କୁହାଯାଏ ଯେ ମଣିଷ ଭଗବାନ ଏବଂ ସଇତାନଙ୍କ ମଧ୍ୟରେ ରହିଥାଏ, ସେ ଚାହିଁଲେ ଉପରକୁ ଉଠି ଭଗବାନ ହୋଇପାରେ ଏବଂ ଚାହିଁଲେ ତଳକୁ ଖସି ସଇତାନ ମଧ୍ୟ ହୋଇପାରେ । ଏହି ଘୋର କଳିଯୁଗରେ ମଣିଷ ସଇତାନ ହେବାର ଉଦାହରଣ ବହୁତ୍ ରହିଛି । କିନ୍ତୁ ଆଜି ଆପଣଙ୍କୁ ମଣିଷରୁ ଭଗବାନଙ୍କ ଆଡ଼କୁ ବଢିବାର ଉଦାହରଣ କହିବୁ ।
ଉତ୍ତରପ୍ରଦେଶର ମହରାଜଗଞ୍ଜ ଜିଲ୍ଲାର ଏଆରଟିିଓ ଆରସି ଭାରତୀଙ୍କ ଏପରି ମାନବିକତା ଚେହେରା ସାମ୍ନାକୁ ଆସିଛି, ଯାହାଦ୍ଵାରା ତାଙ୍କ ଭିତରେ ଲୋକମାନେ ଭଗବାନଙ୍କ ରୂପକୁ ଦେଖିପାରିବେ । ସବ୍ ଡିଭିଜନାଲ ଟ୍ରାନ୍ସପୋର୍ଟ ଅଫିସର ଆରସି ଭାରତୀ ମାର ମଙ୍ଗଳସୂତ୍ର ବିକ୍ରି କରି ଚାଲାଣ ଜମା କରିବାକୁ ଆସିଥିବା ଯୁବକଙ୍କ ସତ୍ୟତା ଜାଣିବାପରେ ନିଜ ସ୍ୟାଲେରିରୁ ଜୋରିମାନା ଦେଇଥିଲେ । ସେହି ଯୁବକଙ୍କ ଗାଡ଼ି ଉପରେ 24,500 ଟଙ୍କାର ଜୋରିମାନା ଲଗା ଯାଇଥିଲା ।
ମହରାଜଗଞ୍ଜ ଜିଲ୍ଲାର ଏଆରଟିିଓ ଅଫିସରେ ବୁଧବାର ଦିନ ଏପରି କିଛି ହେଲା, ଯାହାକୁ ଶୁଣିବା ପରେ ସମସ୍ତେ ଏଆରଟିିଓଙ୍କୁ ପ୍ରଶଂସା କରିବାକୁ ଲାଗିଲେ । ବାସ୍ତବରେ ଆର୍ଥିକ ଭାବେ ଦୁର୍ବଳ ଯୁବକଙ୍କ ଅଟୋ ଚାଳକ ବାପାଙ୍କର 24,500 ଟଙ୍କାର ଚାଲାଣ କଟି ଯାଇଥିଲା । ମାର ମଙ୍ଗଳସୂତ୍ର ବିକ୍ରି କରିବାପରେ ଯୁବକଙ୍କ ପାଖରେ ପଇସା କମ୍ ପଡିଥିଲା । ଏହି କଥା ଯେତେବେଳେ ଏଆରଟିିଓ ଆରସି ଭାରତୀ ଯେତେବେଳେ ଜାଣିଲେ, ସେତେବେଳେ ସେ ଚାଲାଣର ପଇସା ନିଜେ ନିଜର ସ୍ୟାଲେରିରୁ ଦେଇଦେଲେ ଏବଂ ପାଠ ଛାଡ଼ି ସାରିଥିବା ଯୁବକଙ୍କୁ ପଢ଼ିବାପାଇଁ କହିଥିଲେ ।
ଏଆରଟିିଓ ଅଫିସରେ ସିହଁପୁର ତାଲି ଗାଁର ବିଜୟ ପହଞ୍ଚିବାରୁ ତାଙ୍କୁ ବିଚଳିତ ଦେଖି ଏଆରଟିିଓ ପାଖକୁ ଡାକି ବିଚଳିତ ହେବାର କାରଣ ପଚାରିବାକୁ ଲାଗିଲେ । ପଚାରିବା ପରେ ବିଜୟ କହିଲା ଯେ ବାପା ରାଜକୁମାର ଅଟୋ ଚଲାନ୍ତି ଏବଂ ତାଙ୍କୁ ଗୋଟିଏ ଆଖିରେ କମ୍ ଦେଖାଯାଏ । 24,500 ଟଙ୍କା ଅଟୋର ଚାଲାଣ ଜମା କରିବାର ଅଛି । ମାର ମଙ୍ଗଳସୂତ୍ର ବିକ୍ରି ପରେ ମଧ୍ୟ କେବଳ 13 ହଜାର ଟଙ୍କା ହିଁ ସଂଗ୍ରହ ହୋଇପାରିଛି । ପରିବାରରେ ଛଅ ଜଣ ଭଉଣୀ ଅଛନ୍ତି । ପୁରା କାହାଣୀ ଶୁଣିବାପରେ ଏଆରଟିିଓଙ୍କ ହୃଦୟ ତରଳିଗଲା ।
ଏଆରଟିିଓ ଚାଲାଣର ପୁରା ଟଙ୍କା ନିଜେ ଜମା କରିବା ସହିତ ଟେମ୍ପୋର ଇନ୍ସ୍ୟୁରାନ୍ସ ମଧ୍ୟ କରାଇଲେ । ତେବେ ଏହି ମାମଲାରେ ଏଆରଟିିଓ ଆରସି ଭାରତୀ ମିଡ଼ିଆ ସହିତ ଅଧିକ କଥାବାର୍ତ୍ତା କରିନାହାନ୍ତି, କେବଳ ଏତିକି କହିଲେ ଯେ ମୁଁ ତାଙ୍କ କଷ୍ଟ ଶୁଣିଲି ଏବଂ ସେମାନେ ମତେ ନିରୀହ ଲାଗିଲେ । ଏହି କାରଣରୁ ମୁଁ ତାଙ୍କର ଜୋରିମାନା ନିଜେ ଦେଇଦେଲି ।