ବର୍ତ୍ତମାନ ଆନ୍ଧ୍ର ସରକାରଙ୍କ ନୂଆଁ ନିୟମ ସାମ୍ନାକୁ ଆସିଛି । ବର୍ତ୍ତମାନ ଠାରୁ ବିନା କ୍ଲାସରେ ପରୀକ୍ଷା ଦେଇପାରିବେନି । ଛାତ୍ରଛାତ୍ରୀମାନେ କ୍ଲାସ କରିବା ବାଧ୍ୟତାମୂଳକ କରାଯାଇଛି । 75% ଉପସ୍ଥାନ ନଥିଲେ ପରୀକ୍ଷା ଦେଇପାରିବେନି । ଆଜ୍ଞା ହଁ, ଆନ୍ଧ୍ର ସରକାର ଏପରି କିଛି ନିୟମ ଆଣିଛନ୍ତି । ଆଉ ଯେଉଁ ନିୟମ ଶୁଣିବାପରେ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ବଜ୍ର ପଡ଼ିଛି । କାରଣ ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ବିଇଡିରେ ନାମ ଲେଖାଉଥିବା ଦେଖାଯାଉଛି ।
ଆନ୍ଧ୍ରପ୍ରଦେଶର ବିଇଡିରେ ଆଡ଼ମିଶନ କରିଥିବା ଅନେକ ଛାତ୍ରଛାତ୍ରୀ କେବଳ ପରୀକ୍ଷା ବେଳେ ହିଁ ସେଠାକୁ ଯାଇଛନ୍ତି । କେବଳ ପରୀକ୍ଷା ଦେଇ ଛାତ୍ରଛାତ୍ରୀ ସାର୍ଟିଫିକେଟ ଆଣିଥାନ୍ତି । ନା ସେମାନଙ୍କୁ କ୍ଲାସ୍ କରିବାକୁ ପଡେ ନା ତାଙ୍କର କେହି ଉପସ୍ଥାନ ଚେକ୍ କରନ୍ତି । ଯେଉଁଥିପାଇଁ ଅନେକ ଛାତ୍ରଛାତ୍ରୀ ଆନ୍ଧ୍ର ବିଇଡିକୁ ଆପଣାଇ ନେଇଛନ୍ତି । ଆନ୍ଧ୍ର ବିଇଡି ସାର୍ଟିଫିକେଟରେ ଅନେକ ଘରୋଇ ଏବଂ ସରକାରୀ ଶିକ୍ଷାନୁଷ୍ଠାନରେ ଚାକିରି ମଧ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ଆନ୍ଧ୍ର ସରକାର ନେଇଥିବା ନିଷ୍ପତ୍ତି ପରେ ଛାତ୍ରଛାତ୍ରୀ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି ।
ନିକଟରେ ଆନ୍ଧ୍ରପ୍ରଦେଶ ସରକାର ବିଇଡି ନାମଲେଖା ଓ ଅଧ୍ୟୟନକୁ ନେଇ ନୂଆଁ ନିୟମ ଆଣିଛନ୍ତି । ଆନ୍ଧ୍ର ବିଇଡିରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଘରେ ବସି ବିଇଡି କରିପାରିବେ ନାହିଁ । ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କ୍ଲାସ୍ କରିବା ବାଧ୍ୟତାମୂଳକ କରାଯାଇଛି । ପିଲାମାନଙ୍କ ଉପସ୍ଥାନ ଅତି କମରେ 75 % ଜରୁରୀ ବୋଲି କୁହାଯାଇଛି । ତେବେ ଆନ୍ଧ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଆନ୍ଧ୍ର ବିଇଡିରେ ନାମ ଲେଖାଇଥିବା କିମ୍ବା ଭବିଷ୍ୟତରେ ନାମ ଲେଖିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।
ଓଡ଼ିଶାର ପିଲାଙ୍କୁ ନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବିଇଡିରେ ଆଡ଼ମିଶନ କରାଉଥିବା ସଂସ୍ଥା ଏବେ ବିକଳ୍ପ ଖୋଜୁଛନ୍ତି । ଆନ୍ଧ୍ରପ୍ରଦେଶ ସରକାରଙ୍କ ନିର୍ଦ୍ଦେଶନାମା ପରେ ଓଡ଼ିଶାର ପିଲାମାନେ ଆନ୍ଧ୍ର ବିଇଡିରେ ନାମଲେଖା ଆଶା କ୍ଷୀଣ ହୋଇଯାଇଛି । ପୂର୍ବରୁ ଛାତ୍ରଛାତ୍ରୀ କେବଳ ପରୀକ୍ଷା ଦେବାକୁ ଆନ୍ଧ୍ର ଯାଉଥିବା ବେଳେ ଏବେ ବିନା ଉପସ୍ଥାନରେ ସେମାନେ କିପରି ପରୀକ୍ଷା ଦେବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଏଭଳି ପରିସ୍ଥିତିରେ ଓଡ଼ିଶାରେ ଖୋଲିଥିବା ବିଭିନ୍ନ ମଧ୍ୟସ୍ଥିକାରୀ ସଂସ୍ଥା ଏବେ ଅନ୍ୟ ବିଶ୍ଵବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।