ଶିକ୍ଷକ ସାଜିଲେ ସଇତାନ,ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଲେ,ଆଉ ବାପା ମା ନାଁ କୁ ନେଇ ଖରାପ ଭାଷାରେ ମଧ୍ୟ ଦେଲେ ଗାଳି
ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ମାନସିକ ନିର୍ଯାତନା ଅଭିଯୋଗ ଆସିଛି । ବାପାମାଆଙ୍କ ନାଁରେ ଅପମାନ ଓ ଶ୍ରେଣୀଗୃହରେ ଅଭଦ୍ର ଭାଷାରେ ଛାତ୍ରୀଙ୍କୁ ଶିକ୍ଷକ ଗାଳି ଗୁଲଜ କରିଛନ୍ତି । ସୂଚନା ଅନୁଯାୟୀ, ଝରାଡ଼ିହି ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀର ଜୈନିକା ଛାତ୍ରୀର ବିଦ୍ୟାଳୟ ପରିଚୟ ପତ୍ରରେ ତ୍ରୁଟି ଥିବା ଦର୍ଶାଇ ଛାତ୍ରୀର ବାପା ପ୍ରଧାନ ଶିକ୍ଷକ ଟୁକୁଲ ବାସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ବାରମ୍ବାର ଅଭିଯୋଗ ଓ ତିନି ମାସ ବିତି ଯାଇଥିଲେ ସୁଦ୍ଧା ଏହାର ସଂଶୋଧନ ନ ହେବାରୁ ଗତ 27 ତାରିଖରେ ଲିଖିତ ଭାବେ ବହଳଦା ଶିକ୍ଷା ଅଧିକାରୀଙ୍କ ନଜରକୁ ଆଣିଥିଲେ । ଏହା ଜାଣିବାକୁ ପାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ରୋଧାନ୍ୱିତ ହୋଇ ସଂପୃକ୍ତ ଛାତ୍ରୀଙ୍କୁ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମ୍ମୁଖରେ ଗାଳି ଗୁଲଜ ସହିତ ଅପମାନିତ କରିଥିବା ଛାତ୍ରୀ ଅଭିଯୋଗ ଆଣିଛନ୍ତି ।
ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏଥିପାଇଁ ଛାତ୍ରୀ ଓ ପରିବାର ଲୋକେ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କରିଛନ୍ତି । ପ୍ରଧାନ ଶିକ୍ଷକ ଟୁକୁଲ ବାସ୍ପିଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ସମେତ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହାର ତୁରନ୍ତ ସମାଧାନ ଓ ସଂପୃକ୍ତ ଛାତ୍ରୀଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ ପାଇଁ ପୂର୍ବତନ ଛାତ୍ର ଅଭିଭାବକ ଚେତାବନୀ ଦେଇଛନ୍ତି ।
ସେପଟେ ପ୍ରଧାନ ଶିକ୍ଷକ ଏହି ଘଟଣାକୁ ଏକ ଚକ୍ରାନ୍ତ କହି ଖଣ୍ଡନ କରିଛନ୍ତି । କିନ୍ତୁ ଗ୍ରାମବାସୀ କହିଛନ୍ତି ଯେ ଏହି ଶିକ୍ଷକଙ୍କର ଆଗରୁ ମଧ୍ୟ କୌଣସି କାର୍ଯ୍ୟ ଠିକ୍ ରହିନାହିଁ । ତାଙ୍କର ସ୍କୁଲର ବିକାଶ ଦିଗରେ ମଧ୍ୟ କୌଣସି ଆଗ୍ରହ କି ଇଚ୍ଛା ନାହିଁ । ତେଣୁ ଝରାଡ଼ିହି ଗ୍ରାମବାସୀ ଆଉ ଚାହୁଁନାହାଁନ୍ତି ଯେ ସେହି ପ୍ରଧାନ ଶିକ୍ଷକ ସେଠାରେ ରୁହନ୍ତୁ ବୋଲି ।