ଅର୍ଚ୍ଚନାଙ୍କ ମାମଲାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି ଏବଂ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି । ଅର୍ଚ୍ଚନା ଜାମିନ ପାଇଁ ଆବେଦନ କରିଥିବାରୁ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି ଯେ ଏ ରହସ୍ୟମୟୀ ଖସି ଯିବେନି ତ ? ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ସେ ଜାମିନ ପାଇଁ ଆବେଦନ କରିଛନ୍ତି । ମଙ୍ଗଳବାର ଦିନ ସେ କୋର୍ଟରେ ହାଜର ହୋଇପାରନ୍ତି । ଯଥେଷ୍ଟ ପ୍ରମାଣ ନାହିଁ ଏବଂ ସାମ୍ନାକୁ ଆସିବାପାଇଁ ପ୍ରଭାବଶାଳୀ ଲୋକେ ଭୟ କରୁଛନ୍ତି । ତେବେ ଏ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସୁଛି ଯେ କଳେବଳେ ପୋଲିସ ଖସାଇବାରେ ସଫଳ ହେବ କି ?
ଆମେ ପୂର୍ବରୁ ଯାହା କହିଥିଲୁ, ବର୍ତ୍ତମାନ ସେୟା ହିଁ ହେବାକୁ ଯାଉଛି । ସହଜରେ ସୁରୁଖୁରୁରେ ରହସ୍ୟମୟୀକୁ ଖସାଇଦେବାକୁ ଯେଉଁ କସରତ କମିଶନର ରେଡ ପୋଲିସ କରିଥିଲା, ସେଥିରେ ସଫଳ ହେବାକୁ ଯାଉଛି । ଆଇନର ଗଳା ବାଟରେ ରହସ୍ୟମୟୀ ଲେଡୀ ବ୍ଲାକମେଲର ଖସିଯିବେ । ବର୍ତ୍ତମାନ ସୁଦ୍ଧା ତାଙ୍କ ନାମରେ କେହି ବି ସିଧାସଳଖ ଅଭିଯୋଗ କରିନାହାନ୍ତି । ସେ ଟଙ୍କା ନେଉଥିବା ହେଉ କି କଳା ଟଙ୍କାର କାରବାର ହେଉ, ଖୋଳତାଲ କରିବାକୁ ପୋଲିସ ପଛଘୁଞ୍ଚା ଦେଉଛି ।
ପ୍ରଥମ ଦିନରୁ ହିଁ ଏହା ଏକ ପ୍ରକାରର ସ୍ପଷ୍ଟ ହୋଇଥିଲା । ଖଣ୍ଡଗିରି ପୋଲିସ ତରବରିଆ ଭାବରେ ତଦନ୍ତ କଲା ଆଉ ଖସେଇ ଦେବାକୁ ଯାଇ ଗିରଫ ମଧ୍ୟ କଲା । ଗିରଫ ପଛରେ ବଡ ଷଡ଼ଯନ୍ତ୍ର ଥିଲା । ଯଦିଓ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଭିଯୋଗ ପରେ ମାମଲା ନୂଆଁ ମୋଡ ନେଇଛି, ହେଲେ ତାହା ଯଥେଷ୍ଟ ନୁହେଁ । କେବଳ ପରିଜାଙ୍କ ଅଭିଯୋଗ ଆଧାରରେ ଗିରଫ କରାଗଲା ଆଉ ଏବେ ଜାମିନରେ ଖସେଇ ଦେବାକୁ ବାଟ ଫିଟିଲା । ସେଭଳି କଡ଼ା ଦଫା ମଧ୍ୟ ଲାଗିଲାନି ।
ଆଇନ ବିଶାରଦଙ୍କ କହିବା କଥା ଯେ ଯେଉଁ ମହିଳା ଅଭିଯୋଗ କରିଥିଲେ, ସେହି ମହିଳା ସାମ୍ନାକୁ ଆସିବା ଦରକାର୍ । ହେଲେ ତାଙ୍କୁ ଅଣାଯାଉ ନାହିଁ । ହେଲେ ଏବେ ଯେଉଁ ଭଳି ଢଙ୍ଗରେ ତଦନ୍ତ ଚାଲିଛି ତାର ଦମ୍ ନାହିଁ । ପୋଲିସ ତଦନ୍ତ ପ୍ରକ୍ରିୟାରେ କାହିଁକି ସ୍ବଚ୍ଛତା ରଖୁନହିଁ ବୋଲି ଆଇନଜୀବୀ କହିଛନ୍ତି ।
ଏବେ ଅର୍ଚ୍ଚନାଙ୍କ ସମ୍ପତ୍ତି କଥା ଏବଂ ରୋଜଗାର ମାଧ୍ୟମ କଥା ଆସିବ । ଏତେ ଟଙ୍କା କୋଉଠୁ ହାତେଇ ଥିଲେ, ଏସବୁର ଖୋଳତାଳ ହେବା କଥା । ଯିଏ ବ୍ଲାକମେଲର ଶିକାର ହୋଇ ଟଙ୍କା ଦେଇଛନ୍ତି ସିଏ ସାମ୍ନାକୁ ଆସିବା ଦରକାର୍ । ତେବେ ଏଠାରେ ପ୍ରଶ୍ନ ଅଛି ଯେ ପ୍ରଭାବଶାଳୀ ବ୍ୟକ୍ତିମାନେ କଣ ସାମ୍ନାକୁ ଆସିବେ ? କେଉଁ ମୁହଁ ନେଇ ଆସିବେ, ଯଦି ବା ଆସୁଛନ୍ତି ଇମୋରାଲ ଟ୍ରାଫିକ ଆକ୍ଟରେ ଛନ୍ଦି ହେବେ । ତେଣୁ ବ୍ୟବସାୟୀ, ରାଜନେତା ସାମ୍ନାକୁ ଆସିବେ ନାହିଁ । ଏ ସବୁ ଦୃଷ୍ଟିରୁ ବିଚାର କଲେ ଅର୍ଚ୍ଚନା ଖସିଯିବେ । ଅର୍ଚ୍ଚନାଙ୍କୁ ଖସାଇବା ପାଇଁ ଜଣେ ଜୋନ ଏସିପି ନେତୃତ୍ୱ ନେଉଛନ୍ତି । ସେ ଏବେ ଦୁଇ ଦୁଇଟି ଦାୟିତ୍ୱରେ ଅଛନ୍ତି । ସେ ପୋଲିସ କମିଶନରଙ୍କ ଖାସ୍ ଲୋକ, କୁଆଡେ ଡିସିପି ମଧ୍ୟ ତାଙ୍କ କଥାରେ ଚାଲନ୍ତି ବୋଲି ଶୁଣାଯାଉଛି । ଅର୍ଚ୍ଚନାଙ୍କ ସହ ତାଙ୍କର ଭଲ ସେଟିଂ ବୋଲି କୁହାଯାଉଛି ।