ଏବେ ଫୋନ୍ ଆସିଲେ ଆଉ ହ୍ୟାଲୋ ନୁହେଁ ବରଂ ଏହା ବଦଳରେ ବନ୍ଦେ ମାତରମ୍ କହିବାକୁ ପଡ଼ିବ । ସମସ୍ତ ସରକାରୀ କର୍ମଚାରୀ, ସରକାର ଅନୁଦାନ ପ୍ରାପ୍ତ ସଂସ୍ଥା ହ୍ୟାଲୋ ବଦଳରେ ବନ୍ଦେ ମାତରମ୍ କହିବେ । ଏହା ସେମାନଙ୍କ ପାଇଁ ବାଧ୍ୟତାମୂଳକ ବୋଲି ମହାରାଷ୍ଟ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଫୋନ୍ ଆସିଲେ କିମ୍ବା କଲ୍ କଲେ ହ୍ୟାଲୋ ବଦଳରେ ବନ୍ଦେ ମାତରମ୍ କହିବାକୁ ପଡ଼ିବ । ଏଭଳି କିଛି ନୂଆଁ ନିୟମ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଲାଗୁ କରିଛନ୍ତି ।
ଗାନ୍ଧୀ ଜୟନ୍ତୀ ଅବସରରେ ଏଭଳି କିଛି ନିୟମ ଲାଗୁ କରାଯାଇଛି । କେବଳ ସେତିକି ନୁହେଁ, ସାଧାରଣ ବିଭାଗ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଏ ନେଇ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ କୁହାଯାଇଛି । କେହି କାହାକୁ ଭେଟିବାକୁ ଆସିଲେ ତାଙ୍କୁ ବନ୍ଦେ ମାତରମ୍ କହି ସ୍ବାଗତ କରିବାକୁ ଲୋକଙ୍କୁ ସଚେତନତା କରାଯାଉ ବୋଲି ମହାରାଷ୍ଟ୍ରର ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।
ତେବେ ହ୍ୟାଲୋ କହିବାର ଅର୍ଥ ବିଦେଶର ସଂସ୍କୃତିକୁ ନକଲ କରିବା ଅଟେ । ଏହା ଏକ ଏପରି ଅଭିବାଦନ, ଯାହାର କୌଣସି ସ୍ୱତନ୍ତ୍ରତା ନାହିଁ । ଏଥିରେ କୌଣସି ସ୍ନେହଭାବ କି ଆଦର ଭାବର ଜାଗ୍ରତ ହେଉନାହିଁ । ତେଣୁ ହ୍ୟାଲୋ ନକହି ବନ୍ଦେ ମାତରମ କହିବା ଦରକାର ବୋଲି ମହାରାଷ୍ଟ୍ରର ସରକାର କହିଛନ୍ତି ।
ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରରେ ନୂଆଁ ସରକାର ଆସିବାପରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁଧୀର ମଙ୍କ୍ତିବାର ଅଗଷ୍ଟ ମାସରେ ପ୍ରଥମେ ଏହି ନିର୍ଦ୍ଦେଶ ଦେଇଥିଲେ । ଏକନାଥଙ୍କ ସରକାର୍ ତାଙ୍କୁ ରାଜ୍ୟ କ୍ୟାବିନେଟ ଦାୟିତ୍ଵ ଦେବାପରେ ସେ ଏହି ନିର୍ଦ୍ଦେଶ ଲାଗୁ କରିଛନ୍ତି । ଏ ନେଇ ବିଜେପି ନେତା ସୁଧୀର ମଙ୍କ୍ତିବାର କହିଛନ୍ତି ଦେଶ 75 ତମ ସ୍ବାଧିନତା ଦିବସ ପାଳନ କରୁଛି । ଏହାର ଗୁରୁତ୍ଵ ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି ଯେ ସରକାରୀ କର୍ମଚାରୀ ଆଉ ହ୍ୟାଲୋ କହିବେ ନାହିଁ, ଏହା ବଦଳରେ ବନ୍ଦେ ମାତରମ କହି ଫୋନରେ କଥାବାର୍ତ୍ତା ଆରମ୍ଭ କରିବେ ।