଗ୍ନ ହୋଇ ଗାଧୋଇବାକୁ ବାଧ୍ୟ କଲା ପାଗଳ ସ୍ୱାମୀ ।
ତାନ୍ତ୍ରିକ କଥାରେ ପଡ଼ି ସ୍ତ୍ରୀକୁ ଏପରି କରିବାକୁ ବାଧ୍ୟ କରିଛି ଏହି ଅବୁଝା ସ୍ୱାମୀ । ମହାରାଷ୍ଟ୍ର ପୁନେ ଅନ୍ତର୍ଗତ ରତ୍ନଗିରି ଜିଲ୍ଲାରେ ଏହି ଘଟଣା ଘଟିଛି । ଏହି ଦମ୍ପତିଙ୍କର ପୁତ୍ର ସନ୍ତାନ ହେଉ ନଥିଲା । ତାକୁ ନେଇ ସ୍ୱାମୀ ତାନ୍ତ୍ରିକର ଶରଣ ପଶିଥିଲେ । ତାନ୍ତ୍ରିକ ଜଣକ ଗୁଣି ଗାରେଡି କରି ପୁତ୍ର ସନ୍ତାନ କରାଇ ଦେବାକୁ କଥା ଦେଇଥିଲା । ଏଥିରେ ମହିଳାଙ୍କୁ ଝରଣାରେ ଉଲଗ୍ନ ହୋଇ ଖୋଲାରେ ଗାଧୋଇବାକୁ ହେବ ବୋଲି କହିଥିଲା ତାନ୍ତ୍ରିକ । ଆଉ ଏହା ପରେ ମହିଳାଙ୍କୁ ରାୟଗଡ ଜିଲ୍ଲା ନିଆଯାଇ ସେଠାରେ ଖୋଲାରେ ଗାଧୋଇବାକୁ ବାଧ୍ୟ କରିଥିଲେ ଶାଶୁଘର ଲୋକ ।
ମହିଳା ଜଣଙ୍କ ଏନେଇ ଅଭିଯୋଗ କରିବା ପରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଯୌତୁକ ନିର୍ଯାତନା ସହ ପୁଅ ଜନ୍ମ କରି ନପାରିବାରୁ ଶାଶୁଘର ଲୋକେ ତାଙ୍କୁ ବିଭିନ୍ନ ଉପାୟରେ ୨୦୧୩ ମସିହାରୁ ଅତ୍ୟାଚାର କରି ଆସୁଥିଲେ । ତେବେ ପୂର୍ବରୁ ମଧ୍ୟ ତାଙ୍କୁ ଗୁଣି କରା ଯାଇଥିବା ମହିଳା ଅଭିଯୋଗ କରିଛନ୍ତି । ପୁନେର ଭାରତୀ ବିଦ୍ୟାପୀଠ ଥାନାରେ ମହିଳା ଜଣକ ଏଫ୍-ଆଇ-ଆର ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, ତାନ୍ତ୍ରିକ କହିଥିଲେ କି ମହିଳା ଜଣକ ଯଦି କୌଣସି ଲୋକ ଚଳପ୍ରଚଳ କରୁଥିବା ଝରଣାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଧୋଇବେ ତେବ ଯାଇ ତାର ପୁଅ ଜନ୍ମ ହେବ ।
ଏହାପରେ ତାନ୍ତ୍ରିକ ପୂଜାପାଠ କରିଥିଲେ ଏବଂ ପରେ ମହିଳାଙ୍କୁ ରାୟଗଡ଼ ଜିଲ୍ଲାରେ ଥିବା ଏକ ଝରଣାକୁ ନିଆ ଯାଇଥିଲା । ସେହିଠାରେ ତାଙ୍କୁ ଲୋକଙ୍କ ଆଗରେ ଉଲଗ୍ନ ହୋଇ ଗାଧୋଇବାକୁ ବାଧ୍ୟ କରା ଯାଇଥିଲା । ଅନ୍ୟପଟେ ପୋଲିସ୍ ଅଭିଯୋଗ ପାଇବା ପରେ ତଦନ୍ତ କରି ଜାଣି ପାରିଛି ଯେ ମହିଳାଙ୍କ ସ୍ୱାମୀ ନିଜ ସ୍ତ୍ରୀର ଜାଲ ଦସ୍ତଖତ କରି ବ୍ୟାଙ୍କରୁ ୭୫ ଲକ୍ଷ ଟଙ୍କାର ଲୋନ୍ ନେଇଛନ୍ତି । ଏସବୁକୁ ନେଇ ପୋଲିସ୍ ଅଧିକ ତଦନ୍ତ କରୁଛି ।